ଓଡ଼ିଶାଲାଇଭ ବ୍ୟୁରୋ

ମହିଳା ପିଇଓ ସ୍ମିତାରାଣୀ ମୃତ୍ୟୁ ଘଟଣାରୁ ଉଠି ପାରୁନି ପରଦା। ସିବିଆଇ ତଦନ୍ତ ପାଇଁ ଦାବି କଲା ବିଜେପି।

ଯାଜପୁର ଜିଲ୍ଲା ପିଇଓ ସ୍ମିତାରାଣୀ ବିଶ୍ଵାଳଙ୍କ ସନ୍ଦେହଜନକ ମୃତ୍ୟୁ ଉପରୁ ପରଦା ହଟାଇ ପାରୁନି ପୋଲିସ। ମୃତ୍ୟୁର ୪ଦିନ ବିତି ଯାଇଥିଲେ ମଧ୍ୟ ଏଯାଏଁ ପୋଲିସ ହାତରେ କୌଣସି ସୁରାକ ଲାଗିନି। ଅନ୍ୟପକ୍ଷରେ ମୃତ୍ୟୁ ନେଇ ବର୍ତ୍ତମାନ ରାଜନୈତିକ ବିବାଦ ଆରମ୍ଭ ହୋଇଛି। ଏହି ମାମଲାରେ ସିବିଆଇ ତଦନ୍ତ କରିବାକୁ ବିଜେପି ଦାବି କରିଛି।

ତେବେ ଏହି ରହସ୍ୟଜନକ ମୃତ୍ୟୁ ନେଇ ବିଜେପି ଏକ ସମ୍ଵାଦିକ ସମ୍ମିଳନୀ କରିଛି। ଇନ୍ଦିରା ଆବାସ ଦୁର୍ନୀତି ସଂପର୍କରେ ସ୍ମିତା ଜାଣିଥିବାରୁ ତାଙ୍କୁ ହତ୍ୟା କରାଯାଇଛି ବୋଲି ବିଜେପି ଅଭିଯୋଗ କରିଛି। ଏହାସହ ବିଜେପି ସିବିଆଇ ତଦନ୍ତ ଦାବି କରିଛି। ସେହିପରି ସ୍ମିତାରାଣୀଙ୍କୁ ହତ୍ୟା କରି ଟାଙ୍ଗି ଦେଇଥିବା କଂଗ୍ରେସ ବିଧାୟକ ସୁର ରାଉତ ଅଭିଯୋଗ କରିଛନ୍ତି।

ଅକ୍ଟୋବର ୧୫ ତାରିଖ ଦିନ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହରିଦାସପୁରରେ ପଞ୍ଚାୟତ ଅଧିକାରୀ ସ୍ମିତାରାଣୀ ଭତ୍ତା ବଣ୍ଟନ ପାଇଁ ପହଞ୍ଚି ଥିଲେ। ସେଠାରେ ସରପଞ୍ଚଙ୍କ ସ୍ଵାମୀ କିଛି ଲୋକଙ୍କ ସହ ଭତ୍ତା ବଣ୍ଟନ କରୁଥିଲେ। ଭତ୍ତା ବଣ୍ଟନ ଶେଷ ହେବା ପରେ ସ୍ମିତାରାଣୀ ଖାଇବା ପାଇଁ ସରପଞ୍ଚଙ୍କ କାର୍ଯ୍ୟାଳୟକୁ ଯାଇଥିଲେ। ଖାଇବା ପୂର୍ବରୁ ସେ ବାଥରୁମ୍‌ ଯାଇଥିଲେ।

ଫେରିବା ବିଳମ୍ଵ ହେବାରୁ ସରପଞ୍ଚଙ୍କ ସ୍ଵାମୀ ତାଙ୍କୁ ଖୋଜିବାକୁ ଯାଇଥିଲେ। ହେଲେ ସେଠାରୁ ସ୍ମିତାରାଣୀଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ପରେ ସରପଞ୍ଚଙ୍କ ସ୍ଵାମୀ ପରିବାର ଲୋକଙ୍କୁ ଫୋନ କରି ଡାକି ତାଙ୍କୁ ଡାକ୍ତରଖାନା ନେଇଯାଇଥିଲେ। ହେଲେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ।

ତେବେ ଘଟଣାର ତଦନ୍ତ ପାଇଁ ସ୍ମିତାରୀଣୀଙ୍କ ବାପା ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଘଟଣାରେ ଏକ ମାମଲ ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଏଥିରେ ସରପଞ୍ଚଙ୍କ ସ୍ଵାମୀଙ୍କ ସମେତ ୫ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି।

Comment