ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟ ସରକାରଙ୍କୁ ବଡ଼ ଝଟ୍‌କା ଦେଲେ ଘରୋଇ ନର୍ସିଂହୋମ। ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନା ନର୍ସିଂହୋମଗୁଡ଼ିକରେ ଲାଗୁ ହେବନି ବୋଲି ଓଡ଼ିଶା ପ୍ରାଇଭେଟ୍‌ କ୍ଲିନିକାଲ ଏଷ୍ଟାବ୍ଲିସମେଣ୍ଟ ଫୋରମ୍‌ ସଫା ସଫା କହିଛି।

ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନାରେ ରୋଗୀଙ୍କୁ ସେବା ଯୋଗାଇ ଦେଲେ ଠିକ୍‌ ସମୟରେ ବୀମା ଟଙ୍କା ମିଳୁ ନଥିବା ଫୋରମ୍‌ ଅଭିଯୋଗ କରିଛି। ଏନେଇ ଫୋରମ୍‌ ସରକାରଙ୍କୁ ଚିଠି ଲେଖିଛି।

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସରକାରୀ ସମେତ ଘରୋଇ ନର୍ସିଂହୋମଗୁଡ଼ିକରେ ଲାଗୁ କରିଥିଲେ ରାଜ୍ୟ ସରକାର। ଯେଉଁମାନଙ୍କର ବିଜୁ ସ୍ୱାସ୍ଥ୍ୟ କଳ୍ୟାଣ ଯୋଜନା କାର୍ଡ ଥିଲା ସେମାନେ ଘରୋଇ ନର୍ସିଂହୋମରେ ମାଗଣାରେ ସ୍ୱାସ୍ଥ୍ୟ ସେବା ପାଉଥିଲେ। ଯେଉଁ ବୀମା କମ୍ପାନି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଦାୟିତ୍ୱରେ ଥିଲେ ସେମାନେ ହିଁ ସଂପୃକ୍ତ ନର୍ସିଂହୋମଗୁଡ଼ିକୁ ଟଙ୍କା ଦେବାର ନିୟମ ରହିଛି।

ହେଲେ ବୀମା କମ୍ପାନି ଠିକ୍‌ ସମୟରେ ଟଙ୍କା ଦେଉ ନଥିବାରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ଘରୋଇ ନର୍ସିଂହୋମରେ ଆଉ ଲାଗୁ କରାଯିବ ନାହିଁ ବୋଲି କହିଛି ଫୋରମ୍‌।

ସାଧାରଣ ଲୋକଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଲକ୍ଷ୍ୟରେ ଗତ ବର୍ଷ ଅଗଷ୍ଟ ୧୫ ତାରିଖରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଶୁଭାରମ୍ଭ କରିଥିଲେ ରାଜ୍ୟ ସରକାର। ପ୍ରାୟ ୭୦ ଲକ୍ଷ ପରିବାରକୁ ଏହି ଯୋଜନାରେ ସାମିଲ କରାଯାଇଥିଲା। କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନାକୁ ଲାଗୁ ନକରି ରାଜ୍ୟ ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆରମ୍ଭ କରିଥିଲେ।

ଏହି ଯୋଜନାରେ ଚିକିତ୍ସା ବାବଦରେ ପ୍ରତି ପରିବାରକୁ ୫ ଲକ୍ଷ ଟଙ୍କା ଏବଂ ମହିଳାମାନଙ୍କୁ ଅତିରିକ୍ତ ୨ ଲକ୍ଷ ଟଙ୍କା ଦିଆଯିବାର ବ୍ୟବସ୍ଥା ହୋଇଥିଲା।

Comment