ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

5-Tରେ କିଛି ନୂତନତ୍ୱ ନଥିବା ଅପରାଜିତା କହିଥିବା ବେଳେ ଏହାର ଜବାବ ଦେଇଛନ୍ତି ଅରୂପ।

5-Tକୁ ନେଇ ତେଜିଲା ରାଜନୀତି। ମୁହାଁମୁହିଁ ହେଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏବଂ ବିଜେଡି ପ୍ରାର୍ଥୀ ଥିବା ଅରୂପ ପଟ୍ଟନାୟକ। 5-Tରେ କିଛି ନୂଆ ନଥିବା କହି ଅପରାଜିତା ରାଜ୍ୟ ସରକାରଙ୍କୁ ଘେରିଥିବା ବେଳେ ଅରୂପ ଏହାର ଜବାବ ଦେଇଛନ୍ତି। ଅପରାଜିତା ଯେତେବେଳେ ମୁଖ୍ୟମନ୍ତ୍ରୀ ହେବେ 5-T ବାତିଲ କରିଦେବେ କହି ଅରୂପ ତୀର ମାରିଛନ୍ତି।

୨୦୧୯ ନିର୍ବାଚନ ପୂର୍ବରୁ ଅପରାଜିତା ଆଇଏଏସ୍‌ ଚାକିରି ଛାଡ଼ି ବିଜେପିରେ ଯୋଗ ଦେଇଥିବା ବେଳେ ପୂର୍ବତନ ଆଇପିଏସ୍‌ ଅଫିସର ଅରୂପ ବିଜେଡିରେ ଯୋଗ ଦେଇଥିଲେ। ଉଭୟ ଭୁବନେଶ୍ୱରରୁ ପ୍ରାର୍ଥୀ ହୋଇଥିଲେ। ଅରୂପଙ୍କୁ ବିଜେଡି ଟିକେଟ ମିଳିଥିବା ବେଳେ ଅପରାଜିତା ବିଜେପି ଟିକେଟରେ ନିର୍ବାଚନ ଲଢ଼ିଥିଲେ।

ନିର୍ବାଚନ ପ୍ରଚାର ବେଳେ ଏହି ପୂର୍ବତନ ଆଇଏଏସ୍‌ ଏବଂ ଆଇପିଏସ୍‌ ଅଫିସରଙ୍କ ଭିତରେ କେବେ ବୟାନବାଜି ଦେଖିବାକୁ ମିଳି ନଥିଲା। ନିର୍ବାଚନରେ ଅପରାଜିତା ବାଜି ମାରି ନେଇଥିଲେ। ନିର୍ବାଚନ ଶେଷ ହେବାର ଅନେକ ଦିନ ପରେ 5-Tକୁ ନେଇ ପୂର୍ବତନ ଆଇଏଏସ୍‌ ଏବଂ ଆଇପିଏସ୍‌ ଅଫିସର ମୁହାଁମୁହିଁ ହୋଇଛନ୍ତି।

ରନ୍‌ ଫର୍‌ ୟୁନିଟି କାର୍ଯ୍ୟକ୍ରମାରେ ଯୋଗ ଦେଇ ଅପରାଜିତା 5-Tକୁ ସମାଲୋଚନା କରିଥିବା ବେଳେ ଅରୂପ ବିଜେଡି ଜନ ସମ୍ପର୍କ ପଦଯାତ୍ରା ମଞ୍ଚରୁ ଅପରାଜିତାଙ୍କୁ ଜବାବ ଦେଇଥିଲେ।

‘‘ଶାସନର ୨୦ ବର୍ଷ ପରେ ରାଜ୍ୟ ସରକାର 5-T କାହିଁକି ଆଣିଲେ। ପୂର୍ବରୁ ଏହା କ’ଣ ଆମ ବ୍ୟବସ୍ଥାରେ ନଥିଲା କି? ଏଥିରେ କିଛି ନୂଆ କଥା ନାହିଁ। ଏହା ବହୁତ ପୁରୁଣା। ମୁଁ ଆଇଏଏସ୍‌ ଟ୍ରେନିଂ ନେଉଥିବା ବେଳେ 5-T ଟ୍ରେନିଂ ଦିଆଯାଉଥିଲା’’, କହିଥିଲେ ଅପରାଜିତା।

ଅପରାଜିତାଙ୍କ ଏହି 5-T ଉପାଖ୍ୟାନକୁ ବାଣ ମାରିଥିଲେ ଅରୂପ। ସେ କହିଥିଲେ, ‘‘ଆଇଏଏସ୍‌ ଏବଂ ଆଇପିଏସ୍‌ ଟ୍ରେନିଂ ବେଳେ କ’ଣ ହୁଏ ତାହା ମୁଁ ଜାଣିଛି। ସେଠାରେ ଆମକୁ ଲେଫ୍ଟ ରାଇଟ୍ ଶିଖା ଯାଉଥିଲା। ଲୋକଙ୍କ ସହ କେମିତି ମିଶିବେ ଏବଂ ବସିବେ ତାହା ଶିକ୍ଷା ଦିଆଯାଏ ନାହିଁ। ସେ ଭଦ୍ର ମହିଳା 5-T ଟ୍ରେନିଂ ନେଇଥିବେ, କିନ୍ତୁ ମୁଁ କେବଳ ପରେଡ୍‌ ଶିଖିଛି।’’

Comment