ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

କେନ୍ଦ୍ରାପଡ଼ାର ଗୋଟିଏ ଖବରକୁ ନେଇ ଏବେ ସାରା ରାଜ୍ୟ ଉଠୁଛି ପଡୁଛି। ତାହା ହେଉଛି ପ୍ରମୋଦ ସାହୁଙ୍କ ଗିରଫଦାରୀକୁ ନେଇ। ତେବେ ଏହି ପ୍ରମୋଦ ସାହୁ କିଏ ଏବଂ କାହିଁକି ତାଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କଲା ଜାଣନ୍ତୁ ପୂରା ଖବର।

କାହିଁକି ବନ୍ଧା ହେଲେ?

କେନ୍ଦ୍ରାପଡ଼ା କ୍ରେଡିଟି କୋ-ଅପରେଟିଭ୍‌ ସୋସାଇଟିର ସଭାପତି ଥିବା ପ୍ରମୋଦ ସାହୁଙ୍କ ନାଁରେ ଥିଲା ସାଂଘାତିକ ଅଭିଯୋଗ। ଜଣେ ମହିଳା କର୍ମଚାରୀଙ୍କୁ ଯୌନ ଶୋଷଣ ଦେବା ଅଭିଯୋଗରେ ପୋଲିସ ତାଙ୍କୁ ଗିରଫ କରିଛି। ଏହାସହ ସେ ବିଜେଡିର ରାଜ୍ୟ ସମ୍ପାଦକ ଥିବା କୁହାଯାଉଛି।

କେନ୍ଦ୍ରାପଡ଼ା କୋ-ଅପରେଟିଭ୍‌ ସୋସାଇଟିର ସଭାପତି ଏବଂ ଶାସକ ବିଜେଡିର ସମ୍ପାଦକ ଥିବାରୁ ସାରା ରାଜ୍ୟ ଏବେ ଉଠୁଛି ପଡୁଛି।

କ’ଣ ଥିଲା ଘଟଣା?

ଗତ ୫ ମାସ ତଳର ଘଟଣା। କେନ୍ଦ୍ରାପଡ଼ା କ୍ରେଡିଟ୍‌ କୋ-ଅପରେଟିଭ୍‌ ସୋସାଇଟିର ଜଣେ ମହିଳା କର୍ମଚାରୀ ପ୍ରମୋଦଙ୍କ ନାଁରେ ଅଭିଯୋଗ ଆଣିଥିଲେ। ସେ ଅଭିଯୋଗରେ ଦର୍ଶାଇଥିଲେ ଯେ ପ୍ରମୋଦ ତାଙ୍କ ଚାମ୍ବରଙ୍କୁ ସବୁଦିନ ଡାକନ୍ତି। ମୋବାଇଲ୍‌ ଶିଖିବା ନାଁରେ ଅଶ୍ଲୀଳ ଇଙ୍ଗିତ ପ୍ରଦର୍ଶନ କରନ୍ତି। ଘରକୁ ଆସିଲେ ଭିଡିଓ କଲିଂ ଏବଂ ହ୍ୱାଟସ୍‌ଆପ୍‌ ମେସେଜ ଦିଅନ୍ତି। ଏହାସହ ପ୍ରମୋଦ ସଂପୃକ୍ତ ମହିଳା କର୍ମଚାରୀଙ୍କୁ ଅସଦାଚରଣ କରିଥିବା ଗତ ଏପ୍ରିଲ ୩୦ରେ କେନ୍ଦ୍ରାପଡ଼ା ଟାଉନ ଥାନାରେ ଅଭିଯୋଗ ହୋଇଥିଲା।

ହେଲେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲା। ଶେଷରେ ପୀଡ଼ିତା କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କୋର୍ଟ ମାମଲାର ଶୁଣାଣି କରି ଗତ ଜୁଲାଇରେ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବା ପାଇଁ ଟାଉନ ଥାନା ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ।

ହେଲେ ପୋଲିସ ଜୁଲାଇ ୨୩ତାରିଖରେ କେସ୍‌ ନମ୍ବର ୧୩୮/୨୦୧୯ରେ ମାମଲା ରୁଜୁ କରିଥିଲା। ଅଭିଯୁକ୍ତଙ୍କ ବିରୋଧରେ ଦଫା ୫୦୯, ୩୫୪(ଖ) (୧), ୫୦୬ ଓ ୨୯୪ ରେ ମାମଲା ରୁଜୁ କରିଥିଲା। ଏହାପରେ ବି ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିଲା। ଗିରଫ କରିବା ତ ଦୂରର କଥା, ଅଭିଯୁକ୍ତଙ୍କୁ ଡାକି ପଚରା ଉଚରା ବି କରି ନଥିଲା।

ମିଡିଆରେ ଏନେଇ ଖବର ପ୍ରସାରିତ ହୋଇଥିଲା। ପ୍ରମୋଦ ସାହୁ ଏବଂ ପୀଡ଼ିତାଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପର ଅଡିଓଟେପ୍‌ ମିଡିଆ ଏବଂ ସୋସିଆଲ ମିଡିଆରେ ଘୂରି ବୁଲିଲା। ପ୍ରମୋଦଙ୍କୁ ନେଇ ବିଜେଡି ଅପଦସ୍ତ ହେଲା। ଶେଷରେ ପୋଲିସ ଘଟଣାର ତନାଘନା କଲା।

ଗତ ବୁଧବାର ସନ୍ଧ୍ୟାରେ ସିଆର୍‌ପିସି ୧୬୪ରେ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ପୀଡ଼ିତାଙ୍କ ବୟାନ ରେକର୍ଡ ହୋଇଥିଲା। ପୀଡ଼ିତା ଲୋକାଲ କମ୍ପ୍ଲେଣ୍ଟ କମିଟି (ଏଲ୍‌ସିସି)ରେ ହାଜର ହୋଇ ନିଜ ପକ୍ଷ ରଖିଥିଲେ। ପୀଡ଼ିତାଙ୍କ ମୁହଁରୁ ନିର୍ଯାତନାର କାହାଣୀ ଶୁଣିବା ପରେ କମିଟି ଶ୍ରୀ ସାହୁଙ୍କୁ ଆସନ୍ତା ୬ ତାରିଖରେ ହାଜର ହୋଇ ପକ୍ଷ ରଖିବାକୁ ନୋଟିସ୍‌ ଦେଇଥିଲେ। କିନ୍ତୁ ଗତ ରବିବାର ରାତିରେ ବଣିଆମାଳସ୍ଥିତ ବାସଭବନରୁ ପୋଲିସ ଉଠାଇ ନେଇ ଗିରଫ କରିଥିଲା।

ପୀଡ଼ିତା ଓ ତାଙ୍କ ପରିବାରକୁ ଧମକ

ପ୍ରମୋଦଙ୍କ ଅସଲ ଚେହେରା ପଦାରେ ପଡ଼ିଯିବା ପରେ ସେ ପୀଡ଼ିତା ଏବଂ ତାଙ୍କ ପରିବାରକୁ ଧମକ ଦେଇଥିଲେ। ଏପରିକି ‘ମୁଁ ବିଜେଡି ନେତା ତୁ ମୋର କ’ଣ କରିବୁ’ କହି ଧମକ ଦେଇଥିଲେ ପ୍ରମୋଦ। କଥା ଏତିକିରେ ଶେଷ ହୋଇ ନଥିଲା, ପୀଡ଼ିତାଙ୍କୁ କେନ୍ଦ୍ରାପଡ଼ାରୁ ମାର୍ଶାଘାଈ ବଦଳି କରିଦିଆଯାଇଥିଲା। ବଦଳିର କାରଣ ପଚରା ଯିବାରୁ ପୁଣି ଧମକ ମିଳିଥିଲା।

ପୀଡ଼ିତାଙ୍କ ମା’ ମଧ୍ୟ ପ୍ରମୋଦଙ୍କୁ ଭେଟିଥିଲେ। ତାଙ୍କ ଝିଅକୁ କାହିଁକି ହଠାତ୍‌ ମାର୍ଶାଘାଈ ବଦଳି କରାଗଲା ପ୍ରଶ୍ନ କରିଥିଲେ। ହେଲେ ପ୍ରମୋଦ ବଦଳିର କାରଣ ନକହି ଓଲଟା ଧମକ ଦେଇଥିଲେ। ପରିସ୍ଥିତି ଅଣାୟତ୍ତ ହେବାରୁ ପୀଡ଼ିତା ଚାକିରୀ ଛାଡ଼ି ଦେଇଥିଲେ।

ପ୍ରମୋଦଙ୍କୁ ସମବାୟ ରେଜିଷ୍ଟ୍ରାରଙ୍କ ନୋଟିସ୍‌

ପ୍ରମୋଦ ସାହୁ ଗିରଫ ହେବା ପରେ ରାଜ୍ୟ ସମବାୟ ରେଜିଷ୍ଟ୍ରାରଙ୍କ ପକ୍ଷରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି। କାହିଁକି ତାଙ୍କୁ ସୋସାଇଟିର ସଭ୍ୟ ଏବଂ ସଭାପତି ପଦରୁ ବହକୋର କରା ନଯିବ ସେଥିପାଇଁ ୭ ଦିନ ଭିତରେ ଉତ୍ତର ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

ଓଡ଼ିଶା ସମବାୟ ସୋସାଇଟି ଆକ୍ଟ-୧୯୬୨ର ଧାରା ୩୨ ଅନ୍ତର୍ଗତ ତାଙ୍କୁ ସୋସାଇଟିର ସମସ୍ତ କାର୍ଯ୍ୟରେ ସାମିଲ ହେବା ଉପରେ କଟକଣା ଜାରି କରାଯାଇଛି। ଏହାସହ ସୋସାଇଟିର ଉପସଭାପତିଙ୍କୁ ଅସ୍ଥାୟୀ ସଭାପତି ଭାବେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Comment