ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ମନ୍ତ୍ରୀ ହେବେ ରୀତା ସାହୁ। ଏମିତି ଏକ ଖବର ପାୱାର କରିଡରରେ କିଛିଦିନ ହେଲା ଚର୍ଚ୍ଚା ହେଉଛି। ରୀତା ରେକର୍ଡ ଭୋଟ୍‌ରେ ବିଜୟୀ ହୋଇଥିବାରୁ ତାଙ୍କୁ ମନ୍ତ୍ରୀ ପଦ ଦେଇ ନବୀନ ପୁରସ୍କୃତ କରିପାରନ୍ତି ବୋଲି କୁହାଯାଉଛି।

ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ନବୀନ। ଗତ ଥର ୨୧ ଜଣ ମନ୍ତ୍ରୀଙ୍କୁ ନେଇ ନବୀନ ତାଙ୍କ ମନ୍ତ୍ରିମଣ୍ଡଳ ଗଠନ କରିଥିଲେ। ହେଲେ ଏଥର ୨୦ ଜଣ ମନ୍ତ୍ରୀ ସ୍ଥାନ ପାଇଛନ୍ତି। ଗୋଟିଏ ମନ୍ତ୍ରୀ ଆସନ ଖାଲି ପଡ଼ିଛି।

ପାଟକୁରା ନିର୍ବାଚନ ପରେ ଏହି ପଦବୀ ପୂରଣ ହେବ ବୋଲି କୁହାଯାଉଥିଲା। କିନ୍ତୁ ତାହା ଆଜି ପର୍ଯ୍ୟନ୍ତ ପୂରଣ ହୋଇନାହିଁ। ପାଟକୁରା ପରେ ବିଜେପୁର ଉପନିର୍ବାଚନ ଶେଷ ହୋଇଛି। ଏହି ଉପନିର୍ବାଚନରେ ରୀତା ସାହୁ ୯୭ ହଜାର ୯୯୦ ଭୋଟ ବ୍ୟବଧାନରେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ସନତ ଗଡ଼ତିଆଙ୍କୁ ପରାଜିତ କରିଛନ୍ତି। ଏହାସହ ରୀତା ୧ ଲକ୍ଷ ୩୫ ହଜାର ଭୋଟ୍‌ ପାଇଁ ବିରୋଧୀଙ୍କୁ ମାତ୍‌ ଦେଇଛନ୍ତି।

ରୀତାଙ୍କ ଏହି ଭୋଟ୍‌ ପରିମାଣ ନିର୍ବାଚନ ଇତିହାସରେ ସର୍ବକାଳୀନ ରେକର୍ଡ ବୋଲି କୁହାଯାଉଛି। ୨୦୦୦ ମସିହା ନିର୍ବାଚରେ ବିଜେପି ପ୍ରାର୍ଥୀ ବିଶ୍ୱଭୂଷଣ ହରିଚନ୍ଦନ ୯୪ ହଜାର ଭୋଟ୍‌ ବ୍ୟବଧାନରେ ଜିତିଥିଲେ। ଏବେ ରୀତା ୯୭ ହଜାର ୯୯୦ ଭୋଟ୍‌ରେ ଜିତି ସବୁ ରେକର୍ଡ ଭାଙ୍ଗିଛନ୍ତି। ଏଣୁ ରୀତାଙ୍କୁ ଏଥିପାଇଁ ପୁରସ୍କୃତ କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି।

ମୁଖ୍ୟ କଥା ହେଉଛି ୨୦୧୯ ନିର୍ବାଚନରେ ନିଜେ ନବୀନ ପଟ୍ଟନାୟକ ହିଞ୍ଜିଳି ସମେତ ବିଜେପୁରରେ ପ୍ରାର୍ଥୀ ହୋଇଥିଲେ। ଦୁଇଟି ଆସନରୁ ନିଜେ ନବୀନ ଜିତିଥିଲେ।

ହିଞ୍ଜିଳି ରଖି ବିଜେପୁର ଆସନରୁ ଇସ୍ତଫା ଦେଇଥିବାରୁ ଉପନିର୍ବାଚନ ହୋଇଥିଲା। ରୀତା ସାହୁ ପ୍ରାର୍ଥୀ ହୋଇଥିଲେ। ରୀତାଙ୍କ ପାଇଁ ନିଜେ ନବୀନ ପ୍ରଚାର କରି ବିଜେପୁରର ଦାୟିତ୍ୱ ନିଜେ ନେବେ ବୋଲି କହିଥିଲେ। ଫଳରେ ରୀତାଙ୍କ ଉପରେ ଭରସା କରି ବିଜେପୁରବାସୀ ଭୋଟ୍‌ ଦେଇଥିବା କୁହାଯାଉଛି। ଏଣୁ ରୀତାଙ୍କୁ ମନ୍ତ୍ରୀ ପଦ ଦେଇ ନବୀନ ବିଜେପୁରବାସୀଙ୍କ ସମ୍ମାନ ରକ୍ଷା କରିପାରନ୍ତି ବୋଲି କୁହାଯାଉଛି।

LEAVE A REPLY

Please enter your comment!
Please enter your name here