ଓଡ଼ିଶାଲାଇଭ୍ ବ୍ୟୁରୋ

ଖାଇବା ପୂର୍ବରୁ ହାତ ଧୋଇବା କଥା ସମସ୍ତେ ଜାଣିଥା’ନ୍ତି। ତେବେ କେତେକ ଲୋକ ବହୁ ସମୟ ଧରି ନିଜ ହାତକୁ ସଫା କରିଥା’ନ୍ତି ତ କିଏ ଖାଲି ପାଣିରେ ହାତ ଧୋଇଥା’ନ୍ତି। କିନ୍ତୁ ହାତ ଧୋଇବାର ନିର୍ଦ୍ଧିଷ୍ଟ ସମୟ ରହିଥାଏ। ଏହାର ଏକ ସ୍ୱତନ୍ତ୍ର ପ୍ରକ୍ରିୟା ମଧ୍ୟ ରହିଛି।

ହାତ ଧୋଇବା ପାଇଁ ଜଣେ ବ୍ୟକ୍ତିକୁ ଅତିକମ୍‌ରେ ୨୦ ସେକେଣ୍ଡ ସମୟ ନେବା ଆବଶ୍ୟକ। ଏହି ସମୟ ମଧ୍ୟରେ ହାତ ଧୋଇଲେ ଆମ ହାତ ରୋଗଜୀବାଣୁ କବଳରୁ ସୁରକ୍ଷିତ ହୋଇ ରହିପାରିବ।

ହାତ ଧୋଇବା ପ୍ରକିୟା

ପ୍ରଥମେ ଖାଲି ପାଣିରେ ହାତକୁ ଧୋଇ, ତା’ପରେ ହାତ ପାପୁଲିରେ ସାବୁନ କିମ୍ବା ସାନିଟାଇଜର୍ ଲଗାନ୍ତୁ।

ଧୀରେ ଧୀରେ ୨୦ ସେକେଣ୍ଡ ଯାଏଁ ଆଙ୍ଗୁଳି ସନ୍ଧିଗୁଡ଼ିକରେ ଭଲ ଭାବେ ରଗଡ଼ି ସଫା କରନ୍ତୁ।

ଏହା ପରେ ହାତକୁ ଧୋଇ ସଫା ତଉଲିଆରେ ପୋଛନ୍ତୁ।

ମନେ ରଖନ୍ତୁ

ରୋଷେଇ କରିବା, ଖାଦ୍ୟ ପରଷିବା ଏବଂ ଖାଇବା ପୂର୍ବରୁ ହାତ ଧୋଇବାକୁ ଭୁଲନ୍ତୁ ନାହିଁ।

ଶୌଚାଳୟ ଯିବା ପରେ ହାତ ଧୁଅନ୍ତୁ।

ଛିଙ୍କିବା, କାଶିବା ପରେ ହାତ ଧୋଇବା ଉଚିତ।

ଯେକୌଣସି ପ୍ରକାର ରାସାୟନିକ ପଦାର୍ଥ ବ୍ୟବହାର କରିବା ପରେ ମନେକରି ହାତ ଧୁଅନ୍ତୁ।

ଗୃହପାଳିତ ପଶୁ କିମ୍ବା ଯେକୌଣସି ପଶୁକୁ ଛୁଇଁଲେ ବା ତା’ର କୌଣସି କାମ କରିବା ପରେ ହାତକୁ ଭଲ ଭାବରେ ଧୁଅନ୍ତୁ।

ଅସୁସ୍ଥ ଲୋକଙ୍କୁ ଭେଟିବା ପରେ ଭଲ ଭାବେ ହାତ ଗୋଡ଼ ଧୋଇନିଅନ୍ତୁ।

ହାତ ଧୋଇବାର ଉପକାରିତା

ଥଣ୍ଡା ଯୋଗୁଁ ହେଉଥିବା ବିଭିନ୍ନ ସମସ୍ୟା, ମେନିନୋଜାଇଟିସ୍, ବ୍ରୋଙ୍କୋଲାଇଟିସ୍ ଫ୍ଲୁ, ହେପାଟାଇଟସ୍-ଏ ଭଳି ବହୁତ ଗୁଡ଼ିଏ ସଂକ୍ରମଣ ଆଶଙ୍କାକୁ ଏଡ଼ାଇ ହେବ।

ଡାଇରିଆକୁ ୪୫ ଭାଗ ଯାଏଁ ନିୟନ୍ତ୍ରଣ କରିହେବ।

ପିଲାଙ୍କ ମଧ୍ୟରେ ନିମୋନିଆ ରୋଗ ଆଶଙ୍କା କମ୍ ହୁଏ।

ଆଖିରେ ସଂକ୍ରମଣ କାରଣରୁ ହେଉଥିବା ଜଳାପୋଡ଼ା, ଆଖି ଲାଲ ପଡ଼ିବା, ଆଖିରୁ ପାଣି ବାହାରିବା ଆଦି ସମସ୍ୟାକୁ ମଧ୍ୟ  ଦୂର କରିହେବ।

Comment