ଓଡ଼ିଶାଲାଇଭ୍ ବ୍ୟୁରୋ

ହୀରା ଗହଣା ବ୍ୟବସାୟରେ ବଡ଼ ଧରଣ ମାନ୍ଦାବସ୍ଥା ଦେଖାଦେଇଛି। ଯେଉଁ କାରଣରୁ ପ୍ରତିବର୍ଷ ନିଜର କର୍ମଚାରୀଙ୍କୁ ଦୀପାବଳୀରେ ଦାମୀ ଉପହାର ଦେଇ ଚର୍ଚ୍ଚାରେ ରହୁଥିବା ସୁରଟର ହୀରା ଗହଣା ବ୍ୟବସାୟୀ ସାବଜୀ ଢୋଲକିଆ ଚଳିତବର୍ଷ ନିଜ କର୍ମଚାରୀଙ୍କୁ କୌଣସି ଉପହାର ଦେବେନାହିଁ ବୋଲି ସ୍ଥିର କରିଛନ୍ତି।

ଗତ କିଛି ବର୍ଷ ଧରି ହୀରା ଗହଣା ବ୍ୟବସାୟରେ ବ୍ୟାପକ ମାନ୍ଦାବସ୍ଥା ଦେଖାଦେଇଛି। ଚଳିତବର୍ଷ ଏହି ମାନ୍ଦାବସ୍ଥା ଶୀର୍ଷସ୍ତରରେ ପହଞ୍ଚିଛି। ମୁଖ୍ୟତଃ ହୀରା ପଲିସ୍ ବ୍ୟବସାୟରେ ବ୍ୟାପକ ମାନ୍ଦାବସ୍ତା ଦେଖିବାକୁ ମିଳିଛି।

ଏହାକୁ ନେଇ ଢୋଲକିଆ କହିଛନ୍ତି ଯେ, ହୀରା ବ୍ୟବସାୟ ଯେତେବେଳେ ଖରାପ ଅବସ୍ଥା ଦେଇ ଗତି କରୁଛି, ସେ ସମୟରେ ଆମେ କର୍ମଚାରୀଙ୍କୁ କିପରି ଉପହାର ଦେଇପାରିବୁ। ଏହା ବଦଳରେ ଆମେ ତାଙ୍କର ଜୀବିକା ବଞ୍ଚାଇବାକୁ ଚେଷ୍ଟାକରିବୁ।

ଗତ କିଛିବର୍ଷ ମଧ୍ୟରେ ହୀରା ବ୍ୟବସାୟରେ ମାନ୍ଦାବସ୍ତା ଲାଗିରହିବା କାରଣରୁ ୪୦ହଜାର କର୍ମଚାରୀଙ୍କୁ ବିଭିନ୍ନ ବ୍ୟବସାୟୀ କାମରୁ ଛଟେଇ କରିଥିଲେ। ଏଥିସହ କାମରେ ଥିବା ବିଭିନ୍ନ କର୍ମଚାରୀମାନଙ୍କ ଦରମାରେ ମଧ୍ୟ ୪୦ ପ୍ରତିଶତରୁ ଅଧିକ ହ୍ରାସ କରିଦିଆଯାଇଛି।

ସୁରଟରେ ପ୍ରାୟ ୫ଲକ୍ଷରୁ ଅଧିକ ଲୋକ ଏହି ହୀରା ଗହଣା ବ୍ୟବସାୟରେ ନିଯୁକ୍ତ ହୋଇଛନ୍ତି। ଏହି ଅଞ୍ଚଳ ହୀରା କାଟିବା ସହ ହୀରାକୁ ପଲିସ୍‌ କରିବା ପାଇଁ ବେଶ୍ ପ୍ରସିଦ୍ଧି ଅର୍ଜନ କରିଛି।

Comment