ଓଡ଼ିଶାଲାଇଭ୍ ବ୍ୟୁରୋ

କଂଗ୍ରେସକୁ ଫେରିଛି ପୁଣି ପୁରୁଣା ରୋଗ। ଦିନକୁ ଦିନ ରାଜ୍ୟରେ କଂଗ୍ରେସର ସ୍ଥିତି ତଳକୁ ଯାଉଥିବାବେଳେ ଦଳଭିତରେ ପିସିସି ସଭାପତି ପରିବର୍ତ୍ତନ ପାଇଁ ଅଣ୍ଟାଭିଡ଼ିଛନ୍ତି ଗୋଟିଏ ଗୋଷ୍ଠୀ।

ଗୁରୁବାର ପିସିସି ସଭାପତି ପରିବର୍ତ୍ତନ ପାଇଁ ଭୁବନେଶ୍ୱରରେ ନିରଞ୍ଜନ ବିରୋଧୀ ଗୋଷ୍ଠୀଙ୍କର ଏକ ବୈଠକ ବସିଥିଲା। ଏଥିରେ କଟକ ବାରବାଟୀ ବିଧାୟକ ଇଞ୍ଜିନିୟର ମହମ୍ମଦ ମୋକିମଙ୍କ ପରବର୍ତ୍ତୀ ପିସିସି ସଭାପତି ପାଇଁ ଚୟନ କରାଯାଇଛି। ଆସନ୍ତା ୧୦ ତାରିଖରେ ଦିଲ୍ଲୀଯାଇ ଏନେଇ କଂଗ୍ରେସ ଅଧ୍ୟକ୍ଷା ସୋନିଆଙ୍କୁ ସାକ୍ଷାତ କରାଯିବ। ଏହାସହ ମୋକିମଙ୍କୁ ପିସିସି ସଭାପତି କରାଇବା ଲାଗି ଦାବି ଉପସ୍ଥାପନ କରାଯିବ ବୋଲି କହିଛନ୍ତି ପୂର୍ବତନ ପିସିସି ମୁଖପାତ୍ର ଅଶୋକ ସାମଲ।

କିଛିଦିନ ତଳେ ନିରଞ୍ଜନଙ୍କୁ ପିସିସି ସଭାପତି ପଦରୁ ହଟାଇବା ଲାଗି ବାପି ସର୍ଖେଲଙ୍କ ନେତୃତ୍ୱରେ ଗୋଟିଏ କଂଗ୍ରେସ ଗୋଷ୍ଠୀ ଭୁବନେଶ୍ୱର ପାନ୍ଥନିବାସରେ ଏକାଠି ହୋଇଥିଲେ। ସେଠାରେ ବର୍ତ୍ତମାନର ପିସିସି ସଭାପତି ଥିବା ନିରଞ୍ଜନଙ୍କୁ ତାଙ୍କ ପଦରୁ ହଟାଇବାକୁ ଆଲୋଚନା ହୋଇଥିଲା।

ସେ ସମୟରେ ନିରଞ୍ଜନ କହିଥିଲେ, ‘‘ଯେଉଁମାନେ ପିସିସି ସଭାପତି ହେବାକୁ ଚାହୁଁଛନ୍ତି ସେମାନେ ମତେ କୁହନ୍ତୁ। ମୁଁ ସେମାନଙ୍କ ନାଁ ଏଆଇସିସିକୁ ସୁପାରିଶ କରିବି। ମତେ ବାହାର କରିବା ପାଇଁ ବୈଠକ କରିବା କିଛି ଦରକାର ନାହିଁ। ମୁଁ ଏହି ପଦବୀରେ ରହିବାକୁ ଚାହୁଁନି।”

ନିରଞ୍ଜନଙ୍କ ଏଭଳି ବୟାନର ଦୁଇଦିନପରେ ବିରୋଧୀ ମେଳି କରୁଥିବା ଅନେକ କଂଗ୍ରେସ ନେତା ଆସି ନିରଞ୍ଜନଙ୍କ ଶରଣ ପଶିଥିଲେ। ହେଲେ ରବିବାର ଏହି ବିରୋଧୀ ଗୋଷ୍ଠୀ ପୁଣି ନିରଞ୍ଜନ ହଟାଅ ଅଭିଯାନରେ ସାମିଲ ହୋଇଛନ୍ତି।

Comment