ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଓଡ଼ିଶା-ପଶ୍ଚିମବଙ୍ଗରେ କେମିତି ବିଜେପି ଗଢ଼ିବ ସରକାର? ଚିନ୍ତାରେ ମୋଦୀ-ଶାହ ଯୋଡ଼ି।

ବିଜେପିର ପୂର୍ବ ଭାରତ ମିଶନ ଆଶା ଏବେ ମଉଳୁଛି। ବିଶେଷକରି ଓଡ଼ିଶା ଏବଂ ପଶ୍ଚିମବଙ୍ଗରେ ବିଜେପିର ଶକ୍ତି ବୃଦ୍ଧି ପାଉ ନଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପି ଷ୍ଟ୍ରାଟେଜି ମେକର ଅମିତ ଶାହ ଚିନ୍ତାରେ ପଡ଼ିଛନ୍ତି। କେମିତି ଏହି ଦୁଇଟି ରାଜ୍ୟରେ ବିଜେପି ସରକାର ଗଢ଼ିବ ତାକୁ ନେଇ ସ୍ପେଶାଲ ରଣନୀତି ପ୍ରଣୟନ କରାଯାଉଥିଲେ ମଧ୍ୟ ତାହା ଫେଲ୍ ମାରୁଛି।

୨୦୧୯ ନିର୍ବାଚନରେ ବିଜେପି ଓଡ଼ିଶାରେ ବିଶେଷ ସଫଳତା ହାସଲ କରିପାର ନଥିଲା। ନିକଟରେ ଶେଷ ହୋଇଥିବା ବିଜେପୁର ଉପନିର୍ବାଚନରେ ବି ପଦ୍ମ ଦଳର ଗଣିତ ବିଗିଡ଼ି ଯାଇଥିଲା। ଏହି ଉପନିର୍ବାଚନରେ ବିଜେପି ବିଜେଡିକୁ କଡ଼ା ଟକ୍କର ଦେବାରେ ସଫଳ ହୋଇ ନଥିଲା।

ଓଡ଼ିଶାରେ ୨୦୧୯ରେ ପଦ୍ମ ଦଳ ନିଜ ମିଶନରେ ଫେଲ୍ ମାରିବା ପରେ ଏବେ ୨୦୨୪କୁ ଟାର୍ଗେଟ କରିଛି। ଏପଟେ ପଶ୍ଚିମବଙ୍ଗରେ ହେବାକୁ ଥିବା ୨୦୨୧ ବିଧାନସଭା ନିର୍ବାଚନ ଉପରେ ବି ବିଜେପିର ନଜର ରହିଛି। ତେବେ ପଶ୍ଚିମବଙ୍ଗରେ ପଦ୍ମ କେମିତି ଫୁଟୁଛି ତାହା ହିଁ ବର୍ତ୍ତମାନ ସମୟର ବଡ଼ ପ୍ରଶ୍ନ।

ପୂର୍ବ ଭାରତ ମିଶନ

୨୦୧୪ରେ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହୋଇଥିଲେ। ବିଜେପି ୨୮୧ ଆସନ ପାଇ ସରକାର ଗଠନ କରିଥିଲା। ମୋଦୀ ପ୍ରଧାନମନ୍ତ୍ରୀ ହେବାର କିଛିଦିନ ପରେ ଅମିତ ଶାହ ହୋଇଥିଲେ ବିଜେପିର ରାଷ୍ଟ୍ରୀୟ ସଭାପତି।

ମୋଦୀ-ଶାହ ଯୋଡ଼ି ହିଁ ୨୦୧୪ରୁ ପୂର୍ବ ଭାରତ ମିଶନର ଲକ୍ଷ୍ୟ ରଖିଥିଲେ। ବିଶେଷକରି ବିହାର, ପଶ୍ଚିମବଙ୍ଗ ଏବଂ ଓଡ଼ିଶା ଉପରେ ଅଧିକ ନଜର ଦେଇଥିଲେ।

୨୦୧୫ରେ ପ୍ରଥମେ ବିହାର ବିଧାନସଭା ପାଇଁ ହୋଇଥିଲା ପରୀକ୍ଷା। ବିହାରରେ କଡ଼ା ଟକ୍କର ହୋଇଥିଲା। ଏନଡିଏରୁ ନୀତିଶ କୁମାର ଓହରି ଯାଇଥିବାରୁ ସେ ବିଜେପି ବିରୋଧରେ ଆରଜେଡି-କଂଗ୍ରେସ-ଜେଡିୟୁ ମହାମେଣ୍ଟ କରିଥିଲେ। ବିହାରରେ ଏହି ମହାମେଣ୍ଟ ବିଜେପିର ବିଜୟ ରଥକୁ ରୋକିଥିଲା। ୨୦୧୪ ନିର୍ବାଚନ ପରେ ବିଜେପିକୁ ବିହାର ବଡ଼ ଝଟ୍‌କା ଦେଇଥିଲା।

କିନ୍ତୁ ବିହାରରେ ମହାମେଣ୍ଟ ବେଶୀ ଦିନ ତିଷ୍ଠିଲାନି। କ୍ଷମତା ପାଇଁ ଆର୍‌ଜେଡି, ଜେଡି(ୟୁ) ଭିତରେ କନ୍ଦଳ ବଢ଼ିବାରୁ ନୀତିଶ କୁମାର ଶେଷରେ ବିଜେପି ସହ ମେଣ୍ଟ କରିଥିଲେ। ଏବେ ବିହାରରେ ବିଜେପି-ଜେଡି(ୟୁ) ମେଣ୍ଟ ସରକାର ଚାଲିଛି। ଏକାକୀ ନହେଲେ ବି ବିଜେପି ବିହାରରେ ସରକାର ରହିଛି।

ବିହାର ପରେ ପଶ୍ଚିମବଙ୍ଗରେ ବିଜେପି ଦେଇଥିଲା ପରୀକ୍ଷା। ୨୦୧୬ରେ ଏଠାରେ ହୋଇଥିବା ବିଧାନସଭା ନିର୍ବାଚନରେ ତୃଣମୂଳ ସରକାରକୁ ହଟାଇବା ପାଇଁ ବିଜେପି ରଣନୀତି ପ୍ରସ୍ତୁତ କରିଥିଲା। ହେଲେ ବିଜେପି ଏଠି ଫେଲ୍ ମାରିଥିଲା। ପଶ୍ଚିମବଙ୍ଗରୁ ଦିଦି ସରକାରଙ୍କୁ ହଟାଇବାରେ ବିଫଳ ହୋଇଥିଲା ବିଜେପି। ଦିଦିଙ୍କ ଲୋକପ୍ରିୟତା ଆଗରେ ମୋଦି ମ୍ୟାଜିକ୍‌ ଫିକା ପଡ଼ି ଯାଇଥିଲା।

ଦିଦିଙ୍କ ତୃଣମୂଳ କଂଗ୍ରେସ ୨୧୧ ଆସନ ପାଇଥିବା ବେଳେ ବିଜେପି ସ୍ଥିତି ହରାଇଥିଲା। ମାତ୍ର ୩ଟି ଆସନରେ ସନ୍ତୁଷ୍ଟ ହୋଇଥିଲା ଏହି ଜାତୀୟ ଦଳ।

ସେହିପରି ୨୦୧୪ ସାଧାରଣ ନିର୍ବାଚନରେ ସାରା ଦେଶରେ ମୋଦୀ ଲହରକୁ ନେଇ ଉତ୍ସାହ ଭରିଥିବା ବେଳେ ଦିଦିଙ୍କ ଗଡ଼ ପଶ୍ଚିମବଙ୍ଗରେ ଏହା କାମ ଦେଇ ନଥିଲା। ତୃଣମୂଳ କଂଗ୍ରେସ ୩୪ ଆସନ ପାଇଥିବା ବେଳେ ବିଜେପି ମାତ୍ର ୨ଟି ପାଇଥିଲା।

ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ ଏବଂ ନରେନ୍ଦ୍ର ମୋଦୀ ବାରମ୍ବାର ପଶ୍ଚିମବଙ୍ଗ ଗସ୍ତ କରିଥିଲେ ବି ଭୋଟରଙ୍କ ଉପରେ କିଛି ପ୍ରଭାବ ପଡ଼ି ନଥିଲା।

ପଶ୍ଚିମବଙ୍ଗରେ ବିଜେପିର ସବୁ ଷ୍ଟ୍ରାଟେଜି ଫେଲ୍ ମାରିବା ପରେ ପୂର୍ବ ଭାରତର ଆଉ ଏକ ପ୍ରମୁଖ ରାଜ୍ୟ ଓଡ଼ିଶା ଉପରେ ଫୋକସ୍‌ କରିଥିଲେ ମୋଦୀ-ଶାହ। ୨୦୧୯ ନିର୍ବାଚନ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ। ହେଲେ ତାର ଫଳ କ’ଣ ହେଲା ତାହା ସମସ୍ତଙ୍କୁ ଜଣା।

ମୋଦୀ-ଶାହଙ୍କ ରଣନୀତି ଓଡ଼ିଶାରେ ଫେଲ୍‌

ଓଡ଼ିଶାରେ ୧୮ ବର୍ଷ ହେଲା ବିଜେଡିର ରାଜୁତି ଚାଲିଛି। ନବୀନ ପଟ୍ଟନାୟକ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇ ଆସୁଛନ୍ତି। ହେଲେ ବିଜେଡିର ଏହି ଅଭେଦ୍ୟ ଦୁର୍ଗକୁ ଭାଙ୍ଗିବା ପାଇଁ ମୋଦୀ-ଶାହ କରିଥିଲେ ସ୍ୱତନ୍ତ୍ର ରଣନୀତି। ୨୦୧୯ ନିର୍ବାଚନରେ ଓଡ଼ିଶାରେ ପଦ୍ମ ଫୁଟାଇବାକୁ ହୋଇଥିଲା ସୁଚିନ୍ତିତ ଯୋଜନା। ଏହାର ପ୍ରମାଣ ଥିଲା କେନ୍ଦ୍ରମନ୍ତ୍ରୀମାନଙ୍କର ଘନ ଘନ ଓଡ଼ିଶା ଗସ୍ତ।

କେନ୍ଦ୍ରମନ୍ତ୍ରୀମାନେ ଓଡ଼ିଶା ବିଜେପିର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇ ୨୦୧୯ ନିର୍ବାଚନ ପୂର୍ବରୁ ରାଜନୀତିକୁ ସରଗରମ କରିଥିଲେ। ଖାଲି ସେତିକି ନୁହେଁ, କର୍ମୀଙ୍କ ମନରେ ଜୋସ୍‌ ଭରିବା ପାଇଁ  ମୋଦୀ ଓ ଅମିତ ଶାହ ବି ବାରମ୍ବାର ଓଡ଼ିଶା ଆସି ନବୀନ ସରକାରଙ୍କୁ ଟାର୍ଗେଟ କରିଥିଲେ।

ଓଡ଼ିଶାରେ ବିଜେପି ମିଶନ-୧୨୦ର ନାରା ଦେଇ ନିର୍ବାଚନ ଲଢ଼ିଲା। ଗତ ନିର୍ବାଚନ ତୁଳନାରେ ବିଜେପିର ସିଟ୍‌ ସଂଖ୍ୟା ବୃଦ୍ଧି ପାଇଲା ସତ, ହେଲେ ସରକାର ଗଠନ କରିବାକୁ ସମର୍ଥ ହେଲାନି ଏହି ଜାତୀୟ ଦଳ।

୨୦୧୪ରେ ଯେଉଁ ବିଜେପି ଗୋଟିଏ ଲୋକସଭା ଆସନ ପାଇଥିଲା ସେହି ଦଳ ୨୦୧୯ରେ ୬ଟି ଆସନ ପାଇଥିଲା। ୨୦୧୪ରେ ୧୦ ବିଧାନସଭା ଆସନ ପାଇଥିବା ବିଜେପି ଏଥର ୨୩ରେ ପହଞ୍ଚିଥିଲା। କିନ୍ତୁ ବିଜେଡି ଶାସନର ଅନ୍ତ ଘଟାଇବାରେ ସଫଳ ହେଲାନି ମୋଦୀ-ଶାହ ଯୋଡ଼ିଙ୍କ ରଣନୀତି।

୨୦୧୯ ନିର୍ବାଚନ ପରେ ପାଟକୁରା ନିର୍ବାଚନ ହୋଇଥିଲା। ଏହି ନିର୍ବାଚନରେ ବିଜେପି ପ୍ରାର୍ଥୀ କରିଥିଲା ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କୁ। ବିଜୟ ପାଟକୁରାରେ ନିଶ୍ଚିନ୍ତ ଜିତିବେ ବୋଲି ସମସ୍ତେ ଆଶା କରିଥିଲେ। ହେଲେ ବିଜୟ ବାଜି ହାରି ଯାଇଥିଲେ।

ପାଟକୁରା ପରେ ବିଜେପୁର ଉପନିର୍ବାଚନ ପାଇଁ ବିଗୁଲ ବାଜିଲା। ବିଜେଡି, କଂଗ୍ରେସ ସମେତ ବିଜେପି ବି ଉପନିର୍ବାଚନ ଲଢ଼ିବାକୁ ସଜବାଜ ହେଲା। ଗତ ୬ ମାସ ତଳେ ହୋଇଥିବା ନିର୍ବାଚନରେ ଯେଉଁ ସନତ ଗଡ଼ତିଆଙ୍କୁ ପ୍ରାର୍ଥୀ କରିଥିଲା ଦଳ ତାଙ୍କୁ ପୁଣି ଥରେ ଟିକେଟ ଦେଲା। ସନତଙ୍କ ପାଇଁ ବିଜେପି କଳ ବଳ ଲଗାଇ ଦେଲା। ମୋଦୀ ସରକାରଙ୍କ ଲୋକପ୍ରିୟ ଯୋଜନା ସମ୍ପର୍କରେ ବିଜେପି ନେତା ବିଜେପୁରରେ ପ୍ରଚାର କଲେ। ହେଲେ ଭୋଟରଙ୍କୁ ତାହା କାବୁ କରିପାରିନି।

ବିଜେପି ଏଠି କଡ଼ା ଫାଇଟ୍‌ ଦେବାରେ ବିଫଳ ହୋଇଛି। ୬ ମାସ ତଳେ ବିଜେପି ଏଠି ୫୩ ହଜାର ଭୋଟ୍‌ ପାଇଥିବା ବେଳେ ଉପନିର୍ବାଚନରେ ୩୭ ହଜାର ଭୋଟ୍‌ ପାଇବା ସ୍ପଷ୍ଟ କରୁଛି ଯେ ବିଜେପିର ରଣନୀତି ଓଡ଼ିଶାରେ କାମ କରୁନି। ଏଣୁ ବିଜେପି କେମିତି ପୂର୍ବ ଓଡ଼ିଶା ମିଶନରେ ସଫଳ ହେବ ତାକୁ ନେଇ ପାୱାର କରିଡ଼ରରେ ଚର୍ଚ୍ଚା ଚାଲିଛି।

ବିଜେପିର ଶୀର୍ଷ ନେତୃବୃନ୍ଦ ଏବେ ପଶ୍ଚିମବଙ୍ଗ ଏବଂ ଓଡ଼ିଶାକୁ ନେଇ ଚିନ୍ତାରେ ପଡ଼ିଛନ୍ତି। ଚାରିଆଡ଼େ ମୋଦୀ ହାୱା ଏବଂ ଅମିତ ଶାହଙ୍କ ସଫଳ ରଣନୀତିରେ ପଦ୍ମ ଫୁଟୁଥିବା ବେଳେ ଏହି ଦୁଇଟି ରାଜ୍ୟରେ କ’ଣ ଅସୁବିଧା ହେଉଛି ତାର ଗଣିତ ବିଜେପି ନେତାମାନେ ବୁଝୁ ପାରୁ ନାହାନ୍ତି।

ଏବେ ବିଜେପି ପଶ୍ଚିମବଙ୍ଗରେ ୨୦୨୧ରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଉପରେ ନଜର ପକାଇଛି। ୨୦୧୯ ଲୋକସଭା ନିର୍ବାଚନରେ ପଶ୍ଚିମବଙ୍ଗରେ ବିଜେପି ପୂର୍ବାପେକ୍ଷା ଭଲ ପ୍ରଦର୍ଶନ କରିଛି। ବିଜେପି ୧୮ ଆସନ ପାଇଛି। ଏହା ୨୦୨୧ ବିଧାନସଭା ଲଢ଼େଇରେ କାମ କରିବ ବୋଲି ବିଜେପି ନେତାମାନେ ଆଶା ରଖିଛନ୍ତି।

୨୦୨୧ରେ ବିଜେପି ଯଦି ପଶ୍ଚିମବଙ୍ଗ ମିଶନରେ ସଫଳ ହେଲା ତାହାଲେ ୨୦୨୪ରେ ଓଡ଼ିଶା ଦଖଲ କରିବାକୁ ବିଜେପି ଜୋରଦାର ପ୍ରୟାସ କରିବ ବୋଲି କୁହାଯାଉଛି।

ସବୁଠୁ ବଡ଼ କଥା ହେଉଛି ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ଏବଂ ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ହ୍ରାସ ପାଇନି। ଏହି ଦୁଇ ରାଜ୍ୟରେ ବିଜେପିର ବିଜୟ ବାନା ଉଡ଼ାଇବାକୁ ହେଲେ ମୋଦୀ ଏବଂ ଶାହଙ୍କୁ ଆହୁରି ସୁଦୃଢ଼ ରଣନୀତି ପ୍ରସ୍ତୁତ କରିବାକୁ ପଡ଼ିବ।

1 COMMENT

Comment