ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟ ସରକାର ଯେବେଠୁ 5-T ଅଭିଯାନ ଆରମ୍ଭ କଲେଣି ସେବେଠୁ ମନ୍ତ୍ରୀମାନଙ୍କୁ ଆଉ ଫୁର୍‌ସତ୍‌ ନାହିଁ। ମନ୍ତ୍ରୀମାନେ ବିଭିନ୍ନ ଅଞ୍ଚଳ ଗସ୍ତ କରି ଲୋକଙ୍କ ସହ ଯୋଡି ହେଉଛନ୍ତି। କେଉଁ ମନ୍ତ୍ରୀ ସ୍କୁଲ ଯାଇ ପାଠ ପଢ଼ା ତଦାରଖ କଲେଣି ତ ଆଉ କିଏ ଆହାର କେନ୍ଦ୍ର ଯାଇ ଭାତ ଡାଲ୍‌ମା ଖାଇଲେଣି। ହେଲେ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ଆଉ ପାଦେ ଆଗକୁ ଯାଇଛନ୍ତି। ସ୍କୁଲରେ ସେ ପିଲାମାନଙ୍କୁ ପାଠ ପଢ଼ାଇଛନ୍ତି।

ପୂର୍ବରୁ ଗଣଶିକ୍ଷା ମନ୍ତ୍ରୀ ସ୍କୁଲରେ ପିଲାମାନଙ୍କୁ ବିଭିନ୍ନ ପ୍ରଶ୍ନ ପଚାରି ଫେରି ଆସିଥିବା ବେଳେ ତୁଷାରକାନ୍ତି କଳାପଟାରେ ଗଣିତ ପଢ଼ାଇଥିବା ଦେଖିବାକୁ ମିଳିଛି। ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକରେ କ୍ରୀଡ଼ା ମନ୍ତ୍ରୀଙ୍କର ଏହି ଅବତାର ଦେଖିବାକୁ ମିଳିଛି।

ଅସ୍ତରଙ୍ଗ ବ୍ଲକର ଝାଡ଼ଲିଙ୍ଗ ଓ ନୂଆଗଡ଼ ପଞ୍ଚାୟତରେ ହୋଇଥିଲା ବିଜେଡିର ପଦଯାତ୍ରା। ଏଥିରେ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ସାମିଲ ହୋଇଥିଲେ। ପଦଯାତ୍ରା ଶେଷ ହେବା ପରେ ମନ୍ତ୍ରୀ ହଠାତ୍‌ ନୂଆଗଡ଼ ବାସୁଳେଇ ବିଦ୍ୟାପୀଠ ପରିଦର୍ଶନ କରିଥିଲେ।

ପିଲାମାନଙ୍କ ସହ କଥା ହେବା ସହ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଗଣିତ ପଢ଼ାଇଥିଲେ। ତୁଷାରକାନ୍ତି ୨୦୧୯ ନିର୍ବାଚନରେ କାକଟପୁର ବିଧାନସଭା ଆସନରୁ ଲଢ଼ି ବିଧାନସଭାକୁ ଆସିଥିଲେ। ସେ ନବୀନ ସରକାରରେ କ୍ରୀଡ଼ା, ଯୁବ ବ୍ୟାପାର ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଛନ୍ତି। ଆଇଆଇଟି ଖଡ଼ଗପୁରରେ ପାଠ ପଢ଼ିଥିବା ତୁଷାରକାନ୍ତି ସେଞ୍ଚୁରିଆନ୍‌ ବିଶ୍ୱବିଦ୍ୟାଳୟରେ ଅସିଷ୍ଟାଣ୍ଟ ପ୍ରଫେସର ଥିଲେ।

ପୂର୍ବରୁ ଜିଲ୍ଲାପାଳମାନେ ବିଭିନ୍ନ ସ୍କୁଲ ପରିଦର୍ଶନରେ ଯାଇ ପିଲାମାନଙ୍କୁ ପାଠ ପଢ଼ାଉଥିବା ଦେଖିବାକୁ ମିଳିଥିଲା। ହେଲେ ଏବେ ମନ୍ତ୍ରୀ ପାଠ ପଢ଼ାଇବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।

Comment