ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

5-Tକୁ ସମାଲୋଚନା କରି ଅପରାଜିତା କହିଲେ ‘ଏହା ପୁରୁଣା ପରିକଳ୍ପନା’। ଏଥିରେ ନୂଆ କିଛି ନାହିଁ।

ଲୋକଙ୍କ ପାଖରେ ପ୍ରଶାସନକୁ ଉତ୍ତରଦାୟୀ ରଖିବା ପାଇଁ ପଞ୍ଚମ ପାଳି ସରକାରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 5-T ଅଭିଯାନ ଆରମ୍ଭ କରିଛନ୍ତି। ଏହି ଅଭିଯାନରେ ବିଶେଷକରି ଅଫିସରମାନଙ୍କ ଉପରେ ଅଧିକ ଗୁରୁ ଦାୟିତ୍ୱ ଅର୍ପଣ କରାଯାଇଛି। ଏହି ଅଭିଯାନକୁ ସୁଚାରୁରୂପେ ତୁଲାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ୍‌ଙ୍କୁ 5-T ସଚିବ ଭାବେ ଦାୟିତ୍ୱ ଦିଆଯାଇଛି।

ତେବେ 5-T ଅଭିଯାନ ଯେବେଠୁ ଆରମ୍ଭ ହେଲାଣି ସେବେଠୁ ଏହାକୁ ନେଇ ରାଜନୀତି କରିଡରରେ ଆରୋପ ପ୍ରତ୍ୟାରୋପ ଜାରି ରହିଛି। ଲୋକଙ୍କ ନିକଟତର ହେବା ପାଇଁ ଆଇଏଏସ୍‌ମାନଙ୍କୁ ସରକାର ତାଗିଦ୍‌ କରୁଥିବା ବେଳେ ପୂର୍ବତନ ଆଇଏଏସ୍‌ ଅଫିସର ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏହାକୁ ସମାଲୋଚନା କରିବା ଏବଂ ଆଉ ଜଣେ ପୂର୍ବତନ ଆଇପିଏସ୍‌ ଅଫିସର ଅରୂପ ପଟ୍ଟନାୟକ ଏହାର ଜବାବ ଦେବାକୁ ନେଇ ରାଜନୀତି ସରଗରମ ହୋଇଛି।

ପୂର୍ବରୁ ଅନେକ ନେତା 5-Tର ସ୍ୱଚ୍ଛତା ଉପରେ ପ୍ରଶ୍ନ ଉଠାଇଥିଲେ। ହେଲେ ଆଜି ଜଣେ ପୂର୍ବତନ ଆଇଏଏସ୍‌ ଅଫିସର ଏହି ପ୍ରସଙ୍ଗରେ ମୁହଁ ଖୋଲିବାକୁ ନେଇ ରାଜନୀତି ଉଠୁଛି ପଡୁଛି।

ଚତୁର୍ଥ ପାଳି ସରକାରରେ ରାଜ୍ୟ ସରକାର ଥ୍ରୀ-ଟିର କଥା କହୁଥିଲେ। କିନ୍ତୁ ଏହାକୁ ଏତେ ମାତ୍ରାରେ ବ୍ୟାପକ କରାଯାଇ ନଥିଲା। ଏହା କେବଳ ସରକାରୀ କର୍ମଚାରୀଙ୍କ ଭିତରେ ସୀମିତ ହୋଇ ରହିଥିଲା। ହେଲେ ପଞ୍ଚମ ପାଳି ସରକାରରେ 5-Tକୁ ରାଜ୍ୟ ସରକାର ଯେମିତି ବ୍ୟାପକ କରୁଛନ୍ତି ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

5-T ପ୍ରସଙ୍ଗରେ ମନ୍ତବ୍ୟ ଦେଇ ଅପରାଜିତା ଦୀର୍ଘ ଦିନ ପରେ ରାଜ୍ୟ ରାଜନୀତିରେ ଚର୍ଚ୍ଚାକୁ ଆସିଛନ୍ତି।

ଅପରାଜିତା ପୂର୍ବରୁ ଆଇଏଏସ୍‌ ଅଫିସର ଥିଲେ। ସେ ଓଡ଼ିଶାରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହିବା ପରେ କେନ୍ଦ୍ର ଡେପୁଟେସନରେ ଯାଇଥିଲେ। କେନ୍ଦ୍ର ସରକାରରଙ୍କ ବିଭିନ୍ନ ମନ୍ତ୍ରାଳୟର ଦାୟିତ୍ୱରେ ଥିବା ଅପରାଜିତା ହଠାତ୍‌ ଚାକିରି ଛାଡ଼ି ସିଧା ସଳଖ ରାଜନୀତିକୁ ଆସିବା ପାଇଁ ନିଷ୍ପତ୍ତି ନେଲେ।

ଏହି ଖବର ବିଜୁଳି ବେଗରେ ଚାରିଆଡ଼େ ପ୍ରଚାର ହୋଇଗଲା। ଅପରାଜିତା କେଉଁ ଦଳରେ ସାମିଲ ହେବେ ତାକୁ ନେଇ ଚର୍ଚ୍ଚା ବଢ଼ିଲା। ୨୦୧୮ ନଭେମ୍ବର ୧୭ରେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଅପରାଜିତା ନୂଆଦିଲ୍ଲୀରେ ଅମିତ ଶାହଙ୍କ ବାସଭବନରେ ପଦ୍ମ ଧରିଥିଲେ।

ଅପରାଜିତା ନୂଆଦିଲ୍ଲୀରେ ପଦ୍ମ ଧରି ଯେଉଁଦିନ ଭୁବନେଶ୍ୱର ଆସିଲେ ସେହିଦିନ ବିଜେପି କର୍ମୀ ତାଙ୍କୁ ବିପୁଳ ସମ୍ବର୍ଦ୍ଧନା ଦେଇ ପାର୍ଟି ଅଫିସକୁ ପାଛୋଟି ଆଣିଥିଲେ। ଅପରାଜିତାଙ୍କ ଭଳି ଜଣେ ଦକ୍ଷ ଅଫିସର ବିଜେପିରେ ଯୋଗ ଦେଇଥିବାରୁ ଦଳ ଆଗକୁ ବଢ଼ିବ ବୋଲି ଚର୍ଚ୍ଚା ହେଲା। ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଅପରାଜିତାଙ୍କ ହୋର୍ଡିଂ ଲାଗିଲା। ଅପରାଜିତାଙ୍କୁ ଓଡ଼ିଶା ବିଜେପିର ପୋଷ୍ଟର ଗର୍ଲ ବୋଲି କୁହାଗଲା।

ଶେଷରେ ଅପରାଜିତା ଭୁବନେଶ୍ୱର ଲୋକସଭା ଆସନକୁ ନେଇ ଅଙ୍କ କଷିଲେ। ବିଜେପି ତାଙ୍କୁ ପ୍ରାର୍ଥୀ କଲା। ଅପରାଜିତାଙ୍କୁ ଚେକ୍ ଦେବା ପାଇଁ ବିଜେଡି ବି ଗେମ୍‌ପ୍ଲାନ୍‌ କଲା। ଆଇଏଏସ୍‌ ଅପରାଜିତାଙ୍କୁ ଚେକ୍‌ ଦେବା ପାଇଁ ବିଜେଡି ପୂର୍ବତନ ଆଇପିଏସ୍‌ ଅଫିସର ଅରୂପ ପଟ୍ଟନାୟକଙ୍କୁ ପ୍ରୋଜେକ୍ଟ କଲା। ହେଲେ ଅରୂପଙ୍କ ଆଗରେ ଅପରାଜିତାଙ୍କ ପଲ୍ଲା ଭାରି ହୋଇଗଲା। ଅପରାଜିତା ଭୁବନେଶ୍ୱର ସାଂସଦ ହୋଇଗଲେ।

ଗତ ୪ ମାସ ତଳେ ଅପରାଜିତା ଯେମିତି ଚର୍ଚ୍ଚାରେ ଥିଲେ ନିର୍ବାଚନ ପରେ ତାଙ୍କୁ ନେଇ ଚର୍ଚ୍ଚା ଥମିଗଲା। ହେଲେ ଆଜି ପୁଣି ଅପରାଜିତା ଚର୍ଚ୍ଚାକୁ ଆସିଛନ୍ତି। ରାଜ୍ୟ ସରକାରଙ୍କ 5-Tକୁ ସମାଲୋଚନା କରି ଅପରାଜିତା ରାଜନୀତି ପାଣିପାଗକୁ ଗରମ କରିଛନ୍ତି।

‘‘ଶାସନର ୨୦ ବର୍ଷ ପରେ ରାଜ୍ୟ ସରକାର 5-T କାହିଁକି ଆଣିଲେ। ପୂର୍ବରୁ ଏହା କ’ଣ ଆମ ବ୍ୟବସ୍ଥାରେ ନଥିଲା କି? ଏଥିରେ କିଛି ନୂଆ କଥା ନାହିଁ। ଏହା ବହୁତ ପୁରୁଣା। ମୁଁ ଆଇଏଏସ୍‌ ଟ୍ରେନିଂ ନେଉଥିବା ବେଳେ 5-T ଟ୍ରେନିଂ ଦିଆଯାଉଥିଲା’’, କହିଥିଲେ ଅପରାଜିତା।

ଖାଲି ସେତିକି ନୁହେଁ, ଜଣେ ବ୍ୟକ୍ତିଙ୍କୁ କାହିଁକି 5-T ଦାୟିତ୍ୱ ଦିଆଗଲା ତାକୁ ନେଇ ଅପରାଜିତା ପ୍ରଶ୍ନ ଉଠାଇଥିଲେ।

ଅପରାଜିତାଙ୍କ ଏହି ମନ୍ତବ୍ୟର ଜବାବ ଦେବା ପାଇଁ ବିଜେଡି ନେତା ଆଗେଇ ଆସିଥିଲେ। ଅପରାଜିତାଙ୍କ ବିପକ୍ଷରେ ପ୍ରାର୍ଥୀ ହୋଇଥିବା ଅରୂପ ପଟ୍ଟନାୟକ ଏବଂ ମୁଖପାତ୍ର ସମ୍ମିତ ପାତ୍ର ଜବାବ ଦେଇଥିଲେ।

ଅରୂପ କହିଥିଲେ, ‘‘ଆଇଏଏସ୍‌ ଏବଂ ଆଇପିଏସ୍‌ ଟ୍ରେନିଂ ବେଳେ କ’ଣ ହୁଏ ତାହା ମୁଁ ଜାଣିଛି। ସେଠାରେ ଆମକୁ ଲେଫ୍ଟ ରାଇଟ୍ ଶିଖା ଯାଉଥିଲା। ଲୋକଙ୍କ ସହ କେମିତି ମିଶିବେ ଏବଂ ବସିବେ ତାହା ଶିକ୍ଷା ଦିଆଯାଏ ନାହିଁ। ସେ ଭଦ୍ର ମହିଳା 5-T ଟ୍ରେନିଂ ନେଇଥିବେ, କିନ୍ତୁ ମୁଁ କେବଳ ପରେଡ୍‌ ଶିଖିଛି।’’

ରାଜ୍ୟସଭା ସାଂସଦ ତଥା ମୁଖପାତ୍ର ସସ୍ମିତ ପାତ୍ର ଅପରାଜିତାଙ୍କୁ ମଧ୍ୟ ଜବାବ ଦେଇଛନ୍ତି। ସେ କହିଛନ୍ତି ଯେ 5-T ଗୋଟିଏ ବିଭାଗ ନୁହେଁ, ଏହା ହେଉଛି ଏକ ଚାଟର। 5-Tର ପରିକଳ୍ପନା ଭିନ୍ନ। ସରକାରୀ କର୍ମଚାରୀଙ୍କୁ ସୁପରିଚାଳିତ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ। ଜଣେ ପୂର୍ବତନ ପ୍ରଶାସିକାଙ୍କଠାରୁ ଏଭଳି ମନ୍ତବ୍ୟ ଆଶା କରାଯାଉ ନଥିଲା।

1 COMMENT

Comment