ଓଡ଼ିଶାଲାଇଭ୍ ବ୍ୟୁରୋ
ବିଶ୍ୱ ଅଣ୍ଡା ଦିବସ ଅବସରରେ ଶୁକ୍ରବାର ଓୟୁଏଟିର ପଶୁ ଚିକିତ୍ସା କଲେଜରେ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି। ପ୍ରାଣୀସମ୍ପଦ ବିକାଶ ଓ ରାଜ୍ୟ କୁକୁଡ଼ା ଚାଷୀ ସଂଘ ପକ୍ଷରୁ ମିଳିତ ଭାବେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ କୃଷି, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ଡକ୍ଟର ଅରୁଣ ସାହୁ ଯୋଗଦେଇ କହିଥିଲେ, “କୁକୁଡ଼ା ପାଳନ ଚାଷୀମାନଙ୍କ ପାଇଁ ବେଶ୍ ଲାଭଦାୟକ। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ସରକାର କୁକୁଡ଼ା ଚାଷୀଙ୍କୁ ବିଭିନ୍ନ ପ୍ରକାରର ରିହାତି ଯୋଗାଇ ଦେଉଛନ୍ତି। ଯାହା ଦ୍ୱାରା ସେମାନଙ୍କର ଆୟ ବୃଦ୍ଧି ହୋଇପାରୁଛି।”
ଏହାସହ ସେ କହିଥିଲେ ଯେ, ରାଜ୍ୟ ସରକାରଙ୍କ କୃଷି ଉଦ୍ୟୋଗ ଯୋଜନା ଆଧାରରେ ସାଧାରଣ ବର୍ଗର ଲୋକଙ୍କୁ ୪୦ ପ୍ରତିଶତ ରିହାତି ସହ ଏସସି,ଏସଟି ଶ୍ରେଣୀର ଲୋକଙ୍କୁ ୫୦ ପ୍ରତିଶତ ରିହାତି ଯୋଗାଇ ଦିଆଯାଉଛି। ଏହାସହ ବିଭିନ୍ନ ସ୍ଵୟଂ ସହାୟକ ଗୋଷ୍ଠୀମାନଙ୍କୁ କୁକୁଡ଼ା ପାଳନ ପାଇଁ ରିହାତି ଯୋଗାଇ ଦିଆଯାଉଛି।
ଏହି ଉତ୍ସବରେ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ଉପଦେଷ୍ଟା ମାନସ ରଞ୍ଜନ ମଙ୍ଗରାଜ ମଧ୍ୟ ଯୋଗ ଦେଇଥିଲେ। ତାଙ୍କ ସହ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶର କମିଶନର ଆର. ରଘୁପ୍ରସାଦ, ପ୍ରାଣୀ ପାଳନ ଓ ପ୍ରାଣୀ ଚିକିତ୍ସା ବିଭାଗ ନିର୍ଦ୍ଦେଶକ ରତ୍ନାକର ରାଉତ ପ୍ରମୁଖ ଯୋଗ ଦେଇଥିଲେ।
ଅଣ୍ଡା କିପରି ଆମ ଶରୀର ପାଇଁ ଉପଯୋଗୀ ଓ ଏହି କିଭଳି ଆମ ସମାଜରୁ ପୃଷ୍ଟିହୀନତାକୁ ଦୂର କରିପାରିବ ସେ ସମ୍ବନ୍ଧରେ ଏହି କାର୍ଯ୍ୟକ୍ରମରେ ଆଲୋଚନା ହୋଇଥିଲା।
ଓୟୁଏଟିର କୁଳପତି ଡକ୍ଟର ପବନ କୁମାର ଅଗ୍ରୱାଲ କହିଥିଲେ ଏଭଳି କାର୍ଯ୍ୟକ୍ରମ ଦ୍ୱାରା ଲୋକଙ୍କ ମନରେ ବେଶ ଉତ୍ସାହ ଜନ୍ମିପାରିବ।