ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ବିଜେପୁର, ବରପାଲି ବ୍ଲକରେ ଆଜି ନବୀନ କରିଛନ୍ତି ମାରାଥନ ପ୍ରଚାର।

ହାତରେ ଆଉ ଗୋଟିଏ ଦିନ। ବିଜେପୁରରେ ଶେଷ ହେବ ପ୍ରଚାର। ଏଥିପାଇଁ ସବୁ ରାଜନୀତିକ ଦଳର ପ୍ରାର୍ଥୀ ଦିନରାତି ଏକ କରି ଦେଇଛନ୍ତି। ସକାଳୁ ସନ୍ଧ୍ୟା ଯାଏଁ ପ୍ରଚାରରେ ବିଜେପୁର କମ୍ପୁଛି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁରରେ ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ ପ୍ରଚାର କରିଛନ୍ତି।  ହାଇଟେକ୍‌ ବସ୍‌ରେ ନବୀନ ବିଜେପୁର ଏବଂ ବରପାଲି ବ୍ଲକରେ ମାରାଥନ ପ୍ରଚାର କରିଛନ୍ତି।

ସ୍ୱତନ୍ତ୍ର ହେଲିକପ୍ଟରରେ ନବୀନ ଆଜି ପହଞ୍ଚିଥିଲେ ବରଗଡ଼ର ଲାଉମୁଣ୍ଡା ଅସ୍ଥାୟୀ ହେଲିପ୍ୟାଡ୍‌ରେ। ହେଲିକପ୍ଟରରୁ ନବୀନ ଓହ୍ଲାଇବା ପରେ ତାଙ୍କୁ ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କ ସମେତ ଅନ୍ୟ ବରିଷ୍ଠ ନେତାମାନେ ସ୍ୱାଗତ କରିଥିଲେ।

ନବୀନ ଏହାପରେ ହାଇଟେକ୍‌ ବସରେ ବସିଥିଲେ। ଆଗେ ଆଗେ ହାଇଟେକ୍‌ ବସ୍‌ ଗଡ଼ିଥିଲା ଏବଂ ପଛରେ ରୀତା ସାହୁ ଖୋଲା ଜିପ୍‌ରେ ସମର୍ଥକଙ୍କ ଗହଣରେ ଯାଉଥିଲେ। ବିଭିନ୍ନ ଛକରେ ହାଇଟେକ୍‌ ବସ୍‌ ଅଟକୁ ଥିଲା। ନବୀନ ବିଜେପୁରବାସୀଙ୍କୁ ଜୁହାର କରି ରୀତାଙ୍କ ପାଇଁ ଭୋଟ ମାଗିଥିଲେ।

‘‘ମୁଁ ଆଜି ଆପଣଙ୍କ ଅଞ୍ଚଳକୁ ଆସିଛି। ଆପଣମାନେ ଖୁସି ତ? ମୁଁ ବି ବହୁତ ଖୁସି। ମତେ ଆପଣମାନେ ଆଶୀର୍ବାଦ କରନ୍ତୁ ଏବଂ ରୀତା ସାହୁଙ୍କୁ ଭୋଟ ଦିଅନ୍ତୁ’’, କହିଥିଲେ ନବୀନ।

ନବୀନ ଆଜି ବିଜେପୁର ଏବଂ ବରପାଲିରେ ମାରାଥନ ପ୍ରଚାର କରିଥିଲେ। ଆଜି ରାତିରେ ନବୀନ ବରଗଡ଼ରେ ରହିବେ। ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।

ଶୁକ୍ରବାର ଦିନ ନବୀନ ପୁଣି ପ୍ରଚାର ମଇଦାନକୁ ଓହ୍ଲାଇବେ। ଗାଇସିଲାଟ ବ୍ଲକରେ ନବୀନ ପ୍ରଚାର କରିବେ। ଅପରାହ୍ଣ ସାଢ଼େ ୩ଟାରେ ଭୁବନେଶ୍ୱର ଫେରି ଆସିବେ।

‘‘ବିଜେପୁରବାସୀ ବିଜୁ ଜନତା ଦଳ ଏବଂ ନବୀନ ବାବୁଙ୍କ ପ୍ରତି ଯଥେଷ୍ଟ ସମର୍ଥନ ରଖିଛନ୍ତି। ଏଥର ବିଜେପୁରରେ ବିଜେଡି ନିଶ୍ଚିତ ଜିତିବ। ବିଜେପୁରର ବିକାଶ ହେବ’’, କହିଛନ୍ତି ରୀତା ସାହୁ।

୨୧ରେ ହେବ ବିଜେପୁର ଭୋଟ। ୧୯ ତାରିଖରେ ଶେଷ ହେବ ପ୍ରଚାର। ହାତରେ ଆଉ ଗୋଟିଏ ଦିନ ଥିବାରୁ ପ୍ରଚାର ମଇଦାନ ସରଗରମ ହୋଇଯାଇଛି। ବିଜେପି, କଂଗ୍ରେସର ହେଭିୱେଟ୍‌ ନେତା ବିଜେପୁରରେ ନିଜ ଦଳର ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି।

ବିଜେଡିର ବି ମାଳମାଳ ବିଧାୟକ, ମନ୍ତ୍ରୀ ଡେରା ପକାଇ ରୀତା ସାହୁଙ୍କ ପାଇଁ ପ୍ରଚାର କରିଛନ୍ତି। ୧୯ ତାରିଖରେ ପ୍ରଚାର ଶେଷ ହେଉଥିବାରୁ ନବୀନ ଆଜି ପ୍ରଚାର କରି କର୍ମୀଙ୍କ ମନରେ ଜୋସ୍‌ ଭରିଛନ୍ତି।

Comment