ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ହାଇଭୋଲ୍‌ଟେଜ ପ୍ରଚାର ପରେ ଶେଷ ହୋଇଛି ବିଜେପୁରରେ ଭୋଟିଂ। ଫଳାଫଳ ଉପରେ ନଜର।

ଶେଷ ହେଲା ବିଜେପୁର ଉପନିର୍ବାଚନ। ଆଗାମୀ ୫ ବର୍ଷ ପାଇଁ ନେତା ବାଛିଛନ୍ତି ଭୋଟର। ଭୋଟର ଲମ୍ବା ଲାଇନରେ ଆସି ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ୍‌ କରିଛନ୍ତି। ତେବେ ଭୋଟର କାହା ହାତରେ ବିଜେପୁରର ଶାସନ ଡୋର ଧରାଇଛନ୍ତି ତାହା ଆସନ୍ତା ୨୪ରେ ହିଁ ଜଣାପଡ଼ିବ।

୫ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ

ଅଢ଼େଇ ବର୍ଷ ଭିତରେ ବିଜେପୁର ଦେଖିଲାଣି ଦୁଇ ଦୁଇଟି ଉପ ନିର୍ବାଚନ। ପ୍ରଥମ ଉପ ନିର୍ବାଚନ ୨୦୧୮ରେ ହୋଇଥିଲା। ସୁବଳ ସାହୁଙ୍କ ଦେହାନ୍ତ ପରେ ଏହି ଉପନିର୍ବାଚନ ହୋଇଥିଲା। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଏହି ଉପନିର୍ବାଚନ ହୋଇଥିବାରୁ ସବୁ ଦଳ ଏହାକୁ ଗୁରୁତର ଭାବେ ନେଇଥିଲେ। ହେଲେ ବିଜେଡି ହିଁ ଏଠାରେ ବାଜି ମାରିଥିଲା। ୬ ଜଣ ପ୍ରାର୍ଥୀଙ୍କୁ ପଛରେ ପକାଇ ବିଜେଡିର ରୀତା ସାହୁ ବିପୁଳ ଭୋଟରେ ବିଜୟୀ ହୋଇଥିଲେ।

ଚଳିତ ଉପନିର୍ବାଚନରେ ୫ ଜଣ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଥିଲେ। ବିଜେଡିର ରୀତା ସାହୁ, ବିଜେପିର ସନତ ଗଡ଼ତିଆ ଏବଂ କଂଗ୍ରେସର ଦିଲ୍ଲୀପ ପଣ୍ଡାଙ୍କ ସମେତ ଆଉ ଦୁଇ ଜଣ ସ୍ୱାଧୀନ ପ୍ରାର୍ଥୀ ହୋଇଥିଲେ।

ଏହି ୫ ପ୍ରାର୍ଥୀଙ୍କ ଭାଗ୍ୟ ଆଜି ଇଭିଏମ୍‌ରେ ସିଲ୍‌ କରିଛନ୍ତି ଭୋଟର। ୫ ପ୍ରାର୍ଥୀଙ୍କ ଭିତରୁ ବିଜେଡି ଏବଂ ବିଜେପି ଭିତରେ କଡ଼ା ଟକ୍କର ହୋଇଥିବା ଅନୁମାନ କରାଯାଉଛି। ତେବେ ବିଜେପୁର ଭୋଟର ଏଥର କାହାକୁ ନେତା ଭାବେ ବାଛୁଛନ୍ତି ତାହା ଅପେକ୍ଷା କରି ଦେଖିବାର କଥା।

ପତିଆରାର ଲଢ଼େଇ

ସାଧାରଣ ନିର୍ବାଚନ ପରେ ବିଜେପୁର ଉପନିର୍ବାଚନ ହୋଇଥିବାରୁ ବିଜେଡି ଏବଂ ବିଜେପିର ପତିଆରା ଲଢ଼େଇ ଦେଖିବାକୁ ମିଳିଥିଲା। ବିଜେଡି ବିଜେପୁରରେ ବିଜୟ ବାନା ଉଡ଼ାଇବା ପାଇଁ ମାଳ ମାଳ ନେତାଙ୍କୁ ଦାୟିତ୍ୱ ଦେଇଥିଲା। ଏପଟେ ବିଜେପି ବି କିଛି କମ୍‌ରେ ନଥିଲା। ସନତ ଗଡ଼ତିଆଙ୍କ ପାଇଁ ବିଜେପି ଜି ଜାନ୍‌ ଲଗାଇ ଦେଇଥିଲା।

ବିଜେଡିର ପ୍ରଚାର ମଙ୍ଗ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧରିଥିଲେ। ଦୁଇ ଦିନ ଧରି ସେ ବିଜେପୁରରେ ରୋଡ ସୋ’ କରିଥିଲେ। ଏପଟେ ବିଜେପି ପାଇଁ ପ୍ରଚାର କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ ଓ ଅପରାଜିତା ଷଡ଼ଙ୍ଗୀଙ୍କ ସମେତ ଅନ୍ୟ ନେତା।

ବିଜେପି ଏହି ଉପନିର୍ବାଚନରେ ନବୀନ କାହିଁକି ବିଜେପୁର ଛାଡ଼ିଲେ ପ୍ରଶ୍ନ କରି ଭୋଟରଙ୍କ ପାଖକୁ ଯାଇଥିଲା। ସୋସିଆଲ ମିଡିଆରେ ବି ଏହି ପ୍ରଶ୍ନ ବୁଲିଥିଲା। ବିଜେପିର ଏହି ପ୍ରଶ୍ନକୁ ଯଦି ବିଜେପୁର ଲୋକ ଗ୍ରହଣ କରିଥିବେ ତ ଭଲ କଥା, ନହେଲେ ଏହି ପ୍ରଶ୍ନର କିଛି ଯଥାର୍ଥତା ନାହିଁ ବୋଲି ଧରିନେବାକୁ ହେବ।

କଂଗ୍ରେସ ଫେରିବ କି?

କଂଗ୍ରେସ ଚଳିତ ଉପନିର୍ବାଚନ ପ୍ରଚାରରେ ପଛରେ ପଡ଼ି ଯାଇଥିଲା। ହେଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ ଅନ୍ୟ ବରିଷ୍ଠ ନେତାମାନେ ବିଜେପୁରରେ ପ୍ରଚାର କରିଥିଲେ। ବିଜେପୁର ଭୋଟର କଂଗ୍ରେସ ଉପରେ ଆସ୍ଥା ପ୍ରକଟ କରିବେ ବୋଲି ନେତାମାନେ ଆଶାବାଦୀ ଅଛନ୍ତି।

‘‘ବିଜେପି, ବିଜେଡି ଭୋଟ କିଣିଛନ୍ତି। ହେଲେ କଂଗ୍ରେସକୁ ବିବେକ ଭୋଟ୍‌ ଆସିଛି। କଂଗ୍ରେସ ପୁଣି ବିଜେପୁର ଦଖଲ କରିବ’’, ଏହା କହିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ।

ବିଜେପୁର ଥିଲା କଂଗ୍ରେସର ଗଡ଼। ସୁବଳ ସାହୁ ଏହି ଆସନରୁ ୨୦୦୪ରୁ ୨୦୧୭ ଯାଏଁ ବିଧାୟକ ରହିଥିଲେ। ସୁବଳଙ୍କ ଦେହାନ୍ତ ପରେ ଏବଂ ତାଙ୍କ ପରିବାର ବିଜେଡିକୁ ଆସିବା ପରେ କଂଗ୍ରେସର ଦୁର୍ଗ ଭୁଶୁଡ଼ି ଯାଇଛି। କଂଗ୍ରେସ ଉଠିବାକୁ ଚେଷ୍ଟା କରୁଥିଲେ ମଧ୍ୟ ତାହା ସମ୍ଭବ ହେଉ ନାହିଁ। ଏଥର କଂଗ୍ରେସ ବିଜେପୁରରେ ଆସିବ ବୋଲି ଦୃଢ଼ ଆଶା ରଖିଛନ୍ତି ନେତା।

ବିଜେପୁରରେ ଆଜି ଅପରାହ୍‌ଣ ୫ଟା ସୁଦ୍ଧା ୭୨ ପ୍ରତିଶତ ମତଦାନ ହୋଇଛି। ଭୋଟ ଦେବା ପାଇଁ ଭୋଟର ଲମ୍ବା ଧାଡ଼ିରେ ବୁଥ୍‌ ଆଗରେ ଛିଡ଼ା ହୋଇଥିଲେ। ଉତ୍ସାହର ସହ ଲୋକେ ଭୋଟ ଦେଇଥିଲେ। ତେବେ ବିଜେପୁରରେ ଶଙ୍ଖ ବାଜିବ, ପଦ୍ମ ଫୁଟିବ ନା ହାତ ପୁଣି ଗଡ଼ ଦଖଲ କରିବ ତାକୁ ହିଁ ଦେଖିବାର କଥା।

Comment