ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ତେଜିଲା ଆବାସ କଳି। ପ୍ରଧାନମନ୍ତ୍ରୀ ଆବାସରେ ଚଞ୍ଚକତା ଅଭିଯୋଗ ଆଣି ବିଜେପି ରାଜଭବନ ସମ୍ମୁଖରେ ଧାରଣା ଦେଇଥିବା ବେଳେ ମନ୍ତ୍ରୀ ପ୍ରତାପ ଜେନା ଏହାର ଦୃଢ଼ ଜବାବ ଦେଇଛନ୍ତି। କେନ୍ଦ୍ର ସରକାର ଓଡ଼ିଶାକୁ ଯେତିକି ହକ୍‌ ଦେବା କଥା ତାହା ଦେଉ ନଥିବା କହିଛନ୍ତି ମନ୍ତ୍ରୀ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ହାଉସିଙ୍ଗ ଫର ଅଲ୍ ୨୦୨୨’ର ଲକ୍ଷ୍ୟ ହାସଲ କରିବା ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସମସ୍ତଙ୍କୁ ପକ୍କା ଘର ଯୋଗାଇଦେବେ ବୋଲି କହିଥିଲେ। ଏହି ଯୋଜନାରେ ଓଡିଶାରେ ୧୬ ଲକ୍ଷରୁ ଅଧିକ ପକ୍କା ଘର ନିର୍ମାଣ ହେବା ପରେ ବି ରାଜ୍ୟସରକାର ଅଗଣତାନ୍ତ୍ରିକ ଭାବେ ଯୋଜନାର ନାମ ବଦଳାଇଛନ୍ତି। ‘ମୋ ଆବାସ’ ନାଁରେ ରାଜ୍ୟବାସୀଙ୍କୁ ଠକି ଚାଲିଛନ୍ତି।

ଏହାର ପ୍ରତିବାଦରେ ବିଜେପି ପକ୍ଷରୁ ରାଜଭବନ ଆଗରେ ଧାରଣା ଓ ପ୍ରତିବାଦ ସଭା କରାଯାଇଥିଲା। ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପ୍ରତିବାଦ ସଭାରେ ବିଜେପି ନେତାମାନେ ସାମିଲ ହୋଇ ପ୍ରତିବାଦ କରିଥିଲେ।

ଏହାପରେ ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ୭୦ ଜଣିଆ ପ୍ରତିନିଧି ଦଳ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଥିଲେ।

‘‘ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ନାଁ କାଟି ରାଜ୍ୟସରକାର ବିଜୁ ପକ୍କାଘର କହି ରାଜ୍ୟବାସୀଙ୍କୁ ଭୁଆଁ ବୁଲାଉଛନ୍ତି।  ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ନାଁ କାଟି ରାଜ୍ୟସରକାର ଏହାକୁ ନିଜ ଲୋଗରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଓ ବିଜୁ ପକ୍କା ଘରର ଫଟୋ ଲଗାଇ ମୋ ଆବାସ ଲେଖି କାର୍ଯ୍ୟାଦେଶ ବଣ୍ଟନ କରୁଛନ୍ତି। ସେହିପରି ସମସ୍ତେ ଘର ପାଇବେ ବୋଲି ଯେଉଁ ସର୍ଭେ ଚାଲିଛି ସେଥିରେ ମଧ୍ୟ ଚଞ୍ଚକତା ରହିଛି। ଘର କରାଇଦେବା ନାଁରେ ବିଜେଡି ନେତାମାନେ ପିସି ଆଦାୟ କରୁଛନ୍ତି’’, ଏମିତି ସାଂଘାତିକ ଅଭିଯୋଗ କରିଛି ବିଜେପି।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ବିରୋଧରେ ଗତ ୨୭ ତାରିଖରେ ବିଜେପି ପକ୍ଷରୁ ରାଜ୍ୟର ସମସ୍ତ ବ୍ଲକ, ଏନ୍ଏସି, ମ୍ୟୁନିସିପାଲିଟି କର୍ପୋରେସନ୍ ଆଗରେ ବିକ୍ଷୋଭ କରିବା ସହ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ବିଡିଓଙ୍କୁ ପ୍ରଦାନ କରିଥିଲା। ଏହାପରେ ବି ରାଜ୍ୟସରକାର ଏଭଳି ଅନିୟମିତତା ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହାନ୍ତି ବୋଲି ବିଜେପି କହିଛି।

ବିଜେପିର ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ମନ୍ତ୍ରୀ ପ୍ରତାପ ଜେନା। ସେ କହିଛନ୍ତି ଯେ କେନ୍ଦ୍ର ସରକାର ଯେତିକି ଅନୁଦାନ ଦେବା କଥା ତାହା ଓଡ଼ିଶାକୁ ଦେଉ ନାହାନ୍ତି। ଓଡ଼ିଶା ତାର ହକ୍‌ ପାଇବାକୁ ବଞ୍ଚିତ ହେଉଛି।

Comment