ଓଡ଼ିଶାଲାଇଭ୍ ବ୍ୟୁରୋ

‘‘ଓଡ଼ିଶା ରାଜନୀତିରେ ରାବଣ ୨ରୁ ୩ ଜଣ ଅଛନ୍ତି। ସବୁ ଦଳରେ ରାବଣ ଅଛନ୍ତି ଏବଂ ଆମ ଦଳରେ ବି ରାବଣ ଅଛନ୍ତି। ସେମାନେ ରାବଣର ସ୍ୱର୍ଣ୍ଣ ଲଙ୍କା ଭଳି ମହଲ ତିଆରି କରିଛନ୍ତି। ହେଲେ ଏବେ ଆମ ଦଳରେ କମ୍‌ ରାବଣ ଅଛନ୍ତି’’, କହିଛନ୍ତି କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟ।

ଏବେ ନବରାତ୍ର ଚାଲିଛି। ଆସନ୍ତାକାଲି ବିଜୟଦଶମୀ। ବିଭିନ୍ନ ସ୍ଥାନରେ ରାବଣପୋଡ଼ି ମହୋତ୍ସବ ଆୟୋଜନ କରାଯାଉଛି। ଏହି ଅବସରରେ ଓଡ଼ିଶା ରାଜନୀତରେ ରାବଣ କିଏ ବୋଲି ସୁର ରାଉତରାୟଙ୍କୁ ପ୍ରଶ୍ନ କରିଥିଲେ ଗଣମାଧ୍ୟମ ପ୍ରତିନିଧି। ସେ କହିଥିଲେ ଯେ ବିଜେଡି, ବିଜେପି ଏବଂ କଂଗ୍ରେସରେ ରାବଣ ଅଛନ୍ତି।

‘‘ବିଜେଡିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଜେପିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବେ ଅଧା ରାବଣ। ଆଗରୁ ଉଭୟ ରାମ ଥିଲେ। ମଝିରେ ରାବଣ ହୋଇ ଯାଇଥିଲେ। ଏବେ ସେମାନେ ଅଧା ରାବଣ’’, କହିଛନ୍ତି ସୁର ରାଉତରାୟ।

ନିଜ ଦଳ କଂଗ୍ରେସ ସମ୍ପର୍କରେ ବି ମତ ରଖିଛନ୍ତି ସୁର।

ସେ କହିଛନ୍ତି, ‘‘ନିରଞ୍ଜନ ପଟ୍ଟନାୟକ ହେଉଛନ୍ତି ରାମଚନ୍ଦ୍ର। ତାଙ୍କର କିଛି ବଦଗୁଣ ନାହିଁ। ସେ ଅତି ଭଦ୍ର ଲୋକ। ସେ ହେଉଛନ୍ତି ଜ୍ଞାନର ଭଣ୍ଡାର। ସେ ଅତି ସରଳ ଲୋକ। ନବୀନ ବାବୁଙ୍କର ବି ସେମିତି କିଛି ଖରାପ ଗୁଣ ନାହିଁ।’’

Comment