ଓଡ଼ିଶାଲାଇଭ୍ ବ୍ୟୁରୋ

ଶ୍ୟାମାମଣୀ ଦେବୀ ପାଇବେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସର୍ବୋଚ୍ଚ ସମ୍ମାନ – ‘କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ’ ସମ୍ମାନ। ଶୁଣନ୍ତୁ ଲୋକପ୍ରିୟ ପଲ୍ଲୀ ଗୀତ ‘ଉଚ୍ଚ ତାଳ ଗଛ ମାଈ ବରଡ଼ା ଲୋ’।

ବିଶିଷ୍ଟ ଓଡ଼ିଶୀ କଣ୍ଠଶିଳ୍ପୀ ଶ୍ୟାମାମଣୀ ଦେବୀ ୨୦୧୭-୧୮ ବର୍ଷ ପାଇଁ ପାଇବେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସର୍ବୋଚ୍ଚ ସମ୍ମାନ – ‘କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ’ ସମ୍ମାନ। ଓଡ଼ିଶୀ ସଙ୍ଗୀତ, ଲୋକ ଗୀତ ଏବଂ ପଲ୍ଲୀ ଗୀତ ଗାୟନ କରି ସେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି।

ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ହେବାକୁ ଥିବା ସ୍ୱତନ୍ତ୍ର ଉତ୍ସବରେ ଶ୍ୟାମାମଣୀ ଦେବୀଙ୍କୁ ସମ୍ମାନିତ କରାଯିବ। ତାଙ୍କୁ ନଗଦ ୧ ଲକ୍ଷ ଟଙ୍କା, ମାନପତ୍ର ଏବଂ ଉପଢୌକନ ଦିଆଯାଇ ସମ୍ମାନିତ କରାଯିବ।

ଶ୍ୟାମାମଣୀ ଦେବୀ ହେଉଛନ୍ତି ଓଡ଼ିଶୀ ସଙ୍ଗୀତ ଜଗତରେ ଜଣେ ପରିଚିତ ନାଁ। ସେ ହେଉଛନ୍ତି ବର୍ଷିଆନ୍ ଓଡ଼ିଶୀ କଣ୍ଠ ଶିଳ୍ପୀ। ସେ ଚମ୍ପୁ, ଛାନ୍ଦ, ଲୋକ ଗୀତ, ପଲ୍ଲୀ ଗୀତ ଗାଇ ଶ୍ରୋତାଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ପାଇଛନ୍ତି।

୧୯୩୮, ଡିସେମ୍ବର ୨୧ରେ କଟକ ଜିଲ୍ଲା ବାଙ୍କୀ ସବ୍‌ଡିଭିଜନ୍‌ର ସୁବର୍ଣ୍ଣପୁର ଗାଁରେ ଏକ ସଙ୍ଗୀତ ପରିବାରରେ  ଶ୍ୟାମାମଣୀ ଦେବୀ ଜନ୍ମ ହୋଇଥିଲେ। ପିଲାବେଳୁ ସଙ୍ଗୀତରେ ରୁଚି ରଖିଥିବା ଶ୍ୟାମାମଣୀ ପାଞ୍ଚ ଭଉଣୀ ମଧ୍ୟରେ ସବୁଠୁ ସାନ ଭଉଣୀ। ମାତ୍ର ୧୨ ବର୍ଷ ବୟସରୁ ସେ ନିଜ ସଙ୍ଗୀତ କ୍ୟାରିୟର ଆରମ୍ଭ କରିଥିଲେ। ୧୯୫୦ ମସିହାରେ ସେ ଆକାଶବାଣୀରେ ଗୀତ ଗାଇବାର ସୁଯୋଗ ପାଇଥିଲେ।

ସେ ସଙ୍ଗୀତ ନାଟକ ଏକାଡେମୀରୁ ସଙ୍ଗୀତ ବିଶାରଦ ଶିକ୍ଷା ଗ୍ରହଣ କରିଥିଲେ। ସେ ହିନ୍ଦୁସ୍ତାନୀ ଭୋକାଲ ସଙ୍ଗୀତରେ ସଙ୍ଗୀତ ଅଳଙ୍କାର ଉପାଧି ଗର୍ନ୍ଧବ ମହାବିଦ୍ୟାଳୟ ପୁନେରୁ ୧୯୮୫ ମସିହାରେ ଲାଭ କରିଥିଲେ।

ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ତରଫରୁ ଶ୍ୟାମାମଣୀ ଦେବୀଙ୍କୁ ୨୦୧୨ ମସିହାରେ ଡକ୍ଟରେଟ୍‌ ଉପାଧି ପ୍ରଦାନ କରାଯାଇଥିଲା। ଏହାଛଡ଼ା ସେ ୨୦୧୭ରେ ଗୁରୁକେଳୁଚରଣ ସମ୍ମାନ, ୧୯୯୪ରେ ଓଡ଼ିଶୀ ସଙ୍ଗୀତ ନାଟକ ଏକାଡେମୀ ସମ୍ମାନ ଭଳି ଅନେକ ସମ୍ମାନ ପାଇଛନ୍ତି।

Comment