ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ବିଜେପୁର ଉପନିର୍ବାଚନ ପୂର୍ବରୁ ବିଜେପିରେ ଦେଖାଦେଇଛି ଅସନ୍ତୋଷ।

ଯାହା ଆକଳନ କରାଯାଉଥିଲା ତାହା ହିଁ ସତ ହେଲା। ବିଜେପୁର ବିଜେପିରେ ଅସନ୍ତୋଷ ତେଜିଲା। ବିଜେପୁର ଦଖଲ କରିବା ପାଇଁ ବିଜେପି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଥିବା ବେଳେ ଅଶୋକ ପାଣିଗ୍ରାହୀ ମୁହଁ ଖୋଲି ଦଳରେ ଅସନ୍ତୋଷ ବଢ଼ାଇଛନ୍ତି। ବିଜେପି ତାଙ୍କୁ ଅଣଦେଖା କରୁଥିବା ଅଶୋକ କହିଛନ୍ତି।

‘‘ବିଜେପି ମତେ ଅଣଦେଖା କରୁଛି। ବିଜେପୁର ଉପନିର୍ବାଚନ ପାଇଁ ମତେ ଦଳ କୌଣସି ଦାୟିତ୍ୱ ଦେଇନି। ୨୦୧୯ ସାଧାରଣ ନିର୍ବାଚନ ବେଳେ ବି ମତେ କୌଣସି ଦାୟିତ୍ୱ ଦିଆଯାଇ ନଥିଲା। ଦାମ ବାବୁଙ୍କୁ ଯେମିତି ଅଣଦେଖା କରାଯାଉଛି ମତେ ସେମିତି କରାଯାଉଛି। ଦଳ କାହାକୁ ପ୍ରାର୍ଥୀ କଲା ସେଥିରେ ମୋର କିଛି ଅସୁବିଧା ନାହିଁ’’, କହିଛନ୍ତି ଅଶୋକ ପାଣିଗ୍ରାହୀ।

ଅଶୋକଙ୍କ ଏହି ମନ୍ତବ୍ୟ ବିଜେପି ଶିବିରରେ ହଟଚମଟ ସୃଷ୍ଟି କରିଛି। ଅଶୋକଙ୍କୁ ଦଳ ଅଣଦେଖା କରି ନଥିବା ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି।

‘‘ଦଳ ତାଙ୍କୁ ଅଣଦେଖା କରିନି। ସେ କୌଣସି କାର୍ଯ୍ୟକ୍ରମକୁ ଆସିବେନି। ଓଲଟା ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ଦୋଷ ଲଦିବେ। ତାଛଡ଼ା ଦଳ ଜଣକୁ ଟିକେଟ ଦେବ। ମନଦୁଃଖ କରି ଘରେ ବସିଲେ କିଛି ଲାଭ ନାହିଁ। ଘରେ ବସିଲେ ନିଜର କ୍ଷତି’’, କହିଛନ୍ତି ପ୍ରଦୀପ୍ତ ନାୟକ।

ବିଜେପି ଟିକେଟ ସନତ ଗଡ଼ତିଆ ନେବା ଦିନରୁ ହିଁ ଅଶୋକ ପାଣିଗ୍ରାହୀ ଚର୍ଚ୍ଚାରେ ରହିଥିଲେ। ଗତ କିଛିଦିନ ତଳେ ଅଶୋକ ନିଜ ସମର୍ଥକଙ୍କୁ ନେଇ ବିଜେପୁରରେ ଏକ ବୈଠକ କରିଥିଲେ। ଏହି ବୈଠକରୁ ହିଁ ସ୍ପଷ୍ଟ ହୋଇଥିଲା କି ଅଶୋକ ବିଜେପି ଛାଡ଼ିବା ପାଇଁ ପ୍ରସ୍ତୁତ ହେଉଛନ୍ତି।

୨୦୧୮ ଉପନିର୍ବାଚନରେ ଅଶୋକ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କ ବିପକ୍ଷରେ ପ୍ରାର୍ଥୀ ହୋଇଥିଲେ ଅଶୋକ। ଅଶୋକ ୪୦ ହଜାରରୁ ଅଧିକ ଭୋଟ ପାଇ ପରାଜିତ ହୋଇଥିଲେ।

୨୦୧୯ ନିର୍ବାଚନରେ କିନ୍ତୁ ଅଶୋକଙ୍କୁ ଟିକେଟ ଦେଇ ନଥିଲା ଦଳ। ସନତ ଗଡ଼ତିଆଙ୍କୁ ପ୍ରାର୍ଥୀ କରିଥିଲା ବିଜେପି। ସନତ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ବିପକ୍ଷରେ ପ୍ରାର୍ଥୀ ହୋଇ ୫୩ ହଜାର ଭୋଟ ପାଇଥିଲେ।

ଅକ୍ଟୋବର ୨୧ରେ ହେବାକୁ ଉପନିର୍ବାଚନ ପାଇଁ ଅଶୋକ ଟିକେଟ ଆଶାୟୀ ଥିଲେ। ହେଲେ ତାଙ୍କୁ ଦଳ ଟିକେଟ ନଦେଇ ସନତଙ୍କ ଉପରେ ଭରସା କରିଛି। ଫଳରେ ଅଶୋକ ଅସନ୍ତୁଷ୍ଟ ହୋଇଥିବା କୁହାଯାଉଛି।

୨୦୧୮ ଉପନିର୍ବାଚନ ବେଳେ ବି ବିଜେପିରେ ଅସନ୍ତୋଷ ଦେଖାଦେଇଥିଲା। ଅଶୋକଙ୍କ ପ୍ରାର୍ଥିତ୍ୱକୁ ବିରୋଧ କରି ଜିଲ୍ଲା ବିଜେପି ସଭାପତି ନାରାୟଣ ସାହୁ ଦଳ ଛାଡ଼ିଥିଲେ। ଏବେ ଅଶୋକ ବିଜେପି ଛାଡ଼ିପାରନ୍ତି ବୋଲି ଚର୍ଚ୍ଚା ହେଉଛି।

Comment