ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ରାଜଗଡ ପଞ୍ଚାୟତର ନିୟାମତପୁର ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୧୯ଟି ପରିବାରର ୨୩ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। କେନ୍ଦ୍ରାପଡା, ମାର୍ଶାଘାଇ ଓ ମହାକାଳପଡା ବ୍ଲକରୁ ୫ଟି ଅଗ୍ନିଶମ ବାହିନୀ ଆସି ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ। ରୋଷେଇ ଗ୍ୟାସରୁ ନିଆଁ ଲାଗିଥିବା କୁହାଯାଉଛି।

CGU newନିୟାମତପୁର ଗାଁର କାଙ୍ଗାଳି ବାରିକଙ୍କ ଘରେ ଚଲିଥିଲା ରୋଷେଇ। କିଛି ସମୟ ପରେ ରୋଷେଇ ଶେଷ ହୋଇଥିଲେ ଘରଲୋକେ ଖିଆପିଆ କରିଥାନ୍ତେ। ହଠାତ୍ ରୋଷେଇ ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗିଲା। କାଙ୍ଗାଳିଙ୍କର ନୁଆଁଣିଆ ଚାଳ ଚାହୁଁଚାହୁଁ  ନିଆଁରେ ଜଳିଗଲା। ତା’ ପରେ ଗାସ୍ ଟାଙ୍କିଟା ଫାଟି ଯିବାରୁ ଚାରିଆଡ଼େ ନିଆଁ ବ୍ୟାପି ଯାଇଥିଲା। ଚାଳରୁ ଚାଳକୁ ଡେଇଁ ଚାଲିଲା ନିଆଁ। ସ୍ଥାନୀୟ ଲୋକେ ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲେ। ହେଲେ ନିଆଁ ଛାରଖାର କରିଦେଇଥିଲା।

ଅଗ୍ନିଶମ ବାହିନୀ ପହଞ୍ଚିବା ବେଳକୁ ସବୁ ଶେଷ କରିସାରିଥିଲା ନିଆଁ। ଜଳନ୍ତା ନଡ଼ା ଆଉ ପାଉଁଶକୁ ଲିଭାଇବାରେ ବ୍ୟସ୍ତ ଥିଲେ କେନ୍ଦ୍ରାପଡ଼ା, ମାର୍ଶାଘାଇ ଓ ମହାକାଳପଡା ବ୍ଲକରୁ ଆସିଥିବା ୫ଟି ଅଗ୍ନିଶମ ବାହିନୀ। ନିଆଁରେ ୧୯ଟି ପରିବାରର ସମସ୍ତ ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଛି। ଏବେ ବଞ୍ଚିବାର ରାହା ଖୋଜୁଛନ୍ତି ୪୨ ଜଣ ଅଗ୍ନି ବିପନ୍ନ। ଘରଦ୍ଵାର ଜଳିଗଲାପରେ ରାସ୍ତା କଡ ଏମାନଙ୍କ ନୂଆ ଠିକଣା ପାଲଟିଛି।

ମହାକାଳପଡା ତହସିଲଦାର ଘଟଣା ସ୍ଥଳରେ ପହଞ୍ଚି କ୍ଷୟକ୍ଷତିର ଆକଳନ ଆରମ୍ଭ କରିଛନ୍ତି। ପ୍ରତି ପରିବାରକୁ ପାଲ ଦେବା ଆରମ୍ଭ ହୋଇଛି। ତୁରନ୍ତ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ବିପନ୍ନଙ୍କୁ ସହାୟତା ଯୋଗାଇ ଦେବାକୁ କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମା ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଜଗଡ ପଞ୍ଚାୟତ ପକ୍ଷରୁ ଏମାନଙ୍କ ପାଇଁ ମାଗଣା ରନ୍ଧାଖାଦ୍ୟ ଦେବାକୁ ବ୍ୟବସ୍ଥା ହୋଇଛି।

Comment