ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜେପୁର ଉପନିର୍ବାଚନ ପାଇଁ ଆଜି ଭୋଟ ଦେଇଛନ୍ତି ଭୋଟର। ଏହି ଉପନିର୍ବାଚନ ପାଇଁ ଭୋଟରଙ୍କ ମନରେ ପ୍ରବଳ ଆଗ୍ରହ ଥିବା ପରିଲକ୍ଷିତ ହୋଇଛି। ଏହାର ଉଦାହରଣ ହେଉଛନ୍ତି ରାମଜୀ ସାହୁ ଏବଂ ଲୋଚନା ନାଏକ। ଏହି ଦୁଇ ଜଣଙ୍କ ବୟସ ୧୦୦ ଟପିଥିଲେ ମଧ୍ୟ ଘରେ ନବସି ଭୋଟ ଦେବାକୁ ଆସିଥିଲେ। ନିଜ ମନପସନ୍ଦର ପ୍ରାର୍ଥୀଙ୍କୁ ଭୋଟ ଦେଇଥିଲେ।

ରାମଜୀ ସାହୁଙ୍କ ଘର ବିଜେପୁର ବ୍ଲକରେ। ସେ ଶଙ୍କର୍ଷଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ହୋଇଥିବା ବୁଥ୍‌କୁ ଆସିଥିଲେ ଭୋଟ୍‌ ଦେବା ପାଇଁ। ସେହିପରି ବରପାଲି ବ୍ଲକର ଅଗଲପୁର ବୁଥ୍‌ରେ ଲୋଚନା ନାଏକ ଭୋଟ ଦେଇଛନ୍ତି। ରାମଜୀଙ୍କ ବୟସ ୧୦୦ ବର୍ଷ ହୋଇଥିବା ବେଳେ ଲୋଚନାଙ୍କୁ ୧୧୦ ବର୍ଷ ହେଲାଣି।

ରାମଜୀ ଏବଂ ଲୋଚନାଙ୍କ ବୟସ ୧୦୦ ଟପିଥିବାରୁ ଅଣ୍ଟା ସଳଖି ଠିଆ ହୋଇପାରୁ ନାହାନ୍ତି। ଠିକ୍‌ରେ କଥା ବି କହିପାରୁ ନାହାନ୍ତି। ଦୁଇ ଜଣ ଧରିଲେ ସେମାନେ ଛିଡ଼ା ହେଉଛନ୍ତି। ଏଭଳି ସ୍ଥିତିରେ ଏହି ଦୁଇ ଜଣ ଭୋଟ୍‌ ଦେଇ ଯୁବପିଢ଼ିଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ମତଦାନରୁ ଆଜିକାର ଯୁବପିଢ଼ି ମୁହଁ ଫେରାଇ ନେଉଥିବା ବେଳେ ବିଜେପୁର ଉପନିର୍ବାଚନରେ ଏହି ବରିଷ୍ଠ ନାଗରିକ ଭୋଟ ଦେଇ ଚର୍ଚ୍ଚାରେ ରହିଛନ୍ତି।

ଭୋଟ ଦେବାକୁ ଆଗ୍ରହ ପ୍ରକାଶ କରିବାରୁ ରାମଜୀ ଏବଂ ଲୋଚନାଙ୍କୁ ସ୍ୱତନ୍ତ୍ର ଗାଡ଼ି ସକ୍ଷମ ବାହନରେ ବୁଥ୍‌କୁ ଅଣା ଯାଇଥିଲା। ବୁଥ୍‌ରେ ନିୟୋଜିତ ହୋଇଥିବା ସ୍ୱେଚ୍ଛାସେବୀମାନେ ରାମଜୀ ଏବଂ ଲୋଚନାଙ୍କୁ ହ୍ୱିଲ୍‌ ଚେୟାରରେ ପୋଲିଂ ବୁଥ୍‌କୁ ନେଇଥିଲେ।

LEAVE A REPLY

Please enter your comment!
Please enter your name here