ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇଆଇଏମ୍‌ସିରେ ‘ସାଧାରଣ ପ୍ରଶାସନରେ ଗଣମାଧ୍ୟମର ଭୂମିକା’ ଉପରେ ଆଲୋଚନାଚକ୍ର।

ଆଗରୁ ଲୋକେ ସରକାରଙ୍କ ପ୍ରତି ଉତ୍ତରଦାୟୀ ଥିଲେ। ହେଲେ ଏବେ ସରକାର ସାଧାରଣ ଜନତାଙ୍କ ପ୍ରତି ଉତ୍ତରଦାୟୀ’’, କହିଛନ୍ତି ପୂର୍ବତନ ପୋଲିସ ଡିଜି ବିପିନ ବିହାରୀ ମିଶ୍ର।

ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍‍ସି)ରେ ଭାରତୀୟ ଲୋକ ପ୍ରଶାସନ ସଂସ୍ଥାନ (ଆଇଆଇପିଏ)ର ମିଳିତ ଆନୁକୂଲ୍ୟରେ ‘ସାଧାରଣ ପ୍ରଶାସନରେ ଗଣମାଧ୍ୟମର ଭୂମିକା’ ଉପରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ଯୋଗ ଦେଇଥିଲେ ବିପିନ ବିହାରୀ ମିଶ୍ର। ଭାରତରେ ଲୋକ ପ୍ରଶାସନ ଏବଂ ସ୍ୱାଧୀନତା ପୂର୍ବରୁ ଆଧୁନିକ ସମୟ ପର୍ଯ୍ୟନ୍ତ ଏହାକୁ କିପରି ଗଣମାଧ୍ୟମ ପ୍ରଭାବିତ କରୁଥିଲା ସେ ସମ୍ପର୍କରେ ସେ ଆଲୋକପରତ କରିଥିଲେ।

ସରକାର ଓ ଲୋକ ପ୍ରଶାସନ ଲୋକଙ୍କୁ ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣ କରିବା ବଦଳରେ ଏବେ ଲୋକଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦେଇ ଜନସେବା ପ୍ରଦାନ କରୁଛନ୍ତି। ସରକାରଙ୍କ ପାଖରେ ଲୋକଙ୍କୁ ନିୟନ୍ତ୍ରଣ କରିବାର କ୍ଷମତା ରହିଛି। ହେଲେ ଲୋକଙ୍କ ସାମ୍ବିଧାନିକ ଅଧିକାର ଯେପରି ଅକ୍ଷୁଣ୍ଣ ରହେ ଏବଂ ଲୋକେ ଯେପରି ସୁରକ୍ଷିତ ରହନ୍ତି, ତା’ର ଦାୟିତ୍ୱ ମଧ୍ୟ ସରକାରଙ୍କର। ଜନତା ଓ ସରକାରଙ୍କ ଭାଗିଦାରୀ ଦେଶର ବିକାଶ ପାଇଁ ବେଶ୍‍ ଗୁରୁତ୍ୱପୂର୍ଣ୍ଣ ବୋଲି ସେ ମତବ୍ୟକ୍ତ କରିଥିଲେ।

ଅନ୍ୟତମ ବକ୍ତାଭାବେ ଶିକ୍ଷାବିତ ଚିତ୍ରା କାନୁନ୍‍ଗୋ କହିଛନ୍ତି, ‘‘ଯୋଗାଯୋଗ ହେଉଛି ବେଶ୍‍ ଶକ୍ତିଶାଳୀ। ଶାସନ ଓ ଗଣମାଧ୍ୟମ ମଧ୍ୟରେ ଏକ ସଂଯୋଗ ରହିଛି। ତେବେ ଯେଉଁ ଦେଶରେ ନିରପେକ୍ଷ ଗଣମାଧ୍ୟମ ରହିଛି, ସେଠାରେ ଏକ ଉତ୍ତମ ଶାସନ ବ୍ୟବସ୍ଥା ରହିପାରିବ।’’

ଏହି ଆଲୋଚନାଚକ୍ରରେ ଅଧ୍ୟକ୍ଷତା କରି ଆଇଆଇପିଏର ଅଧ୍ୟକ୍ଷ ଶରତ ମିଶ୍ର କହିଥିଲେ, ‘‘ଉତ୍ତମ ପ୍ରଶାସନ ପାଇଁ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଦୁର୍ନୀତିକୁ ରୋକିବା ଦିଗରେ ସହାୟକ ହେବା ସହ ସାଧାରଣ ଜନତାଙ୍କ ଅଭିଯୋଗଗୁଡ଼ିକର ସମାଧାନ କିପରି ହୋଇପାରିବ, ସେନେଇ ଗଣମାଧ୍ୟମ କାର୍ଯ୍ୟ କରିପାରିବ। ତେବେ ଲୋକଙ୍କ ସ୍ୱାର୍ଥକୁ ଗଣମାଧ୍ୟମ ସବୁବେଳେ ଅଧିକ ଗୁରୁତ୍ୱ ଦେବା ଜରୁରୀ। ହେଲେ ଆଜିକାଲି ଗଣମାଧ୍ୟମ ସଂସ୍ଥାଗୁଡ଼ିକ ରାଜନେତା, ବ୍ୟବସାୟୀ ଆଦିଙ୍କ ଦ୍ୱାରା ପରିଚାଳିତ ହେଉଛି। ଫଳରେ ଗଣମାଧ୍ୟମ ମୁକ୍ତ ଭାବେ ଖବର ପରିବେଷଣ କରିପାରୁନି। ଏହା ଦେଶର ବିକାଶ ଦିଗରେ ମଧ୍ୟ ଏକ ବାଧକ। ତେଣୁ ଏ ଦିଗରେ ଗଣମାଧ୍ୟମ ନିଜର ଆଭିମୁଖ୍ୟ ବଦଳାଇ ଦେଶ ସ୍ୱାର୍ଥକୁ ଅଧିକ ଗୁରୁତ୍ୱ ଦେବା ଆବଶ୍ୟକ।’’

ସ୍ୱାଗତ ଭାଷଣ ପ୍ରଦାନ କରି ଆଇଆଇଏମ୍‍ସି ଢେଙ୍କାନାଳର ଆଞ୍ଚଳିକ ନିର୍ଦ୍ଦେଶକ ଡକ୍ଟର ମୃଣାଳ ଚାଟାର୍ଜୀ କହିଥିଲେ ଯେ, ସାଧାରଣ ଜନତା ଓ ସରକାରଙ୍କ ମଧ୍ୟରେ ସବୁବେଳେ ଏକ ଉତ୍ତମ ସମ୍ପର୍କ ରହିବା ଜରୁରୀ। ଏ ଦିଗରେ ଗଣମାଧ୍ୟମ ଏକ ସେତୁ ଭଳି କାର୍ଯ୍ୟ କରିଥାଏ।

ଏହି ଆଲୋଚନାଚକ୍ରରେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ସଞ୍ଜୀବ ହୋତା, କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର ଅବସରପ୍ରାପ୍ତ ଅଧ୍ୟକ୍ଷ ଡକ୍ଟର ନଗେନ୍ଦ୍ରନାଥ ମିଶ୍ର ପ୍ରମୁଖ ଯୋଗଦେଇଥିଲେ। ଧନ୍ୟବାଦ ଦେଇଥିଲେ ସହକାରୀ ପ୍ରଫେସର ସମ୍ବିତ ପାଲ୍‍।

Comment