ଓଡ଼ିଶାଲାଇଭ୍ ବ୍ୟୁରୋ

(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ଶିମିଳିପାଳ ଅଭୟାରଣ୍ୟର ଆକର୍ଷଣ ବହୁ ଦେଶ ବିଦେଶର ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିଥାଏ। ସେଥିପାଇଁ ପର୍ଯ୍ୟଟକମାନେ ଅପେକ୍ଷା କରି ରହିଥା’ନ୍ତି କେବେ ଅଭୟାରଣ୍ୟ ବୁଲିବାର ସୁଯୋଗ ମିଳିବ।

ଶୁକ୍ରବାର ଅଭୟାରଣ୍ୟକୁ ପର୍ଯ୍ୟଟକମାନଙ୍କ ପାଇଁ ଖୋଲାଯାଇଛି। ଜାତୀୟଉଦ୍ୟାନ ଶିମିଳିପାଳର ଆକର୍ଷଣ ବେଶ୍‌ ନିଆରା। ପ୍ରାକୃତିକ ସଂପଦଭରା ଏହି ଜାତୀୟଉଦ୍ୟାନରେ ନିଜ ପରିବାର କିମ୍ବା ବନ୍ଧୁମାନଙ୍କ ସହ ବୁଲି ଶାଳଜଙ୍ଗଲର ଗନ୍ଧ ସହିତ ଅଭୟାରଣ୍ୟରେ ଥିବା ଭିନ୍ନ ଭିନ୍ନ ପ୍ରଜାତିର ଜୀବଜନ୍ତୁମାନଙ୍କୁ ଦେଖିବାର ଆଶା ଟାଣି ଆଣିଥାଏ ପର୍ଯ୍ୟଟକମାନଙ୍କୁ। ଚଳିତବର୍ଷ ପାଇଁ ଏହି ଜାତୀୟଉଦ୍ୟାନ ଆଜିଠାରୁ ଖୋଲାଯାଉଥିବାରୁ ପର୍ଯ୍ୟଟକମାନେ ସକାଳୁ ଜଙ୍ଗଲକୁ ପଶିବାର ସୁଯୋଗକୁ ହାତଛଡ଼ା କରି ନଥିଲେ। ମନରେ ଅନେକ ଆଶା ଓ ଆକାଂକ୍ଷାକୁ ପାଥେୟକରି ଉଭୟ ଯଶୀପୁର ଏବଂ ଲୁଲୁଂ ଗେଟରେ ପ୍ରବେଶ କରିଥିଲେ ଶତାଧିକ ପର୍ଯ୍ୟଟକମାନେ। ସେଥପାଇଁ ଶିମିଳିପାଳ କର୍ତ୍ତୃପକ୍ଷ ମଧ୍ୟ ଲୁଲୁଂ ଏବଂ ଯଶୀପୁର ଗେଟ୍‌ ନିକଟରେ ଉପସ୍ଥିତ ରହି ଏହି ପର୍ଯ୍ୟଟକମାନଙ୍କୁ ସ୍ଵାଗତ କରିଥିଲେ।

ଚଳିତବର୍ଷ ଅଭୟାରଣ୍ୟ ମଧ୍ୟରେ ପର୍ଯ୍ୟଟକମାନଙ୍କ ପାଇଁ ଅନେକ କିଛି ସୁବିଧା ସୁଯୋଗର ବ୍ୟବସ୍ଥା କରିଛନ୍ତି ଶିମିଳିପାଳ କର୍ତ୍ତୃପକ୍ଷ। ଯାତ୍ରୀମାନଙ୍କ ସୁରକ୍ଷା ବ୍ୟବସ୍ଥାଠାରୁ ଆରମ୍ଭ କରି ଜାତୀୟଉଦ୍ୟାନକୁ ଉପଭୋଗ କରିବାର ସୁଯୋଗ, ଖାଦ୍ୟ ପାନୀୟ ଏବଂ ରାତ୍ରୀ ରହଣୀର ମଧ୍ୟ ବ୍ୟବସ୍ଥା ରଖାଯାଇଛି। ପର୍ଯ୍ୟଟକମାନେ ଶିମିଳିପାଳ ମଧ୍ୟକୁ ପ୍ରବେଶ କରିବା ପୂର୍ବରୁ ଗେଟ୍‌ ନିକଟରେ ସେମାନକୁ ଏଣ୍ଟ୍ରି ପାସ୍‌ ଯୋଗାଇ ଦିଆଯାଇଥିବା ବେଳେ, ଶିମିଳିପାଳ ଭିତରକୁ ଯିବାପାଇଁ ରଖାଯାଇଥିବା ନିୟମକାନୁନ ସଂପର୍କରେ ମଧ୍ୟ ସେମାନଙ୍କୁ ଅବଗତ କରାଯାଇଥିଲା।

ଏତଦ୍‌ବ୍ୟତୀତ ପର୍ଯ୍ୟଟକମାନଙ୍କ ପାଇଁ ଅଭୟାରଣ୍ୟ ମଧ୍ୟରେ ରଖାଯାଇଥିବା ବ୍ୟବସ୍ଥା ଏବଂ ସୁବିଧା ସୁଯୋଗ ସଂପର୍କରେ ସୂଚନା ଦିଆଯାଇ ପ୍ରତି ଗାଡ଼ିରେ ଜଣେ ଜଣେ ଗାଇଡ୍‌ମାନଙ୍କୁ ମଧ୍ୟ ଛଡ଼ାଯାଇଥିଲା। ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଅଭୟାରଣ୍ୟ ଭିତରକୁ ପ୍ରବେଶ କରିବା ଏବଂ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ବାହାରକୁ ବାହାରିବା ଉପରେ ମଧ୍ୟ ସୂଚନା ଦିଆଯାଇଥିଲ।।

କୁଅଁ।ରୀ, ଜାମୁଆଣୀ, ଗୁଡୁଗୁଡ଼ିଆ କିମ୍ବା ରାମତୀର୍ଥରେ ରାତ୍ରୀଯାପନର ମଜା ସାଙ୍ଗକୁ ମୁକ୍ତାପୁରର ଖାଦ୍ୟ ପର୍ଯ୍ୟଟକମାନଙ୍କୁ ନିଶ୍ଚୟ ଆକୃଷ୍ଟ କରିବ ବୋଲି ଉଦ୍ୟାନ ବୁଲିବାକୁ ଯାଉଥିବା ପର୍ଯ୍ୟଟକମାନେ ମଧ୍ୟ ଆଶାବାଦୀ। ପ୍ରଥମ ଦିନରେ ଲୁଲୁଂ ଓ ଯଶୀପୁର ପଟରୁ ୧୭ ଗୋଟି ଗାଡ଼ିରେ ପ୍ରାୟ ୧୫୦ରୁ ଉର୍ଦ୍ଧ୍ଵ ପର୍ଯ୍ୟଟକମାନେ ଅଭୟାରଣ୍ୟ ଭିତରକୁ ପ୍ରବେଶ କରିଥିବାର ଜଣାପଡ଼ିଛି।

ବର୍ଷା ଦିନରେ ବନ୍ଦ ରହିଥିବା ଏହି ଜାତୀୟଉଦ୍ୟାନକୁ ଚଳିତବର୍ଷ ପାଇଁ ଆଜି ଖୋଲାଯାଉଥିବାରୁ ଏହାର ମଜା ନେବାକୁ ପର୍ଯ୍ୟଟକମାନଙ୍କ ମନରେ ବେଶ୍‌ ଆଗ୍ରହ ଦେଖାଦେଇଥିଲା। ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ପର୍ଯ୍ୟଟକମାନେ ପ୍ରଥମ ଦିନର ନିଆରା ମଜା ନେବାକୁ ବେଶ ଉତ୍କଣ୍ଠାର ସହିତ ନିଜ ନିଜର ପରିବାର ସାଙ୍ଗସାଥୀମାନଙ୍କୁ ଧରି ପ୍ରବେଶ କରିଛନ୍ତି।

Comment