ଓଡ଼ିଶାଲାଇଭ୍ ବ୍ୟୁରୋ

(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ପର୍ଯ୍ୟଟକଙ୍କ ପାଇଁ ଶନିବାରଠାରୁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ। ପ୍ରତି ବର୍ଷ ନଭେମ୍ବର ପହିଲାରୁ ଅଭୟାରଣ୍ୟ ଖୋଲା ଯାଉଥିବାବେଳେ ଚଳିତ ବର୍ଷ ଆଗୁଆ ଖୋଲାଯାଇଛି। ପ୍ରଥମ ଦିନରେ ପର୍ଯ୍ୟଟଙ୍କକୁ ସ୍ଵାଗତ କରିବା ଲାଗି ସ୍ଵତନ୍ତ୍ର ଆୟୋଜନ କରାଯାଇଥିଲା। ପାରମ୍ପରିକ ବାଦ୍ୟ ଓ ନାଚଗୀତ ସହ ଫୁଲ ଦେଇ ପର୍ଯ୍ୟଟକଙ୍କୁ ସ୍ଵାଗତ କରାଯାଇଥିଲା।

ସକାଳ ୬ଟାରୁ ୯ଟା ପର୍ଯ୍ୟନ୍ତ ପ୍ରବେଶ ପାଇଁ ଅନୁମତି ରହିଛି। ଉଭୟ ପିଠବଟା ଓ ଯଶୀପୁର ପଟରୁ ପ୍ରବେଶ ପାଇଁ ଅନୁମତି ଦିଆଯାଇଛି। ପିଠବଟା ଗେଟ ନିକଟରେ ଶିମିଳିପାଳ ଅଭୟାରଣ୍ୟ ସ୍ଥିତ ବ୍ୟାଘ୍ର ପ୍ରକଳ୍ପ ଉପନିର୍ଦେଶକ ଡକ୍ଟର ସମ୍ରାଟ ଗୌଡ଼ା ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରି ପର୍ଯ୍ୟଟକମାନଙ୍କୁ ସ୍ୱାଗତ କରିଥିଲେ।

ଅନୁରୂପ ଭାବରେ ଯଶୀପୁର ପଟରୁ ମଧ୍ୟ ଅଭୟାରଣ୍ୟର ଅନ୍ୟ ଏକ ଗେଟ ଖୋଲାଯାଇଛି। ସେଠାରେ ମଧ୍ୟ ଶିମିଳିପାଳ ଅଭୟାରଣ୍ୟ ଅଧିକାରୀମାନେ ପ୍ରବେଶ ପଥରେ ଉପସ୍ଥିତ ରହି ପର୍ଯ୍ୟଟକମାନଙ୍କୁ ସ୍ୱାଗତ କରିଥିଲେ।

ପ୍ରଥମ ଦିନରେ ପିଠାବଟା ପଟରୁ ୯ଟି ଗାଡ଼ି ଶିମିଳିପାଳ ବୁଲିବାକୁ ଅନୁମତି ନେଇଥିବାବେଳେ ୫୫ ଜଣ ପର୍ଯ୍ୟଟକ ଏବଂ ଯଶୀପୁର ପଟରୁ ମାତ୍ର ୩ଟି ଗାଡ଼ିରେ ୧୫ ଜଣ ପର୍ଯ୍ୟଟକ ଅଭୟାରଣ୍ୟରେ ପ୍ରବେଶ କରିଛନ୍ତି। ଚଳିତ ବର୍ଷ ଶିମିଳିପାଳ ଅଭୟାରଣ୍ୟକୁ ସମ୍ପୂର୍ଣ୍ଣ ପ୍ଲାଷ୍ଟିକ୍ ମୁକ୍ତ ଘୋଷଣା କରାଯାଇଛି। ଅଭୟାରଣ୍ୟ ଭିତରେ ପର୍ଯ୍ୟଟକମାନଙ୍କ ପାଇଁ ଖାଦ୍ୟପେୟର ବ୍ୟବସ୍ଥା କରାଯାଇଛି। ମ‌ହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଭ୍ୟାମାନଙ୍କୁ ଅଭୟାରଣ୍ୟ ଭିତରେ ଷ୍ଟଲ୍ କରିବାକୁ ସୁଯୋଗ ଦିଆଯାଇଛି। ପର୍ଯ୍ୟଟକମାନଙ୍କ ସୁରକ୍ଷା ପାଇଁ ବନବିଭାଗ କର୍ମଚାରୀ ଏବଂ ପୋଲିସ ନିୟୋଜିତ ହୋଇଛନ୍ତି।

ଚଳିତ ବର୍ଷ ଅଧିକ ସଂଖ୍ୟକ ପର୍ଯ୍ୟଟକଙ୍କ ଆଗମନ ଆଶା ରଖିଛନ୍ତି ଶିମିଳିପାଳ କର୍ତ୍ତୃପକ୍ଷ। ଶିମିଳିପାଳ ଅଭୟାରଣ୍ୟ ଖୋଲିବାର ପ୍ରଥମ ଦିନରେ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟର ମଜ୍ଜା ନେବାକୁ ପର୍ଯଟକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି।

Tags: #Similipal #TigerReserve #PCCFOdisha #Nature #Sanctuary #Odisha #Mayurbhanj

Comment