ଓଡ଼ିଶାଲାଇଭ୍ ବିଜନେସ୍ ବ୍ୟୁରୋ

ଓଡ଼ିଶାର ପରିଚିତ ପ୍ରକାଶନୀ ବିଜ୍ଞାପନ ପକ୍ଷରୁ ‘ହେଲ୍‌ଥଲାଇନ୍’ ଏବଂ ‘ଏ ମିରର୍‌ ଅଫ୍ ଫାଇନାନ୍ସିଆଲ୍ ଇନଷ୍ଟିଚ୍ୟୁସନ୍ସ ଆଣ୍ଡ ବ୍ୟାଙ୍କ୍ସ ଇନ୍ ଓଡ଼ିଶା’ ନାଁରେ ଦୁଇଟି ଡାଇରେକ୍ଟୋରି ନିକଟରେ ପ୍ରକାଶ ପାଇଛି। ରବିବାର ଦିନ ଭୁବନେଶ୍ୱରସ୍ଥିତ ଉତ୍କଳ ଚାମ୍ବର କନଫରେନ୍ସ ହଲ୍‌ଠାରେ ଆୟୋଜିତ ଦୁଇଟି ଭିନ୍ନ ଉତ୍ସବ ଅବସରରେ ଏହି ଦୁଇଟି ପୁସ୍ତକ ମୁକ୍ତିଲାଭ କରିଥିଲା।

ବିଜ୍ଞାପନ ପକ୍ଷରୁ ବିଭିନ୍ନ ବିଷୟ ଉପରେ ବାର୍ଷିକ ଡାଇରେକ୍ଟୋରି ଗତ କିଛି ବର୍ଷ ହେଲା ପ୍ରକାଶ ପାଇଆସୁଛି। ଏହି ବିଭାଗଗୁଡ଼ିକ ମଧ୍ୟ ରହିଛି ଶିକ୍ଷା, ସ୍ୱାସ୍ଥ୍ୟ, ଅର୍ଥନୀତି, ରାଜନୀତି ଏବଂ ପର୍ଯ୍ୟଟନ। ପ୍ରତ୍ୟେକ ବିଷୟ ସହିତ ସମ୍ପୃକ୍ତ ଓଡ଼ିଶାର ବିଭିନ୍ନ ପ୍ରମୁଖ ଅନୁଷ୍ଠାନର ଠିକଣା ଓ ଟେଲିଫୋନ୍ ନମ୍ବର ଏହି ପୁସ୍ତକରେ ପ୍ରକାଶ ପାଇଥାଏ।

ବିଜ୍ଞାପନର ହେଲ୍‌ଥ ଲାଇନ୍ ୨୦୧୯-୨୦ ବହିଟି ଗତ ଆଠ ବର୍ଷ ଧରି ପ୍ରକାଶ ପାଇ ଆସୁଛି। ୩୪୬ ପୃଷ୍ଠାର ଏହି ପ୍ରକାଶନ ଉପରେ ରାଜ୍ୟ ମୁଖ୍ୟାଳୟ ସହିତ ବିଭିନ୍ନ ଜିଲ୍ଲା ଏପରିକି ବ୍ଲକ ସ୍ତର ପର୍ଯ୍ୟନ୍ତ ବିଭିନ୍ନ ସଂସ୍ଥାର ଠିକଣା ଓ ଟେଲିଫୋନ୍ ନମ୍ବର ରହିଛି। ଏହି ପୁସ୍ତକର ଦାମ୍ ରହିଛି ୩୦୦ଟଙ୍କା।

ହେଲ୍‌ଥ ଲାଇନ୍ ପୁସ୍ତକରେ ବିଭିନ୍ନ ସରକାରୀ ଓ ଘରୋଇ ଡାକ୍ତରଖାନାର ଟେଲିଫୋନ୍ ନମ୍ବର ରହିଛି। ସେହିପରି ବିଭିନ୍ନ ବିଭାଗର ଅନେକ ପ୍ରମୁଖ ଡାକ୍ତରଙ୍କର ନମ୍ବର ମଧ୍ୟ ଦିଆଯାଇଛି। ଏପରିକି ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଡାକ୍ତରମାନଙ୍କ ଟେଲିଫୋନ୍ ନମ୍ବର ମଧ୍ୟ ଏଥିରେ ଉଲ୍ଲେଖ ରହିଛି। ଫଳରେ ହଠାତ୍ ଦରକାର ପଡ଼ିଲେ କୌଣସି ଡାକ୍ତରଖାନା ବା ଡାକ୍ତରଙ୍କୁ ଖୋଜିବା କିମ୍ବା କୌଣସି ଜରୁରୀକାଳୀନ ସେବା ନେବା ପାଇଁ ଯୋଗାଯୋଗ କରିବା ବେଳେ ବହିଟି କାମରେ ଆସିବ।

ସେହିପରି ‘ଏ ମିରର୍‌ ଅଫ୍ ଫାଇନାନ୍ସିଆଲ୍ ଇନଷ୍ଟିଚ୍ୟୁସନ୍ସ ଆଣ୍ଡ ବ୍ୟାଙ୍କ୍ସ ଇନ୍ ଓଡ଼ିଶା’ ଡାଇରେକ୍ଟୋରିଟି ୨୩୨ ପୃଷ୍ଠା ସମ୍ବଳିତ ଏବଂ ଏହାର ଦାମ୍ ରହିଛି ୩୦୦ଟଙ୍କା। ଏହା ମଧ୍ୟ ଗତ ଆଠ ବର୍ଷ ଧରି ପ୍ରତି ବର୍ଷ ପ୍ରକାଶ ପାଇ ଆସୁଛି। ଏଥିରେ ସରକାରୀ ବ୍ୟାଙ୍କ୍, ବିଭିନ୍ନ ଘରୋଇ ବ୍ୟାଙ୍କ୍, ବିଭିନ୍ନ ସମବାୟ ବ୍ୟାଙ୍କ୍ ସହିତ ଗୃହ ଋଣ ବୀମା ଓ ସେୟାର ମାର୍କେଟ ସହ ସମ୍ପୃକ୍ତ ପ୍ରମୁଖ ସଂସ୍ଥାର ଠିକଣା ଦିଆଯାଇଛି।

‘‘ବିଜ୍ଞାପନ ପକ୍ଷରୁ ବେଶ୍ କିଛି ବର୍ଷ ଧରି ଆମେ ଏହି ଡାଇରେକ୍ଟୋରି ଛାପି ଲୋକଙ୍କ ପାଖରେ ପହଞ୍ଚାଉଛୁ। ଆମର ପ୍ରତିଟି ଡାଇରେକ୍ଟୋରି କେବଳ କଟକ, ଭୁବନେଶ୍ୱର ବା ରାଜ୍ୟର ହାତଗଣତି କେତୋଟି ବଡ଼ ସହର ଭିତରେ ସୀମିତ ନୁହେଁ। ଓଡ଼ିଶାର ଜିଲ୍ଲା ଓ ବ୍ଲକ ସ୍ତର ପର୍ଯ୍ୟନ୍ତ ଆମେ ପହଞ୍ଚିଥିବାରୁ ଏହା ଲୋକଙ୍କ ପାଇଁ ଉପାଦେୟ ହୋଇପାରୁଛି’’, ଓଡ଼ିଶାଲାଇଭ୍‌କୁ କହିଛନ୍ତି ବିଜ୍ଞାପନର ନିର୍ଦ୍ଦେଶକ ମନୋଜ ପୃଷ୍ଟି।

‘‘ଆଜିର ଡିଜିଟାଲ୍ ଯୁଗରେ ଲୋକମାନେ ସୂଚନା ପାଇବା ପାଇଁ ବେଶିମାତ୍ରାରେ ମୋବାଇଲ୍ ଉପରେ ନିର୍ଭର କରୁଛନ୍ତି। କିନ୍ତୁ ବିଜ୍ଞାପନ ପକ୍ଷରୁ ଯେଉଁ ପରିମାଣରେ ସୂଚନା ସଂଗ୍ରହ କରି ଆମେ ପ୍ରତିଟି ଡାଇରେକ୍ଟୋରିରେ ଛାପୁଛୁ ତାହା କୌଣସି ଡିଜିଟାଲ୍ ମିଡିଆରେ ହଠାତ୍ ଖୋଜିଲେ ମିଳିପାରିବ ନାହିଁ। ତେଣୁ ମୁଁ ଆଶା କରୁଛି ଯେ ଆମର ଏହି ପରିଶ୍ରମ ବିଭିନ୍ନ ଅନୁଷ୍ଠାନ ଏବଂ ବ୍ୟକ୍ତିବିଶେଷଙ୍କ କାମରେ ଲାଗିପାରୁଛି’’, କହିଛନ୍ତି ବିଜ୍ଞାପନ ସମ୍ପାଦକ ଦିଲ୍ଲୀପ ମିଶ୍ର (ଶତ୍ରୁଜିତ୍)।

ବିଜ୍ଞାପନ ପକ୍ଷରୁ ସଦ୍ୟ ପ୍ରକାଶିତ ‘ହେଲ୍‌ଥ ଲାଇନ୍’ ଏବଂ ‘ଏ ମିରର୍‌ ଅଫ୍ ଫାଇନାନ୍ସିଆଲ୍ ଇନଷ୍ଟିଚ୍ୟୁସନ୍ସ ଆଣ୍ଡ ବ୍ୟାଙ୍କ୍ସ ଇନ୍ ଓଡ଼ିଶା’ ଦୁଇଟି ବହି ସାଧାରଣ ଲୋକଙ୍କ ସହ କ୍ଷୁଦ୍ର ଓ ମଧ୍ୟମ ଧରଣର ବ୍ୟବସାୟିକ ଅନୁଷ୍ଠାନ ପାଇଁ ମଧ୍ୟ ଉପଯୋଗୀ ହୋଇପାରିବ।

ବିଜ୍ଞାପନ ପକ୍ଷରୁ ପ୍ରକାଶିତ ସମସ୍ତ ଡାଇରେକ୍ଟୋରିରେ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତିଙ୍କ ଠିକଣା ଓ ଟେଲିଫୋନ୍ ନମ୍ବର ସହ ସମସାମୟିକ କିଛି ଲେଖା ସ୍ଥାନ ପାଇଥାଏ।

ପୂର୍ବାହ୍ନରେ ଆୟୋଜିତ ‘ହେଲ୍‌ଥ ଲାଇନ୍’ ଉନ୍ମୋଚନ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଉତ୍କଳ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ୍ ଆଣ୍ଡ ହସ୍ପିଟାଲର ଡାଇରେକ୍ଟର ପ୍ରଫେସର ଡକ୍ଟର ବୀରେନ୍ଦ୍ର କିଶୋର ଦାସ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ରୂପେ ପୁରୀସ୍ଥିତ ଆଇଏମଟି ଫାର୍ମାସୀ କଲେଜ ପରିଚାଳନା ପରିଷଦ ଅଧ୍ୟକ୍ଷ ତଥା ଭାରତ ସରକାରଙ୍କ ନାରିକେଳ ପରିଷଦ ଉପାଧ୍ୟକ୍ଷ ଡାକ୍ତର ବିଶ୍ୱନାଥ ରଥ, ହିଲ୍‌ସାଇଡ ନର୍ସିଂହୋମର ଡାଇରେକ୍ଟର ତଥା ଅଲ୍ ଓଡ଼ିଶା ପ୍ରାଇଭେଟ ମେଡିକାଲ ଏଷ୍ଟାବ୍ଲିସମେଣ୍ଟ ଫୋରମ ସମ୍ପାଦକ ଡାକ୍ତର ଇନ୍ଦ୍ରମଣି ଜେନା ଏବଂ ଉତ୍କଳ ଫାର୍ମାସ୍ୟୁଟିକାଲ ମାନୁଫାକ୍ଚରର୍ସ ଆସୋସିଏସନ ସଭାପତି ମିହିର କାନୁନଗୋ ପ୍ରମୁଖ ଯୋଗଦେଇ ‘ହେଲ୍‌ଥ ଲାଇନ୍’ର ଉପାଦେୟତା ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ଡାକ୍ତର ଚିତ୍ତରଞ୍ଜନ ମିଶ୍ର, ଡାକ୍ତର ଶୋଭନ କୁମାର ରଥ, ଡାକ୍ତର ବିଶ୍ୱନାଥ ରଥ, ସ୍ୱାସ୍ଥ୍ୟ କ୍ଷେତ୍ର ସହିତ ସମ୍ପୃକ୍ତ  ଶିଳ୍ପପତି ଦିଲୀପ ଶତପଥୀ ଏବଂ ସୁନୀଲ ଦାସଙ୍କ ସମେତ ମଞ୍ଚାସୀନ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ସନ୍ଧ୍ୟାରେ ଅନୁଷ୍ଠିତ ଅନ୍ୟ ଏକ କାର୍ଯ୍ୟକ୍ରମରେ ‘ଏ ମିରର ଅଫ୍ ଫାଇନାନ୍ସିଆଲ୍ ଇନଷ୍ଟିଚ୍ୟୁସନ୍ସ ଆଣ୍ଡ ବ୍ୟାଙ୍କ୍‌ସ ଇନ୍ ଓଡ଼ିଶା’କୁ ମୁଖ୍ୟ ଅତିଥି ବିଜେଡିର ବରିଷ୍ଠ ବିଧାୟକ ଭୂପିନ୍ଦର ସିଂହ ଉନ୍ମୋଚନ କରିଥିଲେ। କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ରୂପେ ୟୁନାଇଟେଡ ଇଣ୍ଡିଆ ଇନସ୍ୟୁରାନ୍ସ କମ୍ପାନୀ ଲିମିଟେଡର ଚିଫ୍ ରିଜିଓନାଲ୍ ମ୍ୟାନେଜର ଏଲ୍ ଜ୍ୟୋତି ପ୍ରସାଦ, ବିଶିଷ୍ଟ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ରାଜୀବ ଶେଖର ସାହୁ ଏବଂ ବିଶିଷ୍ଟ ସମବାୟବିତ୍ ତଥା ରାଜ୍ୟ ବିଜେପି ମୁଖପାତ୍ର ସଜ୍ଜନ ଶର୍ମା ଯୋଗଦେଇଥିଲେ। ଏହି ଅବସରରେ ପ୍ରଶାନ୍ତ ସାହୁ ଏବଂ ଗଦାଧର ସାବତଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଜ୍ଞାପନର ନର୍ଦ୍ଦେଶକ କମଳାକାନ୍ତ ମହାନ୍ତି ଏବଂ ପ୍ରକାଶିକା ରଶ୍ମିତା ମହାପାତ୍ର ଉପସ୍ଥିତ ଥିଲେ।

 

ବିଜ୍ଞାପନର ଭୁବନେଶ୍ୱର ବରମୁଣ୍ଡାସ୍ଥିତ କାର୍ଯ୍ୟାଳୟରେ ବହି ଦୁଇଟି ଉପଲବ୍ଧ ହେଉଛି। ପାଠକମାନେ ଦୀପକ ନାୟକଙ୍କ ସହିତ ମୋବାଇଲ ନଂ ୭୫୦୪୯୯୦୨୧୮ରେ ଯୋଗାଯୋଗ କରି ପୁସ୍ତକଟିକୁ କ୍ରୟ କରିପାରିବେ।

Comment