ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଇଙ୍କିରିଆ ଗାଁରେ ଅଗ୍ନିକାଣ୍ଡ ଘଟିଛି। ରୋଷେଇ ଗ୍ୟାସରୁ ନିଆ ଲାଗି ଦୁଇଟି ପରିବାରର ୮ ବଖରା ଘର ଜଳି ପାଉଁଶ ହୋଇଯାଇଛି। ହସଖୁସିର ସଂସାରକୁ ଉଜାଡ଼ି ଦେଇଛି ନିଆଁ। ଧାନ ଚାଉଳ ଲୁଗାପଟା ସବୁ ଜଳିଯାଇଛି। ମୁଣ୍ଡ ଗୁଞ୍ଜିବାକୁ ରାହା ଖୋଜୁଛନ୍ତି ଅଗ୍ନି ବିପନ୍ନମାନେ।

ବୁଧବାର ମଧ୍ୟାହ୍ନରେ ରୋଷେଇ ପାଇଁ ଗ୍ୟାସ ଲଗାଇ ଥିଲେ ଏହି ଗାଁର ପୁରୁଷୋତ୍ତମ ପରିଡାଙ୍କ ପତ୍ନୀ ରଞ୍ଜିତା। ହଠାତ ଗ୍ୟାସ ସିଲିଣ୍ଡରର ରେଗୁଲେଟର ନିକଟରୁ ଜୋର୍‌ରରେ ଗ୍ୟାସ୍‌ ଲିକ୍‌ କଲା। ରେଗୁଲେଟର ବନ୍ଦ କରିବା ଆଗରୁ ହୁତୁହୁତୁ ହୋଇ ଜଳିଲା। ସୌଭାଗ୍ୟବସତଃ ଗ୍ୟାସ୍‌ ଚୁଲି ପାଖରେ କେହି ନଥିଲେ। ନିଆଁ ଘରର ଚାଳ ଧରି ସାରିଥିଲା। ଗ୍ୟାସ ଟାଙ୍କି ଫାଟିବା ଭୟରେ ପରିବାର ଲୋକେ ଘରଛାଡି ନିଜ ଜୀବନ ବଞ୍ଚାଇବା ପାଇଁ ବାହାରକୁ ଚାଲି ଯାଇଥିଲେ। ଟାଙ୍କି ଫାଟିବା ଆଶଙ୍କାରେ ଘରେ ପାଣି ପକାଇବାକୁ ପଡ଼ିଶା ଲୋକେ ବି ଡରିଲେ। ନିଆଁ ପଡିଶା ଝଝମଣି ପରିଡାଙ୍କ ଘରକୁ ଡେଇଁଥିଲା। ଫଳରେ ଦୁଇ ପରିବାରଙ୍କର ୮ ବଖରା ଘର ଆଖି ପିଛୁଳାକେ ଜଳି ଉଠିଲା।

ଲକ୍ଷ ଲକ୍ଷ ଟଙ୍କାର ଧାନ, ଚାଉଳ ଜଳିଗଲା। ଦମକଳ ବାହିନୀ ଠିକ୍‌ ସମୟରେ ନପହଞ୍ଚିବାରୁ ସ୍ଥାନୀୟ ଲୋକେ ପାଣି ମଟର ଯୋଗେ ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ। ହେଲେ ନିଆଁ ସବୁ ଛାରଖାର କରିଦେଲା। ଏବେ ଦୁଇ ପରିବାରଙ୍କ ପାଖରେ ମୁଣ୍ଡ ଗୁଞ୍ଜିବାକୁ ଘର ନାହିଁ। ପାଖ ପଡ଼ିଶା ଘରେ ଏମାନେ ଆଶ୍ରୟ ନେଇଛନ୍ତି। ଏହି ବିପନ୍ନ ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

Comment