ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ: ଏସ୍‌ସିବି ମେଡିକାଲ ମେଡିସିନ୍ ବିଭାଗ ତଥା ନ୍ୟୁ ମେଡିସିନ୍ ୱାର୍ଡରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ଜଣେ ଅସହାୟ ବୃଦ୍ଧ ରୋଗୀ ୪ ମହଲାରୁ ଖସି ପ୍ରାଣ ହରାଇଛନ୍ତି। ଏହି ବୃଦ୍ଧଙ୍କ ନାମ ବସନ୍ତ ଜେନା(୭୩)। ତାଙ୍କ ଘର ବାଲେଶ୍ୱର ଅଞ୍ଚଳର ବେଲି ଜଣାଯାଇଛି। ବୃଦ୍ଧ ଜଣକ କେଉଁ ପରିସ୍ଥିତିରେ ୱାର୍ଡ ଭିତରୁ ଝରକା ପଟେ ଥିବା ଫାଙ୍କରେ ବାହାରକୁ ବାହାରି ୩ ମହଲା ଉପରୁ ଖସି ରାସ୍ତାରେ ପଡ଼ିଲେ ତାହା ଏବେ ରହସ୍ୟମୟ ହୋଇରହିଛି। ଉକ୍ତ ଘଟଣାକୁ ନେଇ ଏବେ ଏସ୍‌ସିବି ଡାକ୍ତରଖାନାରେ ହଇଚଇ ସୃଷ୍ଟି ହୋଇଛି।

ବାଲେଶ୍ୱର ଡାକ୍ତରଖାନାରୁ ୧୦୮ ଆମ୍ବୁଲାନ୍ସ ଅସହାୟ ବୃଦ୍ଧ ବସନ୍ତ ଜେନାଙ୍କୁ ଚିକିତ୍ସା ପାଇଁ ଗତ ୭ ତାରିଖରେ ଆଣି ଏସ୍‌ସିବି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ବାର୍ଦ୍ଧକ୍ୟଜନିତ ରୋଗରେ ଆକ୍ରାନ୍ତ ଥିବା ବୃଦ୍ଧଙ୍କର କେହି ସମ୍ପର୍କୀୟ ନଥିବାରୁ ତାଙ୍କୁ ନ୍ୟୁ ମେଡିସନ୍ ୱାର୍ଡର ଅସହାୟଙ୍କ ଚିକିତ୍ସା ଲାଗି ଥିବା ଡେଷ୍ଟିଚ୍ୟୁଟ୍ ୱାର୍ଡରେ ଭର୍ତ୍ତି କରଯାଇଥିଲା।

୭ତାରିଖରୁ ଏଠାରେ ବସନ୍ତ ଭର୍ତ୍ତି ହୋଇଥିଲେ ମଧ୍ୟ ତାଙ୍କୁ ଏଠାରେ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ମିଳିପାରୁନଥିଲା ବୋଲି ଅନ୍ୟ ରୋଗୀ ସମ୍ପର୍କୀୟମାନେ ଅଭିଯୋଗ କରିଛନ୍ତି। ଏମିତିକି ଅସହାୟ ରୋଗୀଙ୍କୁ ଦେଖାଶୁଣା କରିବା ପାଇଁ ନିୟୋଜିତ ଘରୋଇ ସଂସ୍ଥାର କର୍ମଚାରୀମାନେ ବସନ୍ତଙ୍କୁ ସହାୟତା ଯୋଗାଇଦେବା ତ ଦୂରର କଥା କେହି ତାଙ୍କୁ ଆଡ଼ ଆଖିରେ ମଧ୍ୟ ଚାହିଁ ନଥିଲେ। ଏପରିସ୍ଥଳେ ରୋଗ ଯନ୍ତ୍ରଣାରେ ବସନ୍ତ ବହୁ ହୀନସ୍ତା ହେବା ସହ ଛଟପଟ ମଧ୍ୟ ହେଉଥିଲେ। ଚିକିତ୍ସା ଏବଂ ସ୍ୱାସ୍ଥ୍ୟସେବା ଆଦି ସୁବିଧା ନଥାଇ ଅସହାୟ ଅବସ୍ଥାରେ ୱାର୍ଡରେ ପଡ଼ିଥିବା ବସନ୍ତ ଆଜି ଅପରାହ୍ଣରେ ୩ ମହଲା ଉପରୁ ଝରକା ପଟେ ଆକସ୍ମିକ ଭାବେ ଖସି ରାସ୍ତାରେ ପଡ଼ିଥିଲେ।

ଉପର ମହଲାରୁ ବୃଦ୍ଧ ତଳେ ପଡ଼ିବା ପରେ ଅନ୍ୟ ରୋଗୀ ସମ୍ପର୍କୀୟମାନେ ଘଟଣାସ୍ଥଳରେ ରୁଣ୍ଡ ହୋଇଯାଇଥିଲେ। ଏହି ଘଟଣାକୁ ନେଇ ଡାକ୍ତରଖାନା ପରିସରରେ ଧାଁ ଧପଡ଼ ଚାଲିବା ସହ ନ୍ୟୁ ମେଡିସିନ୍ ୱାର୍ଡ ନିକଟରେ କୋଳାହଳମୟ ଲାଗି ରହିଥିଲା। ଅସହାୟ ରୋଗୀଙ୍କ ମୃତ୍ୟୁ ଘଟଣା ପ୍ରଘଟ ହେଲେ କାଳେ ଅଡୁଆ ପରିସ୍ଥିତି ସୃଷ୍ଟି ହେବ ଏଥିପାଇଁ ମେଡିକାଲ ପ୍ରଶାସନ ପୋଲିସ୍ ଡକାଇ ତରବର ହୋଇ ଘଟଣାସ୍ଥଳରୁ କର୍ମଚାରୀଙ୍କ ସହାୟତାରେ ମୃତଦେହକୁ ଉଠାଇ ନେଇ ଶବ ସଂରକ୍ଷଣ ପ୍ରକୋଷ୍ଠ ରଖିଥିଲେ।

ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣେ ଅସହାୟ ରୋଗୀ ଝରକା ବାଟେ ଖସି ୩ ମହଲା ଉପରୁ ପ୍ରାଣ ହରାଇବା ପରି ଏକ ସମ୍ବେଦନଶୀଳ ଘଟଣାକୁ ଏସ୍‌ସିବି କର୍ତ୍ତୃପକ୍ଷ ଅତି ହାଲୁକା ଭାବେ ନେଇଛନ୍ତି। କେଉଁ ପରିସ୍ଥିତିରେ ଅସହାୟ ରୋଗୀ ଜଣଙ୍କ ଝରକା ବାଟେ ବାହାରକୁ ଖସି ପଡ଼ିଲେ ସେ ଦିଗରେ ଜାଣିବା ପାଇଁ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ପକ୍ଷରୁ ଅନୁଧ୍ୟାନ କରାନଯାଇ ସବୁ ଦୋଷ ଏବେ ମୃତକଙ୍କ ଉପରେ ଲଦି ଦିଆଯାଇଛି।

ଝରକା ଗ୍ରୀଲ୍‌କୁ ବୃଦ୍ଧ ଜଣକ ହାତରେ ବଙ୍କା କରି ତଳକୁ ଡେଇଁ ପଡ଼ିଥାଇପାରନ୍ତି ବୋଲି ଅବାସ୍ତବ କଥା ଡାକ୍ତରଖାନା କର୍ତ୍ତୃପକ୍ଷ ସଫେଇ ଦେଉଛନ୍ତି। ଡାକ୍ତରଖାନା କର୍ତ୍ତୃପକ୍ଷ ଯେଉଁ ତଥ୍ୟ ରଖିଛନ୍ତି ତାହା ଜଣେ ୭୩ ବର୍ଷର ବୃଦ୍ଧ ରୋଗୀଙ୍କ କ୍ଷେତ୍ରରେ ଅସମ୍ଭବ ବୋଲି ସାମାଜିକ କର୍ମୀ ଅଚ୍ୟୁତ ସାହୁ କହିଛନ୍ତି।

ଅନ୍ୟପକ୍ଷରେ ମଙ୍ଗଳାବାଗ ଥାନା ପୋଲିସ୍ ଘଟଣାସ୍ଥଳରେ ବୃଦ୍ଧଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ କରଛି। ଘଟଣାରେ ମଙ୍ଗଳାବାଗ ଥାନା ପୋଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

Comment