ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଓଲିଉଡର ଏବଂ ଯଲିଉଡ ଜଗତରେ ହର ପଟ୍ଟନାୟକ ବେଶ୍‌ ଲୋକପ୍ରିୟ। ଓଲିଉଡର ବହୁ କଳାକାର ଯଲିଉଡକୁ ଯାଇଛନ୍ତି। ଓଲିଉଡରେ ଲୋକପ୍ରିୟତା ହାସଲ କରିବା ପରେ କେତେକ କଳାକାର ଯାତ୍ରାରେ ଯୋଗ ଦେଇ ବି ଅଭିନେତା ଭାବେ ସଫଳ ହୋଇଛନ୍ତି। ଆଉ କେତେକ ଓଡ଼ିଆ ସିନେ ନିର୍ଦ୍ଦେଶକ ପରେ ଯାତ୍ରାଜଗତରେ ବି ନିର୍ଦ୍ଦେଶନା ଦେଇ ଚର୍ଚ୍ଚିତ ହୋଇଛନ୍ତି।

ଏହି ଦିବଙ୍ଗତ କଳାକାର ଓଲିଉଡରେ ଖଳନାୟକ ଭାବେ ଖୁବ୍ ଲୋକପ୍ରିୟ ଥିଲେ। କିନ୍ତୁ ଯାତ୍ରା ଜଗତରେ ସେ ନିର୍ଦ୍ଦେଶକ ଭାବେ ଅଧିକ ସଫଳତା ହାସଲ କରିଥିଲେ। ଏହି ଦିବଙ୍ଗତ କଳାକାର ହେଲେ ହର ପଟ୍ଟନାୟକ ।

ପ୍ରଖ୍ୟାତ ନିର୍ଦ୍ଦେଶକ ଶିଶିର ମିଶ୍ରଙ୍କ ନିର୍ଦ୍ଦେଶିତ ‘ସୁନାସଂସାର’ ସିନେମାରୁ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ପ୍ରବେଶ କରିଥିଲେ। ଏଥିରେ ସେ ସହକାରୀ ନିର୍ଦ୍ଦେଶକ ହେବା ସହ ଏକ ସଂକ୍ଷିପ୍ତ ଭୂମିକା ବି ନିଭାଇଥିଲେ। ଓଡ଼ିଆ ସିନେମାରେ ଖଳନାୟକ ଭୁମିକା ତାଙ୍କୁ ମିଳୁଥିଲା। ଖଳନାୟକ ଭୂମିକାରେ ବି ଲୋକମାନେ ତାଙ୍କୁ ବେଶ୍‌ ପସନ୍ଦ କରୁଥିଲେ।

ହର ପଟ୍ଟନାୟକଙ୍କ ଅଭିନୀତ କେତୋଟି ଲୋକପ୍ରିୟ ସିନେମା ହେଲା ‘ଜୋର ଯାର ମୁଲକ ତା’ର’, ‘ସୁନା ଚଢ଼େଇ’, ‘ବସ୍ତ୍ରହରଣ’, ‘ପୁଅ ମୋର କଳା ଠାକୁର’, ‘ପରଦେଶୀ ଚଢ଼େଇ’, ‘ଘର ମୋର ସ୍ୱର୍ଗ’, ‘ସାକ୍ଷୀ ରହିଲା ଏ ଶଙ୍ଖା ସିନ୍ଦୁର’, ‘ଅଣ୍ଟି ଛୁରୀ ତଣ୍ଟି କାଟେ’, ‘ସୁନା ପଞ୍ଜୁରି’, ‘ସୁନା ଶଂଖାଳୀ’, ‘ସୁନା ହରିଣୀ’, ‘କଳ୍‌କୀ ଅବତାର’, ‘ନାରୀ ବି ପିନ୍ଧିପାରେ ରକ୍ତ ସନ୍ଦୂର’, ‘ମୋ’ କୋଳ ତୋ’ ଝୁଲଣା’, ‘ସୁହାଗ ସିନ୍ଦୂର’, ‘ବାହୁଡ଼ିବେ ମୋ ଜଗାବଳିଆ’, ‘ଆଇ ଲଭୟୁ’, ‘ଏ ଯୁଗର କୃଷ୍ଣ ସୁଦାମା’, ‘ସାବତ ମା’, ‘ଧର୍ମ ସହିଲେ ହେଲା’ ଏବଂ ‘ଓମ୍ ସାଇରାମ୍’।

ଯାତ୍ରା ଜଗତରେ ହର ପଟ୍ଟନାୟକଙ୍କ ପ୍ରବେଶ ଆକସ୍ମିକ ଥିଲା। ତାଙ୍କର ପ୍ରଥମ ଯାତ୍ରା ନାଟକ ହେଲା ’ଚାଲ ମା’ ଯିବା ଜହ୍ନ ରାଇଜକୁ’। ଏହା ଓଡ଼ିଶା ଅପେରାର ଏକ ସୁପରହିଟ୍ ନାଟକ। ଏହି ନାଟକର ରଚନା ଓ ନିର୍ଦ୍ଦେଶନା ଦେଇଥିଲେ ହର ପଟ୍ଟନାୟକ।

‘ଚାଲ ମା’ ଯିବା ଜହ୍ନ ରାଇଜକୁ’ ପରେ ହର ପଟ୍ଟନାୟକ ଓଲିଉଡ ସାଙ୍ଗକୁ ଯଲିଉଡରେ ବି ସକ୍ରିୟ ହେଲେ। ସେ ଯଲିଉଡରେ ଜଣେ ସଫଳ ନିର୍ଦ୍ଦେଶକ ହେବାର ସୌଭାଗ୍ୟ ଲାଭ କରିଥିଲେ। ହରଙ୍କ ନିର୍ଦ୍ଦେଶିତ ସଫଳ ଯାତ୍ରା ନାଟକଗୁଡ଼ିକ ହେଲା- ଡିସିପି ରମା, କାନ ମୋଡ଼ି ଦେଲେ ସତ କହିବି। ଏଗୁଡ଼ିକର ପ୍ରଯୋଜନା କରିଥିଲେ ଓଡ଼ିଶା ଅପେରା।

ଅନ୍ୟ ନାଟକଗୁଡ଼ିକ ମଧ୍ୟରେ ରହିଛି ଶୁଭଶ୍ରୀ ଗଣନାଟ୍ୟର ‘କେହି ନାହିଁ ଯାହାର, ରାଜା ଭାଇ ତାହାର’, ଧରିତ୍ରୀ ଅପେରା ପ୍ରଯୋଜିତ ଧରିତ୍ରୀ ଧରିଛି ଧର୍ମନିକିତି, କାରଗିଲରୁ ଚିଠି ଆସିଛି, ଲୁଚିଛି ନା ଗୋଡ଼ ଦି’ଟା ଦିଶୁଛି, ବାପା ଯାଇଛନ୍ତି ଥାନାକୁ, ଚନ୍ଦ୍ରଭାଗା ଗଣନାଟ୍ୟର ଚାନ୍ଦ ହଜିଗଲା ଚନ୍ଦ୍ରଭାଗାରେ, ଶୁଭମ୍ ଅପେରାର ଯଥା ରାମସ୍ୟ ସୀତା, ଗାୟତ୍ରୀ ଗଣନାଟ୍ୟର ବାଦୁଡ଼ି ମାତିଛି, ତ୍ରିନାଥ ଗଣନାଟ୍ୟର ମଣିଷ ଗଛ, ତୁଳସୀ ଗଣନାଟ୍ୟର ଆଭାରେ ସୁଦାମ ବାହାରେ କୃଷ୍ଣ, ପାର୍ବତୀ ଗଣନାଟ୍ୟର ମିଛ ଦୁନିଆଁରେ ଗୋଟିଏ ସତ, ନିୟତି ଗଣନାଟ୍ୟ ପ୍ରଯୋଜିତ ମୁଁ ଇଂଲିଶ ମିଡିଅମ୍‌ର ଝିଅ ଓ ଧଉଳି ଗଣନାଟ୍ୟର ଆଜି ରାତିକ ପାଇଁ।

Comment