ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଆଜି ଆସିବ ବିଜେପୁର ପରୀକ୍ଷା ଫଳ। ଏନେଇ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଜିଲ୍ଲା ହେଡ୍‌କ୍ୱାର୍ଟର ବରଗଡ଼ରେ ହେବ ଭୋଟ ଗଣତି। ୧୪ଟି ଟେବୁଲରେ ଭୋଟ ଗଣତି ହେବ। ଏଥିପାଇଁ ୧୦୩ ଅଫିସରଙ୍କୁ ନିୟୋଜିତ କରାଯାଇଛି। ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହେବ।

ଏହି ଭୋଟ ଗଣତିକୁ ସବୁ ଦଳ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। ବିଜେପୁରବାସୀ କାହା ସପକ୍ଷରେ ରାୟ ଦେଇଛନ୍ତି ତାହା ଆଜି ଜଣାପଡ଼ିବ। ବିଜେପୁରରେ ବିଜେଡି ଏବଂ ବିଜେପି ଭିତରେ ଜୋରଦାର ଲଢ଼େଇ ହୋଇଥିବାରୁ ଏଥର ଶଙ୍ଖ ବାଜିବ ନା ପଦ୍ମ ଫୁଟିବ ତାକୁ ସମସ୍ତେ ଚାହିଁ ରହିଛନ୍ତି।

ବିଜେପୁର ମଇଦାନରେ ଏଥର ୫ ଜଣ ପ୍ରାର୍ଥୀ ଥିଲେ। ବିଜେଡିରୁ ରୀତା ସାହୁ, କଂଗ୍ରେସରୁ ଦିଲ୍ଲୀପ ପଣ୍ଡା ଏବଂ ବିଜେପିରୁ ସନତ ଗଡ଼ତିଆଙ୍କ ସମେତ ଆଉ ୨ ଜଣ ସ୍ୱାଧୀନ ପ୍ରାର୍ଥୀ ଥିଲେ। ହେଲେ ମୁଖ୍ୟ ଲଢ଼େଇ ବିଜେଡି ଏବଂ ବିଜେପି ଭିତରେ ହୋଇଥିଲା। କଂଗ୍ରେସ ପଛରେ ପଡ଼ି ଯାଇଥିଲା।

ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ ନିଜେ ନବୀନ ପଟ୍ଟନାୟକ ପ୍ରଚାର କରିଥିବା ବେଳେ ବିଜେପି ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଚାର କରିଥିଲେ। ଉଭୟ ଦଳର ଆରୋପ ପ୍ରତ୍ୟାରୋପ ଭିତରେ ପ୍ରଚାର ମଇଦାନ ସରଗରମ ରହିଥିଲା।

ସବୁଠୁ ବଡ଼ କଥା ହେଉଛି ଗତ ଅଢ଼େଇ ବର୍ଷ ଭିତରେ ତିନି ଥର ନିର୍ବାଚନ ଦେଖିଲାଣି ବିଜେପୁର। ୨୦୧୮ ଉପନିର୍ବାଚନରେ କଂଗ୍ରେସର ଗଡ଼ ବିଜେପୁରକୁ ଭାଙ୍ଗିଥିଲା ବିଜେଡି। ରୀତା ସାହୁ ବିପୁଳ ଭୋଟରେ ବିଜୟୀ ହୋଇଥିଲେ। କିନ୍ତୁ ୨୦୧୯ ନିର୍ବାଚନରେ ରୀତାଙ୍କୁ ଟିକେଟ ଦେଇ ନଥିଲା ଦଳ। ନିଜେ ନବୀନ ହିଁ ଏଠାରୁ ପ୍ରାର୍ଥୀ ହୋଇଥିଲେ। ନବୀନ ବିପୁଳ ଭୋଟରେ ବିଜୟୀ ହୋଇଥିଲେ। ହେଲେ ନବୀନ ବିଜେପୁର ଆସନରୁ ଇସ୍ତଫା ଦେବା ପରେ ଆଉ ଥରେ ଉପନିର୍ବାଚନ ହୋଇଛି।

ଏହି ଉପନିର୍ବାଚନକୁ ଉଭୟ ବିଜେପି ଏବଂ ବିଜେଡି ଚାଲେଞ୍ଜ ଭାବେ ନେଇଥିଲେ। ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ ମାଳ ମାଳ ନେତା ବିଜେପୁରରେ ଡେରା ପକାଇଥିଲେ। ବିଜେପି ନେତା ବି ଡେରା ପକାଇ ପ୍ରଚାର କରିଥିଲେ। କଂଗ୍ରେସ ପଛରେ ପଡ଼ିଥିଲେ ବି ପ୍ରାର୍ଥୀ ଏବଂ ନେତା ଘର ଘର ବୁଲିଥିଲେ। ଗତ ମାସେ ଧରି ବିଜେପୁର ଦଖଲ କରିବା ପାଇଁ ତିନି ଦଳ ଯେଉଁ କସରତ କରିଥିଲେ ସେଥିରେ କିଏ ବାଜି ମାରୁଛି ତାହା ଆଜି ଜଣାପଡ଼ିବ।

LEAVE A REPLY

Please enter your comment!
Please enter your name here