ଓଡ଼ିଶାଲାଇଭ ବ୍ୟୁରୋ

ଭାରତୀୟ ଜନ ସଞ୍ଚାର ସଂସ୍ଥାନ(ଆଇଆଇଏମ୍‍ସି)ରେ ସିକାଗୋ ବିଶ୍ୱବିଦ୍ୟାଳୟସ୍ଥିତ ଏନର୍ଜି ପଲିସି ଇନ୍‍ଷ୍ଟିଚ୍ୟୁଟ୍‍(ଏପିକ୍‍)ର ମିଳିତ ସହଯୋଗରେ ‘ବାୟୁ ପ୍ରଦୂଷଣ ଆମ ଆୟୁଷକୁ କମାଉଛି କି?’ ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଛି। ଏଥିରେ ବକ୍ତା ଭାବେ ଢେଙ୍କାନାଳ ଉପଜିଲ୍ଲାପାଳ ଭବେଶ କୁମାର ନାୟକ ଯୋଗ ଦେଇଥିଲେ।

ଏନେଇ ଭବେଶ କୁମାର ନାୟକ କହିଛନ୍ତି, ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ତୃଣମୂଳ ସ୍ତରରେ ସମସ୍ତେ ସହଯୋଗ କରିବା ଲୋଡ଼ା। ଯଥାସମ୍ଭବ ବସ୍‍, ଟ୍ରେନ୍‍ ଆଦି ସାର୍ବଜନୀନ ଯୋଗାଯୋଗ ମାଧ୍ୟମକୁ ଗୁରୁତ୍ୱ ଦେବା ଦରକାର। ଏହାସହ ଇ-ଯାନର ଅଧିକ ପ୍ରଚଳନ ତଥା ଅଧିକରୁ ଅଧିକ ସାଇକେଲ ବ୍ୟବହାର ଉପରେ ଲୋକେ ଗୁରୁତ୍ୱ ଦେବା ଜରୁରୀ।“

ସେ ଢେଙ୍କାନାଳ ଜିଲ୍ଲାର ଉଦାହରଣ ଦେଇ କହିଛନ୍ତି ଯେ, ସମସ୍ତଙ୍କୁ ଏକ ସୁସ୍ଥ ପରିବେଶ ଯୋଗାଇଦେବା ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ କେତୋଟି ଉଲ୍ଲେଖଯୋଗ୍ୟ ପଦକ୍ଷେପ ନିଆଯାଇଛି। ବର୍ଜ୍ୟବସ୍ତୁ ପରିଚାଳନାଠାରୁ ଆରମ୍ଭ କରି ପଲିଥିନ୍‍ ବର୍ଜନ ଆଦି ଉପରେ ଗୁରୁତ୍ୱ ଦିଆଯାଉଛି। ତେବେ ବାୟୁ ପ୍ରଦୂଷଣ ପରି ଏକ ବଡ଼ ସମସ୍ୟାକୁ ନିୟନ୍ତ୍ରଣାଧିନ କରିବା ଲାଗି ସମସ୍ତଙ୍କ ସହଯୋଗ ଦରକାର ବୋଲି ସେ ମତବ୍ୟକ୍ତ କରିଛନ୍ତି।

ଅନ୍ୟତମ ବକ୍ତାଭାବେ ଯୋଗଦେଇ ଏନ୍‍ଏଏମ୍‍ଆଇ ଅନୁଷ୍ଠାନର ସମ୍ପାଦକ ନିରଦାନନ୍ଦ କହିଛନ୍ତି, କିଛି ବର୍ଷ ପୂର୍ବରୁ କେବଳ ଅଭିଧାନ ବ୍ୟତୀତ ବାୟୁ ପ୍ରଦୂଷଣ ବୋଲି କୌଣସି ଶବ୍ଦ ବ୍ୟବହାର ହେଉନଥିଲା। ହେଲେ ବର୍ତ୍ତମାନ ପୂରା ସ୍ଥିତି ବଦଳିଯାଇଛି। ଷ୍ଟିଲ୍‍ ପ୍ଲାଣ୍ଟ, ପାୱାର ପ୍ଲାଣ୍ଟ ଆଦି ଯୋଗୁଁ ବାୟୁ ଅଧିକ ପ୍ରଦୂଷିତ ହେବାରେ ଲାଗିଛି। ଏହାସହ ଯାନବାହନର ଅଧିକ ଚଳାଚଳ ଯୋଗୁଁ ମଧ୍ୟ ବାୟୁରେ ଅଧିକ ଅଙ୍ଗାରକାମ୍ଳ ସୃଷ୍ଟି ହେଉଛି।“

ବାୟୁ ପ୍ରଦୂଷଣ ଉପରେ ଅଧିକାଂଶ ଲୋକଙ୍କ ଆଦୌ ଧାରଣା ନାହିଁ କହିଲେ ଭୁଲ ହେବନି। ଏନେଇ ଲୋକେ ସଚେତନ ମଧ୍ୟ ନୁହନ୍ତି। ତେବେ ମନେ ରଖିବାକୁ ହେବ କି ଅଜ୍ଞାନତା ବିପଦ ସୃଷ୍ଟି କରିପାରେ। ତେଣୁ ଲୋକଙ୍କୁ ଏ ନେଇ ସଚେତନ କରିବାକୁ ହେବ। ଏ କ୍ଷେତ୍ରରେ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି କହିଛନ୍ତି ବରିଷ୍ଠ ସାମ୍ବାଦିକ ସନ୍ଦିପ ସାହୁ।

କର୍ମଶାଳା ଆରମ୍ଭରେ ସଂସ୍ଥାନର ଆଞ୍ଚଳିକ ନିର୍ଦ୍ଦେଶକ ଡ. ମୃଣାଳ ଚାଟାର୍ଜୀ କହିଛନ୍ତି, “ବାୟୁ ପ୍ରଦୂଷଣ ଏକ କାଳ୍ପନିକ ପ୍ରସଙ୍ଗ ନୁହେଁ। ସାରା ବିଶ୍ୱରେ ଏହା ବର୍ତ୍ତମାନ ସମୟରେ ସବୁଠୁ ଅଧିକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ତେବେ ବାୟୁ ପ୍ରଦୂଷଣ କ୍ଷେତ୍ରରେ ଭାରତର ସ୍ଥିତି ବେଶ୍‍ ସଙ୍ଗିନ୍‍। ସେହିଭଳି ନୂଆଦିଲ୍ଲୀ ସବୁଠୁଁ ଅଧିକ ପ୍ରଦୂଷିତ ସହର ଭାବେ ପରିଗଣିତ ହୋଇଛି। ବାୟୁ ପ୍ରଦୂଷଣ ଯେ କେବଳ ବଡ଼ ସହରରେ ହେଉଛି ତାହା ନୁହେଁ, କଟକ, ତାଳଚେର, ଝାରସୁଗୁଡ଼ା, ବେଲପାହାଡ଼ ପରି ସହରରେ ବାୟୁର ମାନ ମଧ୍ୟ ଏତେ ଭଲ ନାହିଁ। ଏମିତି ଏକ ବିଷମ ସ୍ଥିତିରେ ଏ ବିଷୟ ଉପରେ ସମସ୍ତେ ଚିନ୍ତା କରିବାର ବେଳ ଆସିଛି।“

ଏହାସହ ଏପିକ୍‍-ଇଣ୍ଡିଆର ପ୍ରତିନିଧି ବରିଷ୍ଠ ଡେଟା ଆସୋସିଏଟ୍‍ ଜ୍ୟୋତି ରଞ୍ଜନ ନାୟକ ଓ କମ୍ୟୁନିକେଶନ ଆଣ୍ଡ ଆଉଟ୍‍ରିଚ୍‍ କୋର୍ଡିନେଟର ପରବ୍ରହ୍ମ ତ୍ରିପାଠୀ ଏୟାର କ୍ୱାଲିଟି ଲାଇଫ୍‍ ଇଣ୍ଡେକ୍ସ ଉପରେ କିଛି ତଥ୍ୟଭିତ୍ତିକ ଉପସ୍ଥାପନା ରଖିଥିଲେ। ପରେ ସଂସ୍ଥାନର ଛାତ୍ରଛାତ୍ରୀଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ ଅତିଥି।

Comment