ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭଦ୍ରକରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ସ୍ମୃତି ରକ୍ଷା ଉଦ୍ଦେଶ୍ୟରେ ଏକ ସ୍ମାରକୀ ନିର୍ମାଣ କରାଯିବ। ଏନେଇ ସୂଚନା ଦେଇଛନ୍ତି ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ। ସ୍ମାରକୀ ସ୍ଥଳୀରେ ପ୍ରତିମୂର୍ତ୍ତି ସହ ଏକ ନାଟ୍ୟ ମଣ୍ଡପ, ଲାଇବ୍ରେରୀ ଓ ପାର୍କ ମଧ୍ୟ ନିର୍ମାଣ କରାଯିବ।

କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ‘ବନ୍ଦେ ଉତ୍କଳ ଜନନୀ’ ନିକଟରେ ରାଜ୍ୟ ସଙ୍ଗୀତର ମାନ୍ୟତା ଲାଭ ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ପ୍ରବଳ ଭାବପ୍ରବଣତା ପ୍ରକାଶ ପାଇଥିଲା। ଏହାକୁ ଆଖିରେ ରଖି ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏହି ସ୍ମାରକୀ ପ୍ରତିଷ୍ଠା ସହ ଭଦ୍ରକଠାରେ କାନ୍ତକବିଙ୍କ ଏକ ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ ଆଗେଇ ଆସିଛି।

ଏ ପ୍ରସଙ୍ଗରେ ଗୁରୁବାର ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ସ୍ମାରକୀ ନିର୍ମାଣ ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଛି।

ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଭଣ୍ଡାରୀପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ଭଦ୍ରକ ବିଧାୟକ ସଂଜୀବ କୁମାର ମଲ୍ଲିକ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ପର୍ଯ୍ୟଟନ ବିଭାଗ କମିଶନର ତଥା ଶାସନ ସଚିବ ବିଶାଲ କୁମାର ଦେବ, ସଂସ୍କୃତି ବିଭାଗର ଅତିରିକ୍ତ ଶାସନ ସଚିବ ତଥା ନିର୍ଦ୍ଦେଶକ ବିଜୟ କୁମାର ନାୟକ, ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ ପ୍ରମୁଖ ଯୋଗଦେଇଥିଲେ।

ଏହି ସ୍ମାରକୀ ନିର୍ମାଣ ପାଇଁ ଏକ ପ୍ରକୃଷ୍ଟ ସ୍ଥାନ ନିରୂପଣ କରି ବିଭାଗକୁ ଜଣାଇବା ପାଇଁ ଭଦ୍ରକ ଜିଲ୍ଲାପାଳଙ୍କ କୁହାଯାଇଛି। ଏହା ଆସନ୍ତା ଡିସେମ୍ବର ୯ ତାରିଖ କାନ୍ତକବିଙ୍କ ଜନ୍ମବାର୍ଷିକୀ ଅବସରରେ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯିବ। ଏହା ବ୍ୟତୀତ କାନ୍ତକବିଙ୍କ ଜନ୍ମସ୍ଥଳୀ ତିହିଡ଼ି ବ୍ଲକସ୍ଥିତ ତଳପଡ଼ାଠାରେ ମଧ୍ୟ ତାଙ୍କ ସ୍ମୃତିରକ୍ଷା ଉଦ୍ଦେଶ୍ୟରେ କେତେକ କାର୍ଯ୍ୟ ହାତକୁ ନିଆଯିବ।

Comment