ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ବିଜେପୁରରେ ବିଜେପି ପ୍ରାର୍ଥୀ ସନତ ଗଡ଼ତିଆଙ୍କ ପ୍ରଚାର କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ବିଜେପୁରରେ କ’ଣ ପାଇଁ ହେଉଛି ଉପନିର୍ବାଚନ? ନବୀନ ବାବୁ ହିଞ୍ଜିଳି ନଛାଡ଼ି କାହିଁକି ବିଜେପୁର ଛାଡ଼ିଲେ?

ବିଜେପୁର ପ୍ରଚାର ମଇଦାନରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଜି ଏମିତି କିଛି ପ୍ରଶ୍ନ ପଚାରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ବିଜେପୁରରେ ଜମିଲାଣି ନିର୍ବାଚନ ପ୍ରଚାର ମାହୋଲ। ବିଜେପି ପ୍ରାର୍ଥୀ ସନତ ଗଡ଼ତିଆଙ୍କ ପାଇଁ ଆଜି ବିଜେପୁର ପ୍ରଚାର ମଇଦାନକୁ ଓହ୍ଲାଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଧର୍ମେନ୍ଦ୍ର ଗାଇସିଲାଟ ବ୍ଲକର ତଲପାଲି ଅଞ୍ଚଳରେ ସଭା କରି ନବୀନଙ୍କୁ ସିଧା ପ୍ରଶ୍ନ କରିଥିଲେ।

ଧର୍ମେନ୍ଦ୍ର କହିଥିଲେ, ‘‘ଗତ ସାଧାରଣ ନିର୍ବାଚନରେ ବିଜେପୁରବାସୀ ମୁଖ୍ୟମନ୍ତ୍ରୀଙ୍କୁ ଭରସା କରି ଭୋଟ ଦେଇଥିଲେ। ‘ମୁଁ ବିଜେପୁରର ବିକାଶ କରିବି’ ବୋଲି ମୁଖ୍ୟମନ୍ତ୍ରୀ ନିର୍ବାଚନ ପ୍ରଚାରରେ କହିଥିଲେ। କିନ୍ତୁ ବିଜେପୁରରେ ବିଜୟ ହାସଲ କରିବା ପରେ ମଧ୍ୟ ଏଠାରେ ବିକାଶ କୁଆଡେ ଗଲା? ନବୀନ ବାବୁ ଶେଷରେ ବିଜେପୁର ଛାଡ଼ିକି ପଳାଇଗଲେ।’’

‘‘ସମସ୍ତଙ୍କ ମୁଣ୍ଡ ଉପରେ ଘର। ସବୁ ଘରେ ପାଇଖାନା। ପିଇବା ପାଣି, ଘରକୁ ବିଜୁଳି ଓ ଉଜ୍ଜଳା ଗ୍ୟାସର ଦାୟିତ୍ୱ ନେବାର ବ୍ୟକ୍ତିତ୍ୱ ହେଲେ ନରେନ୍ଦ୍ର ମୋଦୀ। ଯିଏ କାମ କରୁଛି ତାକୁ ଭରସା କରିବା ଦରକାର। ଦେଶରେ ନରେନ୍ଦ୍ର ମୋଦୀଙ୍କ ହାତମୁଠାକୁ ଟାଣ କରିବାର ଆବଶ୍ୟକତା ରହିଛି। ବିଜେପୁରରେ ଧାନର ଏମଏସ୍‌ପି ମୂଲ୍ୟ ଦେଢ ଗୁଣା ବୃଦ୍ଧି କରିବା ପରେ ମଧ୍ୟ ଏଠାରେ ଧାନର ମୂଲ୍ୟ କୁଇଣ୍ଟାଲ୍ ପିଛା ୧୨୦୦ରେ ବିକ୍ରି ହେଉଛି। ଏଠାରେ ଚାଷୀଙ୍କ ପରିବର୍ତ୍ତେ ମୁଖ୍ୟମନ୍ତ୍ରୀ ଓ ନେତାଙ୍କ ପାଖ ଲୋକ କାଳିଆ ଟଙ୍କା ପାଇଥିବା ଜଣାପଡିଛି’’, କହିଥିଲେ ଧର୍ମେନ୍ଦ୍ର।

ମୋ’ ସରକାର ଯୋଜନାକୁ ସମାଲୋଚନା କରି ଧର୍ମେନ୍ଦ୍ର କହିଥିଲେ ଯେ ପୂର୍ବରୁ ରାଜ୍ୟରେ କାହା ସରକାର ଥିଲା? ଦୁର୍ନୀତିଗ୍ରସ୍ତ ଲୋକଙ୍କର ସରକାର ଥିଲା ନା ଚିଟଫଣ୍ଡ ଘୋଟାଲାକାରୀଙ୍କର? କାହଁକି ବିଜେପୁରବାସୀଙ୍କ ଭରସାକୁ ନବୀନ ବାବୁ ପ୍ରତାରଣା କଲେ ବୋଲି ଧର୍ମେନ୍ଦ୍ର ପଚାରିଛନ୍ତି।

ଧର୍ମେନ୍ଦ୍ର ଆହୁରି କହିଛନ୍ତି ଯେ ବିଜେପୁରରେ ଚାଷୀଙ୍କ ପାଇଁ ଜଳସେଚନର ବ୍ୟବସ୍ଥା ନାହିଁ। ଗଙ୍ଗାଧର ଜଳସେଚନ ପ୍ରକଳ୍ପ ହୋଇପାରିଲା ନାହିଁ। ଯୁବକଙ୍କୁ ରୋଜଗାର ମିଳିଲା ନାହିଁ। ତା’ହେଲେ ମୁଖ୍ୟମନ୍ତ୍ରୀ ବିଜେପୁରର କେଉଁ ଦାୟିତ୍ୱ ନେଇଥିଲେ?

ଧର୍ମେନ୍ଦ୍ର ଆଜି ଗାଇସିଲାଟ, ବିଜେପୁର ଏବଂ ବରପାଲି ବ୍ଲକରେ ସଭା କରି ବିଜେପି ପ୍ରାର୍ଥୀ ସନତ ଗଡ଼ତିଆଙ୍କ ପାଇଁ ପ୍ରଚାର କରିଥିଲେ।

ଏହି ସଭାରେ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କ ସମେତ ବରିଷ୍ଠ ନେତା କନକ ବର୍ଦ୍ଧନ ସିଂହଦେଓ, ପ୍ରଦୀପ ପୁରୋହିତ, କୁସୁମ ଟେଟେ, ସୁରେଶ ପୂଜାରୀ ପ୍ରମୁଖ ଯୋଗ ଦେଇଥିଲେ।

Comment