ଓଡ଼ିଶାଲାଇଭ୍ ବ୍ୟୁରୋ

- ଲୋକକଳାକୁ ପ୍ରଧାନ୍ୟ ଦେଉଛନ୍ତି ରାଜ୍ୟ ସରକାର
- ଲୋକକଳା ପ୍ରଦର୍ଶନ ପାଇଁ ପ୍ରତି ବ୍ଲକ୍ରେ ନାଟ୍ୟ ମଣ୍ଡପ
- ଭୁବନେଶ୍ୱରରେ ନିର୍ମାଣ ହେବ ଲୋକକଳା ଭବନ
“ରାଜ୍ୟର ବିଭିନ୍ନ ଅଞ୍ଚଳର ଲୋକକଳାକୁ ପ୍ରାଧାନ୍ୟ ଦେବାକୁ ଯାଇ ପ୍ରତ୍ୟେକ ବ୍ଲକ୍ରେ ନିର୍ମାଣ କରାଯିବ ‘ନାଟ୍ୟ ମଣ୍ଡପ’। ସେହିପରି ରାଜଧାନୀ ଭୁବନେଶ୍ୱରରେ ଏକ ‘ଲୋକକଳା ଭବନ’ ନିର୍ମାଣ କରାଯିବ”, ଓଡ଼ିଆ ଭାଷା ସାହିତ୍ୟ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଏହି ବଡ଼ ଘୋଷଣା କରିଛନ୍ତି।

ପ୍ରତିବର୍ଷ ଭଳି ଚଳିତ ବର୍ଷ ଲକ୍ଷ୍ମୀପୂଜା ଅବସରରେ ଢେଙ୍କାନାଳ ଜିଲ୍ଲାରେ ଚତୁର୍ଥ ଜିଲ୍ଲାସ୍ତରୀୟ ଲୋକକଳା ମହୋତ୍ସବ ଆରମ୍ଭ ହୋଇଛି। ବିଭାଗୀୟ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଉତ୍ସବକୁ ଉଦ୍ଘାଟନ କରିଥିଲେ। ରାଜ୍ୟର ତୃଣମୂଳସ୍ତରରେ ଥିବା ଲୋକକଳା ପ୍ରତିଭାଙ୍କୁ କିଭଳି ପ୍ରୋତ୍ସାହନା ଦିଆଯିବ ସେନେଇ ସରକାର ସବୁବେଳେ ଉଦ୍ୟମ କରୁଛନ୍ତି ବୋଲି ମନ୍ତ୍ରୀ କହିଥିଲେ।
ଓଡ଼ିଶାର ଗାଁ ଗଣ୍ଡାରେ ଯେଉଁ ସବୁ ପାରମ୍ପରିକ ଲୋକ କଳାକାରମାନେ ଅଛନ୍ତି ସେମାନଙ୍କ କଳାର ପ୍ରଦର୍ଶନ ପାଇଁ ବ୍ଲକ୍ସ୍ତରରେ କୌଣସି ନାଟ୍ୟ ମଣ୍ଡପ ବା କାର୍ଯ୍ୟାଳୟ ନାହିଁ। ତେଣୁ ତୃଣମୂଳସ୍ତରରେ କଳାକାରମାନଙ୍କୁ ପ୍ରୋତ୍ସାହନ ଯୋଗାଇବା ସହ ସେମାନଙ୍କ ଦକ୍ଷତା ବିକାଶ ପାଇଁ ବ୍ଲକ୍ ସ୍ତରରେ ନାଟ୍ୟ ମଣ୍ଡପ ନିର୍ମାଣ କରାଯିବ। ଏହା ସରକାରଙ୍କ ଏକ ସମୟ ଉପଯୋଗୀ ପଦକ୍ଷେପ ବୋଲି ମନ୍ତ୍ରୀ କହିଥିଲେ।

“ପ୍ରତିଦିନ ରାଜ୍ୟର କୋଣ ଅନୁକୋଣରୁ ବହୁ ଲୋକକଳା ପ୍ରତିଭା ସରକାରୀ ତଥା ବେସରକାରୀ ଉତ୍ସବରେ ଯୋଗ ଦେବା ପାଇଁ ରାଜଧାନୀ ଭୁବନେଶ୍ୱରକୁ ଆସିଥାନ୍ତି। ଆର୍ଥିକ ସ୍ତରରେ ସ୍ୱଚ୍ଛଳ ନଥିବା ଏହି କଳାକାରମାନେ ରାଜଧାନୀରେ ରହଣି ପାଇଁ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ସେମାନଙ୍କ ସୁବିଧା ପାଇଁ ରାଜ୍ୟସ୍ତରରେ ଏକ ଲୋକକଳା ଭବନ ନିର୍ମାଣ କରାଯିବ, ଯେଉଁଠି କଳାକାରମାନଙ୍କୁ କମ୍ ଦରରେ ରହିବା ପାଇଁ ସୁବିଧା ମିଳିବ”, କହିଛନ୍ତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ।
ଢେଙ୍କାନାଳ ଜିଲ୍ଲା ଚତୁର୍ଥ ଲୋକକଳା ମହୋତ୍ସବ ଅକ୍ଟୋବର ୧୭ରୁ ଆରମ୍ଭ ହୋଇ ୧୯ ଯାଏଁ ଚାଲିବ। ଗୁରୁବାର ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ଏହି ଅବସରରେ ଢେଙ୍କାନାଳ ସହରର ସଂସ୍କୃତି ଭବନଠାରୁ ମହିଷାପାଟ ପଲ୍ଲିଶ୍ରୀ ମେଳା ପଡ଼ିଆ ପର୍ଯ୍ୟନ୍ତ ଦୀର୍ଘ ୪ କିଲୋମିଟର ଧରି ଏକ ଶୋଭାଯାତ୍ରା ହୋଇଥିଲା। ଏଥିରେ ୫ ହଜାରରୁ ଅଧିକ ପାରମ୍ପରିକ ଲୋକ କଳାକାର ସାମିଲ ହୋଇଥିଲେ।

ପାଲା, ଦାସକାଠିଆ, ସଂକୀର୍ତ୍ତନ, ଘୋଡ଼ାନାଚ ଏବଂ ଛଉ ଭଳି ପ୍ରଚୀନ ଓ ପାରମ୍ପରିକ ଲୋକକଳା ପ୍ରଦର୍ଶନ କରି ଏକ ବିରାଟ ଶୋଭାଯାତ୍ରାରେ କଳାକାରମାନେ ବାହାରିଥିଲେ। ତିନି ଦିନ ଧରି ଏହି ଲୋକକଳା ମହୋତ୍ସବ ଚାଲିବ। ଏଥିରେ କଳାକାରମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ମଧ୍ୟ କରାଯାଉଛି। ସେଥିରୁ ବଛାଯାଉଥିବା କଳାକାରମାନଙ୍କୁ ଉଦ୍ଯାପନୀ ଉତ୍ସବରେ ସମ୍ମାନିତ କରାଯିବ। ସେମାନଙ୍କୁ ମଧ୍ୟରୁ ଯିଏ ପ୍ରଥମ ସ୍ଥାନ ଅଧିକାର କରିବ ତାଙ୍କୁ ରାଜ୍ୟ ଲୋକକଳା ମହୋତ୍ସବରେ ମଧ୍ୟ ସୁଯୋଗ ମିଳିବ।

ଢେଙ୍କାନାଳ ସାଂସଦ ମହେଶ ସାହୁ, ପୂର୍ବତନ ମନ୍ତ୍ରୀ ନୃସିଂହ ଚରଣ ସାହୁ, ହିନ୍ଦୋଳ ବିଧାୟକ ସୀମାରାଣୀ ନାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ମୀନତି ନାୟକ, ଢେଙ୍କାନାଳ ଜିଲ୍ଲାପାଳ ଭୂମେଶ ଚନ୍ଦ୍ର ବେହେରା, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ନରୋତ୍ତମ ବେହେରା ଏବଂ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ରାଜ୍ୟ ପ୍ରକଳ୍ପ ସଂଯୋଜକ ବାସୁଦେବ ମାଳ ବିଷୋୟୀ ଏହି ମହୋତ୍ସବରେ ଉପସ୍ଥିତ ଥିଲେ।
ଅକ୍ଟୋବର ୧୯ରେ ଏହି କାର୍ଯ୍ୟକ୍ରମର ଉଦ୍ଯାପନୀ ଉତ୍ସବ ରହିଛି। ଏଥିରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକମ ରହିଛି।
ଢେଙ୍କାନାଳ ଜିଲ୍ଲାରେ ପାଖାପାଖି ୧୪ ପ୍ରକାର ଲୋକକଳା ରହିଛି। ଜିଲ୍ଲାରେ ପ୍ରାୟ ୩୫ ହଜାର କଳାକାର ସରକାରଙ୍କ କଳାକାର ସଂଘରେ ପଞ୍ଜୀକୃତ ଅଛନ୍ତି।

















