ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁରୀ: ନିମାପଡ଼ା-ଗୋପ ରାସ୍ତାର କୁଶୁପୁର ଗାଁ ଛକ ନିକଟରେ ଶୁକ୍ରବାର ଏକ ବସ୍‌ ଓ କାର୍‌ ମୁହଁ।ମୁହିଁ ଧକ୍କା ହୋଇଛନ୍ତି। ଏଥିରେ ୧୫ରୁ ଅଧିକ ଲୋକ ଆହତ ହୋଇଥିବା ଜଣାପଡ଼ିଛି। ସ୍ଥାନୀୟ ଅଗ୍ନିଶମ ବିଭାଗ ଆହତମାନଙ୍କୁ ଉଦ୍ଧାର କରି ଗୋପ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଥିରୁ ୫ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ଅପରାହ୍ନ ୫ଟାରେ ନାଗେଶ୍ୱର ନାମକ ଏକ ଘରୋଇ ବସ୍‌ ୪୦ରୁ ଅଧିକ ଯାତ୍ରୀଙ୍କୁ ନେଇ କୋଣାର୍କ ଅଭିମୁଖେ ଯାଉଥିଲା। ବିପରୀତ ଦିଗରେ ନିମାପଡ଼ା ଥାନା ଅଧୀନ କୁଆଁଶ ତରଡ଼ାପଡ଼ା ଗ୍ରାମର ୫ଜଣ ଯୁବକ ଏକ କାର୍‌ ଯୋଗେ କୋଣାର୍କରୁ ଫେରୁଥିବାବେଳେ କୁଶୁପୁର ଗାଁ ମୁଣ୍ଡ ଛକରେ ଦ୍ରୁତ ଗତିରେ ଆସି ଏହି ବସ୍‌କୁ ଧକ୍କା ଦେଇଥିଲେ।

କାର୍‌ରେ ଥିବା ଦେବାଶିଷ ବଡ଼ଜେନା, ବାପି ବେହେରା, ରାକେଶ ସ୍ଵାଇଁ, ଅଜିତ୍‌ ବେହେରା ଓ ତାପଶ ବିଶ୍ୱାଳ ଗୁରୁତର ହୋଇଥିଲେ। ଏହାସହ ବସ୍‌ରେ ଥିବା ଲକ୍ଷ୍ମୀଧର ବେହେରା, ଇଫ୍ରାନ୍‌ ଖାନ୍‌, ସ୍ଵାଗତ ସେନାପତି ସମେତ ୧୦ଜଣ ଆହତ ହୋଇଛନ୍ତି। ଦୁର୍ଘଟଣାସ୍ଥଳରେ ପୋଲିସ ପହଞ୍ଚି କାର୍‌ ଓ ବସ୍‌କୁ ଜବତ କରି ତଦନ୍ତ ଚଳାଇଛି।

Comment