ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ସରକାର ଗଠନକୁ ନେଇ ମହାରାଷ୍ଟ୍ର ରାଜନୀତିରେ ମହାଭାରତ ସୃଷ୍ଟି ହୋଇଛି। ଦିନ ପରେ ଦିନ ଗଡୁଛି, ହେଲେ ବିଜେପି-ଶିବସେନା ଭିତରେ ଦେଖାଦେଇଥିବା ବିବାଦ ସମାଧାନ ହେବାର ନାଁ ଧରୁନି। ଶିବସେନା ଫିପ୍ଟି-ଫିପ୍ଟି ଫର୍ମୁଲା ଜିଦିରେ ଅଟଳ ରହିଥିବା ବେଳେ ବିଜେପି ଦେବେନ୍ଦ୍ର ଫଡ୍‌ନାବିସ୍‌ଙ୍କୁ ମୁଖ୍ୟମନ୍ତ୍ରୀ କରିବା ଜିଦିରେ ଅଟଳ ରହିଛି।

ବିଜେପି-ଶିବସେନା ଭିତରେ ଦେଖାଦେଇଥିବା ବିବାଦରୁ କଂଗ୍ରେସ ଫାଇଦା ନେବାକୁ ଅଣ୍ଟା ଭିଡ଼ିଛି। ବିଜେପିକୁ ଚେକ୍‌ ଦେବା ପାଇଁ କଂଗ୍ରେସ ଶିବସେନାକୁ ସମର୍ଥନ କରି ମହାରାଷ୍ଟ୍ରରେ ସରକାର ଗଠନ କରିବାକୁ ଅଣ୍ଟା ଭିଡ଼ିଛି। ହେଲେ ଏଥିରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ସହମତ ହେଉ ନାହାନ୍ତି।

ସୋନିଆଙ୍କୁ ରାଜି କରିବା ପାଇଁ ମହାରାଷ୍ଟ୍ର କଂଗ୍ରେସ ନେତା ଉଦ୍ୟମ ଆରମ୍ଭ କରିଛନ୍ତି। ମହାରାଷ୍ଟ୍ର କଂଗ୍ରେସ ନେତା ଅଶୋକ ଚୌହାନ, ପୃଥ୍ୱୀରାଜ ଚୌହାନ, ବାଲାସାହେବ ଥୋରାଟ, ମଣିରାଓ ଠାକ୍‌ରେ ସୋନିଆଙ୍କୁ ନୂଆଦିଲ୍ଲୀସ୍ଥିତ ବାସଭବନରେ ଭେଟି ଆଲୋଚନା କରିଛନ୍ତି।

ଶିବସେନା ନେତା ସଞ୍ଜୟ ରାୱତ ମହାରାଷ୍ଟ୍ରରେ ଶିବସେନା ସରକାର ଗଠନ କରିବ ବୋଲି ଦୃଢ଼ତାର ସହ କହିଛନ୍ତି। ଫିପ୍ଟି-ଫିପ୍ଟି ପଲିସି କଥା ସେ ଦୋହରାଇଛନ୍ତି। ହେଲେ ବିଜେପି ଏଥିରେ ରାଜି ହେଉ ନଥିବାରୁ ଅଡୁଆ ବଢ଼ୁଛି।

୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ରରେ ସରକାର ଗଠନ କରିବା ପାଇଁ ୧୪୫ ବିଧାୟକଙ୍କ ସମର୍ଥନ ଦରକାର। କୌଣସି ଦଳ ପାଖରେ ୧୪୫ ବିଧାୟକଙ୍କ ସମର୍ଥନ ନାହିଁ। ବିଜେପି ପାଖରେ ୧୦୫ ବିଧାୟକ ରହିଥିବା ବେଳେ ଶିବସେନା ପାଖରେ ୫୬, ଏନ୍‌ସିପି ପାଖରେ ୫୪ ଏବଂ କଂଗ୍ରେସ ପାଖରେ ୪୪ ବିଧାୟକ ଅଛନ୍ତି।

ନିର୍ବାଚନ ବେଳେ ବିଜେପି-ଶିବସେନା ମେଣ୍ଟ କଂଗ୍ରେସ-ଏନସିପି ମେଣ୍ଟ ବିରୋଧରେ ଲଢ଼ିଥିଲେ। ଶିବସେନା ଚାହୁଁଛି ଯଦି ବିଜେପିର ସମର୍ଥନ ମିଳୁନି ତାହାଲେ ଏନସିପି-କଂଗ୍ରେସର ସମର୍ଥନରେ ସରକାର ଗଠନ କରିବ। କିନ୍ତୁ ଏନ୍‌ସିପି ବିରୋଧୀ ଦଳ ଆସନରେ ବସିବାକୁ ଚାହୁଁଛି। ଏଣୁ ମହାରାଷ୍ଟ୍ରର ଗଣିତ ବେଳକୁ ଜଟିଳ ହେଉଛି ପଛେ କୌଣସି ନିଷ୍କର୍ସ ବାହାରି ପାରୁନି।

Comment