ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

ବିଜେପି-ଶିବସେନା ମେଣ୍ଟ ସପକ୍ଷରେ ଜନାଦେଶ ଦେଇଛନ୍ତି ମହାରାଷ୍ଟ୍ର ଭୋଟର। ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି-ଶିବସେନା ମେଣ୍ଟ ୧୩୮ଟି ଆସନ ପାଇଥିବା ବେଳେ ୨୧ ଆସନରେ ଆଗରେ ରହିଛି। ୧୫୯ ଆସନ ଦଖଲ କରିବା ଲକ୍ଷ୍ୟରେ ରହିଛନ୍ତି ବିଜେପି-ଶିବସେନା।

ବିଜେପି ଏବଂ ଶିବସେନା ମେଣ୍ଟକୁ ବିପୁଳ ଜନସମର୍ଥନ ମିଳିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହାରାଷ୍ଟ୍ର ଭୋଟର ଏବଂ ବିଜେପି କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଦେଇଥିଲେ। ଉଦ୍ଧବ ଠାକ୍‌ରେ ବି ଧନ୍ୟବାଦ ଦେଇଛନ୍ତି। ତେବେ ପ୍ରଶ୍ନ ଉଠୁଛି ମହାରାଷ୍ଟ୍ରରେ ବିଜେପି-ଶିବସେନା ମେଣ୍ଟରେ ମୁଖ୍ୟମନ୍ତ୍ରୀ ହେବ କିଏ?

ବିଜେପି ଅଧିକ ଆସନରେ ଲଢ଼ି ଜିତିଥିବାରୁ ମୁଖ୍ୟମନ୍ତ୍ରୀ ପଦ ନିଜ ପାଖରେ ରଖିବାକୁ ଚାହିଁବ। କିନ୍ତୁ ଶିବସେନା ମୁଖ୍ୟମନ୍ତ୍ରୀ ପଦବୀକୁ ସହଜରେ ବିଜେପିକୁ ଛାଡ଼ିବା ମୁଡ୍‌ରେ ନାହିଁ। ଏଥର ଫିପ୍ଟି-ଫିପ୍ଟି ଫର୍ମୁଲାରେ ସରକାର ଗଠନ ହେବ ବୋଲି ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେ କହିଛନ୍ତି।

‘‘ଏଥର ବଡ଼ ଭାଇ ସାନ ଭାଇ କଥା ଶୁଣାଯିବନି। ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହଙ୍କ ସହ ଯାହା ଆଲୋଚନା ହୋଇଥିଲା ସେହି ଅନୁସାରେ ହିଁ ସରକାର ଗଠନ କରାଯିବ। ମହାରାଷ୍ଟ୍ରରେ ଫିପ୍ଟି-ଫିପ୍ଟି ଫର୍ମୁଲା ଉପରେ ଆଲୋଚନା ହୋଇଥିଲା। ଏହାକୁ ବିଜେପିକୁ ଆମେ ମନେପକାଇ ଦେବୁ’’, କହିଛନ୍ତି ଉଦ୍ଧବ ଠାକ୍‌ରେ।

ଦେବେନ୍ଦ୍ର ଫଡ୍‌ନାଭିସ୍‌ କହିଛନ୍ତି, ‘‘ଶିବସେନା ଏବଂ ବିଜେପି ଭିତରେ ଯେଉଁ ଆଲୋଚନା ହୋଇଥିଲା ତାକୁ ନେଇ ଆମେ ଆଗକୁ ବଢ଼ିବୁ। ଯାହା କିଛି ଆଲୋଚନା ହୋଇଥିଲା ତାହା ଠିକ୍‌ ସମୟରେ ହିଁ ନିଷ୍ପତ୍ତି ନିଆଯିବ।’’

୨୦୧୪ରେ ବିଜେପି-ଶିବସେନା ମେଣ୍ଟ କ୍ଷମତାକୁ ଆସିଥିଲା। ବିଜେପି ଭାଗରେ ମୁଖ୍ୟମନ୍ତ୍ରୀ ପଦ ପଡ଼ିଥିଲା। ଦେବେନ୍ଦ୍ର ଫଡ୍‌ନାଭିସ୍‌ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏଥର ବି ବିଜେପି ଦେବେନ୍ଦ୍ର ଫଡନାଭିସ୍‌ଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ଗୋଟି ଚାଳନା କରୁଛି। ହେଲେ ଶିବସେନା ଫିପ୍ଟି-ଫିପ୍ଟି ଫର୍ମୁଲା କଥା ଉଠାଇ ରାଜନୀତିକୁ ସରଗରମ କରିଛି।

Comment