ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟ ସରକାର ଚଞ୍ଚକତା କରି ବିଭିନ୍ନ କେନ୍ଦ୍ରୀୟ ଯୋଜନାକୁ ହଡପ କରି ଚାଲିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଥିବା ‘ହାଉସିଙ୍ଗ ଫର ଅଲ୍ ୨୦୨୨’ର ଲକ୍ଷ୍ୟ ହାସଲ କରିବା ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ସମସ୍ତଙ୍କୁ ପକ୍କା ଘର ଯୋଗାଇଦେବେ ବୋଲି କହିଛନ୍ତି। ଏହି ଯୋଜନାରେ ଓଡ଼ିଶାରେ ୧୬ ଲକ୍ଷରୁ ଅଧିକ ପକ୍କା ଘର ନିର୍ମାଣ ହେବା ପରେ ବି ରାଜ୍ୟସରକାର ଅନୈତିକ ଓ ଅଗଣତାନ୍ତ୍ରିକ ଭାବେ ଯୋଜନାର ନାମ ପରିବର୍ତ୍ତନ କରି ‘ମୋ ଆବାସ’ ନାମରେ ରାଜ୍ୟବାସୀଙ୍କୁ ଠକି ଚାଲିଛନ୍ତି।

ଏହା ବିରୋଧରେ ଗତ ୨୭ ତାରିଖରେ ବିଜେପି ପକ୍ଷରୁ ରାଜ୍ୟର ସମସ୍ତ ବ୍ଲକ, ଏନ୍ଏସି, ମହାନଗର ନିଗମ ଆଗରେ ବିକ୍ଷୋଭ କରାଯାଇଥିଲା। ହେଲେ କୌଣସି ସୁଫଳ ମିଳି ନାହିଁ। ଏହାର ପ୍ରତିବାଦରେ ଆସନ୍ତାକାଲି ବିଜେପି ରାଜଭବନ ଆଗରେ ଧାରଣା ଦେବ ବୋଲି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି।

ପୂର୍ବରୁ କେନ୍ଦ୍ର ସରକାରଙ୍କ ୧୦୮ ଆମ୍ବୁଲାନ୍ସ ଯୋଜନାକୁ ହାଇଜାକ୍ କରି ରାଜ୍ୟସରକାର ନିଜ ନାଁ ଦେଇ ରାଜ୍ୟସରକାରଙ୍କ ‘ଲୋଗୋ’ ଲଗାଇ ନିଜର ଆତ୍ମ ପ୍ରଚାର କରିଥିଲେ। କେନ୍ଦ୍ରସରକାରଙ୍କ ସୁକନ୍ୟା ସମୃଦ୍ଧି ଯୋଜନାକୁ ନାଁ ଓ ଲୋଗୋ ବଦଳାଇ ରାଜ୍ୟସରକାର ‘ସୁକନ୍ୟା ସମୃଦ୍ଧି ଯୋଜନା- ଝିଅ ପାଇଁ ଚିଠି ଟିଏ’ କରି ବିଭିନ୍ନ ଗଣମାଧ୍ୟରେ ବିଜ୍ଞାପନ ପ୍ରକାଶ କରିଥିଲେ। ସେହିପରି ଟଙ୍କିକିଆ ଚାଉଳକୁ  ନିଜ ନାଁରେ ନାମିତ କରିବାର ଅପଚେଷ୍ଟା ବି ରାଜ୍ୟ ସରକାର କରିଆସିଛନ୍ତି। କେନ୍ଦ୍ରୀୟ ଯୋଜନା ହଡପ ବିରୋଧରେ  ବିଜେପି ଧାରଣା ଦେବା ସହ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରିବ।

Comment