ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

କେଉଁଠି ବାଜା ବାଜୁଛି ତ ଆଉ କେଉଁଠି ବାଣ ଫୁଟୁଛି। ଆଉ କେଉଁଠି ନିରାଶାର କଳାବାଦଲ ଦେଖିବାକୁ ମିଳିଛି। ଏଭଳି ଚିତ୍ର ବିଜେପୁର ଉପନିର୍ବାଚନ ଫଳାଫଳ ଆସିବା ପରେ ଦେଖିବାକୁ ମିଳିଛି। ରେକର୍ଡ ଭୋଟରେ ବିଜେଡି ବିଜେପୁର ଜିତିଥିବାରୁ ପାର୍ଟି ଅଫିସ୍‌ ଏବଂ ନବୀନ ନିବାସରେ ଉତ୍ସବର ମାହୋଲ ଦେଖିବାକୁ ମିଳିଥିବା ବେଳେ ସବୁବେଳେ ଚଳଚଞ୍ଚଳ ଥିବା ବିଜେପି ଏବଂ କଂଗ୍ରେସ ପାର୍ଟି ଅଫିସ୍‌ରେ ଖାଁ ଖାଁ ଚିତ୍ର ସାମ୍ନାକୁ ଆସିଥିଲା।

ଏହି ଚିତ୍ର ହିଁ ସ୍ପଷ୍ଟ କରୁଥିଲା ଯେ ବିଜେପୁର ଫଳକୁ ନେଇ ଦୁଇ ବିରୋଧୀ  ବିଜେପି ଓ କଂଗ୍ରେସ ହତାଶ ହୋଇଛନ୍ତି। ସବୁଠୁ ବଡ଼ କଥା ହେଉଛି ବିରୋଧୀଙ୍କ ପାଇଁ ବିଜେପୁର ଫଳ ସତର୍କଘଣ୍ଟି ବଜାଇଛି। ବିଜୁ ଜନତା ଦଳର ବିକଳ୍ପ ହେବା ପାଇଁ ବିଜେପି ଏବଂ କଂଗ୍ରେସ ଯେଉଁ କସରତ କରୁଥିଲେ ତାହା ଫସର ଫାଟି ଯାଇଛି।

ବିଜେପୁର ଉପ ନିର୍ବାଚନରେ ବିଜେଡି ପ୍ରାର୍ଥୀ ରୀତା ସାହୁ କେବଳ ଜିତି ନାହାନ୍ତି, ନୂଆ ଇତିହାସ ସୃଷ୍ଟି କରିଛନ୍ତି। ୯୭ ହଜାର ୯୯୪ ଭୋଟ ବ୍ୟବଧାନରେ ଜିତି ବିରୋଧୀଙ୍କୁ ମାତ୍‌ ଦେଇଛନ୍ତି। ବିଜେଡିର ସଫଳ ରଣନୀତି ଏବଂ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଏହି ବଡ଼ ବିଜୟ ପଛର ମୁଖ୍ୟ କାରଣ ବୋଲି କୁହାଯାଉଛି। ତେବେ ବିରୋଧୀ ଓଡ଼ିଶାରେ ନିଷ୍ପ୍ରଭ ବୋଲି ଏହି ଉପନିର୍ବାଚନ ସଙ୍କେତ ଦେଇଛି।

ବିଜେପୁରରେ କେମିତି ଖସିଲା ବିଜେପି?

୨୦୧୮ ଉପନିର୍ବାଚନରେ ବିଜେଡି କଂଗ୍ରେସର ଅଭେଦ୍ୟ ଦୁର୍ଗକୁ ଭାଙ୍ଗି ବିଜେପୁର ଦଖଲ କରିଥିଲା। ଏହି ଉପନିର୍ବାଚନରେ ବିଜେପି କଳ ବଳ ଲଗାଇଥିଲା। କେନ୍ଦ୍ରମନ୍ତ୍ରୀ ମଧ୍ୟ ବିଜେପୁର ଆସି ପ୍ରଚାର କରିଥିଲେ। ହେଲେ ବିଜେପି ବିଜୟର ସ୍ୱାଦ ଚାଖି ପାରିନଥିଲା। ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀ ୬୦ ହଜାର ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ରହିଥିଲେ। ବିଜେପୁର ଇତିହାସରେ ବିଜେପିର ଏହା ରେକର୍ଡ ଭୋଟ ବୋଲି କୁହାଗଲା।

ଏହାର ଠିକ୍‌ ବର୍ଷକ ପରେ ବିଧାନସଭା ନିର୍ବାଚନ ହୋଇଥିଲା। ୨୦୧୮ରେ ୬୦ ହଜାର ଭୋଟ୍‌ ପାଇଥିବା ବିଜେପି ବିଜେପୁରକୁ ନେଇ ବଡ଼ ବିଜୟର ସ୍ୱପ୍ନ ଦେଖିଥିଲା। ବିଜେଡି ପ୍ରାର୍ଥୀ ନବୀନ ପଟ୍ଟନାୟକଙ୍କ ବିପକ୍ଷରେ ବିଜେପି ସନତ ଗଡ଼ତିଆଙ୍କୁ ପ୍ରାର୍ଥୀ କରିଥିଲା। ହେଲେ ସନତ ଯେଉଁ ଭୋଟ ପାଇଥିଲେ ତାହା ଭଲ ନଥିଲା କି ଖରାପ ନଥିଲା। ନବୀନଙ୍କ ବିରୋଧରେ ଲଢ଼ି ସନତ ୫୩ ହଜାର ଭୋଟ ପାଇଥିଲେ। କିନ୍ତୁ ୨୦୧୮ରେ ଅଶୋକ ପାଣିଗ୍ରାହୀ ଯେତିକି ଭୋଟ୍‌ ପାଇଥିଲେ ତାଠୁ ୭ ହଜାର ଭୋଟ୍‌ କମ୍ ପାଇଥିଲେ ସନତ।

ନବୀନଙ୍କ ଇସ୍ତଫା ପରେ ବିଜେପୁରରେ ଗତ ୨୧ରେ ହେଲା ଭୋଟ୍‌। ସନତ ଗଡ଼ତିଆଙ୍କୁ ପ୍ରାର୍ଥୀ କରିଥିଲା ଦଳ। ସନତ କଡ଼ା ଫାଇଟ୍‌ ଦେବେ ବୋଲି କୁହାଗଲା। ହେଲେ ଫଳାଫଳ ଆସିବା ପରେ ସବୁ ଆଶା ଧୂଳିସାତ୍‌ ହୋଇଯାଇଛି। ଗତ ୪ ମାସ ତଳେ ସନତ ଯେତିକି ଭୋଟ୍‌ ପାଇଥିଲେ ଏଥର ତାର ଅଧା କମି ଯାଇଥିଲା। ସନତ ମାତ୍ର ୩୭ ହଜାର ୮୭୩ ଭୋଟ୍‌ ପାଇବାକୁ ସମର୍ଥ ହେଲେ। ବିଜେପୁରରେ ବିଜେଡିକୁ ଚେକ୍‌ ଦେଇ ବିଜେପି ଆଗକୁ ଯିବାକୁ ଯେଉଁ ଲକ୍ଷ୍ୟ ରଖିଥିଲା ତାହା ଚୁର୍‌ମାର୍ ହୋଇଯାଇଛି। ବିଜେପି ଦିନକୁ ଦିନ ଲୋକପ୍ରିୟତା ହରାଉଥିବା ବିଜେପୁର ଉପନିର୍ବାଚନ ସ୍ପଷ୍ଟ ସଙ୍କେତ ଦେଇଛି।

ମାଟି କାମୁଡ଼ିଲା କଂଗ୍ରେସ

୨୦୦୪ରୁ ୨୦୧୭ ଯାଏଁ ବିଜେପୁରକୁ ନିଜ କବ୍‌ଜାରେ ରଖିଥିବା କଂଗ୍ରେସକୁ ଏଥର ଭଲ ଶିକ୍ଷା ଦେଇଛି ଉପନିର୍ବାଚନ। କଂଗ୍ରେସର ଆଉ ଦବ୍‌ଦବା ନାହିଁ ବୋଲି ବିଜେପୁର ଭୋଟର ଇଭିଏମ୍‌ରେ ସ୍ପଷ୍ଟ କରି ଦେଇଛନ୍ତି। ତା’ ହୋଇ ନଥିଲେ ବିଜେପୁରକୁ ହାତମୁଠାରେ ରଖିଥିବା କଂଗ୍ରେସର ଆଜି ଅମାନତ ଉଡ଼ି ନଥାନ୍ତା।

୨୦୧୮ରେ କଂଗ୍ରେସ ପ୍ରଣୟ ସାହୁଙ୍କୁ ପ୍ରାର୍ଥୀ କଲା। ହେଲେ ସେ ମାତ୍ର ୧୦ ହଜାରରୁ ଅଧିକ ଭୋଟ ପାଇ ଅମାନତ ହାରିଥିଲେ। ଶେଷରେ ପ୍ରଣୟ ବିଜେଡି ଶିବିରକୁ ଚାଲି ଆସିଲେ। ୨୦୧୯ରେ କଂଗ୍ରେସ ପୂର୍ବତନ ମନ୍ତ୍ରୀ ରିପୁନାଥ ସେଠ୍‌ଙ୍କୁ ଭରସା କଲା। ରିପୁନାଥ ମାତ୍ର ୧୪ ହଜାର ଭୋଟ ପାଇଲେ। ପ୍ରଣୟଙ୍କଠାରୁ ସେ ୪ ହଜାର ଅଧିକ ଭୋଟ ପାଇଥିଲେ। ହେଲେ ଚଳିତ ଉପନିର୍ବାଚନରେ କଂଗ୍ରେସ ସେତିକି ବି ଭୋଟ୍‌ ପାଇଲାନି।

ନୂଆକରି ପ୍ରାର୍ଥୀ ହୋଇଥିବା ଦିଲ୍ଲୀପ କୁମାର ପଣ୍ଡା ଯଦି ୧୪ ହଜାର ଭୋଟ୍‌ ପାଇଥାନ୍ତେ ତାହାଲେ କିଛି ସମ୍ମାନ ରହିଥାନ୍ତା। କିନ୍ତୁ ତାହା ସମ୍ଭବ ହେଲାନି। କଂଗ୍ରେସ ମାତ୍ର ୫ ହଜାର ଭୋଟରେ ସୀମିତ ରହି ଯାଇଛି। କଂଗ୍ରେସଠାରୁ ଭୋଟର ଧିରେ ଧିରେ ମୁହଁ ଫେରାଉଥିବା ବିଜେପୁର ସଙ୍କେତ ଦେଇଛି।

Comment