ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ରାପଡ଼ା: ଓଡ଼ିଆ ସଂସ୍କୃତି ଓ ପରମ୍ପରାକୁ ମନେପକାଇ ଆଜି କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ସ୍ଥାନରେ ପାଳିତ ହୋଇଛି ବୋଇତ ବନ୍ଦାଣ ଉତ୍ସବ।

କେନ୍ଦ୍ରାପଡା ଜିଲ୍ଲାର ଲୁଣା ନଦୀରେ କଳପଡା, ଗୋବରୀ ନଦୀର ଗୁଲନଗରଠାରେ ଅନୁଷ୍ଠିତ ଏହି ବୋଇତ ବନ୍ଦାଣ ଉତ୍ସବରେ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି, କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା, କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମା ଯୋଗ ଦେଇଥିଲେ। ଏହି ଉତ୍ସବକୁ ଉପଭୋଗ କରିବାକୁ ହଜାର ହଜାର ଲୋକ ସାମିଲ ହୋଇଥିଲେ। ଏହା ୭ ଦିନଧରି ପାଳନ କରାଯିବ।

ବୋଇତ ବନ୍ଦାଣ ଉତ୍ସବକୁ ଅଧିକ ଆକର୍ଷଣୀୟ କରିବା ପାଇଁ ସାତ ସାଧବାଣୀଙ୍କ ସହିତ ନଣନ୍ଦ ତଅପୋଇ ବେଶରେ ସଜେଇ ହୋଇ ବାହାରିଥିଲେ କଳପଡା ଗାଁର ଯୁବତୀମାନେ। କେନ୍ଦ୍ରାପଡାର ଲୁଣା ନଦୀରେ ସୁସଜ୍ଜିତ ବୋଇତରେ ସାଧବମାନଙ୍କୁ ମେଲାଣି ଦେଇଥିଲେ।

ଆଜିର ଦିନରେ ଓଡିଆ ଶିଳ୍ପୀ , କାରିଗର ଓ କୃଷକଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀଗୁଡିକୁ ସାଙ୍ଗରେ ଧରି ସାଧବ ପୁଅ ସାତ ଦରିଆ ପାର ହୋଇ ବିଦେଶ ଯାଉଥିଲେ। ବିଦେଶରୁ ଧନରତ୍ନ ଆଣି ଓଡ଼ିଶାକୁ ସମୃଦ୍ଧ କରୁଥିଲେ। ଏବେ ସେ ସାଧବ ନାହାନ୍ତି କି ନାହିଁ ବୋଇତ ନାହିଁ। ହେଲେ ଓଡିଆଙ୍କ ବୀରତ୍ୱର ଗାଥା ବଖାଣୁଛି ଆଜିର ବୋଇତ ବନ୍ଦାଣ ଉତ୍ସବ।

ଓଡିଆଙ୍କର ଏହି ବୀରତ୍ୱର ଗାଥା ଆରମ୍ଭ ହୋଇଥିଲା ସମୁଦ୍ର କୂଳବର୍ତ୍ତି ଅଞ୍ଚଳରୁ। ଏହାର ମୁକ ସାଖି କେନ୍ଦ୍ରାପଡ଼ା। ବଙ୍ଗୋପସାଗର କୂଳରେ ଅବସ୍ଥିତ ଏହି ଅଞ୍ଚଳରେ ରହିଛି ଧନୀ ସୌଦାଗରର ଗାଁ ଘାଗରା। ତଅପୋଇ ଓ ସାତ ସାଧବଙ୍କ ୭ଟି ଗାଁ ସାତଭାୟା। କୁହାଯାଏ ଏହି ଅଞ୍ଚଳରୁ ହିଁ ଆରମ୍ଭ ହୋଇଥିଲା ଓଡ଼ିଆ ନୌବାଣିଜ୍ୟର ପରମ୍ପରା।

ଭାରତକୁ ୧୪୯୮ ମସିହାରେ ପର୍ତ୍ତୁଗିଜ ନାବିକ ଭାସ୍କୋଡାଗାମା ଜଳପଥ ଆବିସ୍କାର କରିବାର ଶହ ଶହ ବର୍ଷ ପୂର୍ବରୁ ଓଡ଼ିଆମାନେ ବିଭିନ୍ନ ଦେଶକୁ ଜଳପଥ ଆବିଷ୍କାର କରିସାରିଥିଲେ। ଏହା ଖ୍ରୀଷ୍ଟପୂର୍ବ ଶୋଡଶ ଶତାବ୍ଦୀର ବୋଲି ଗବେଷକମାନେ ଦାବି କରିଛନ୍ତି।

Comment