ଓଡ଼ିଶାଲାଇଭ୍ ବ୍ୟୁରୋ

ଶିବସେନା ଉଠାଇଲା ପ୍ରଶ୍ନ – ବିଜେପିକୁ ୪୮ ଘଣ୍ଟା ଆମକୁ ୨୪ ଘଣ୍ଟା ସମୟ କାହିଁକି?

ମହାରାଷ୍ଟ୍ରରେ ଘଡ଼ିକେ ଘୋଡ଼ା ଛୁଟୁଛି। ସରକାର ଗଠନକୁ ନେଇ ଏବେ ବି ଅସ୍ଥିରତା ଲାଗି ରହିଛି। କୌଣସି ଦଳ ସରକାର ଗଠନ କରିବାକୁ ସହମତି ପ୍ରକାଶ ନକରିବାରୁ ରାଜ୍ୟପାଳ ଭଗତ ସିଂହ କୋଶ୍ୟାରି ରାଷ୍ଟ୍ରପତି ଶାସନ ପାଇଁ ସୁପାରିଶ କରିଛନ୍ତି। ଏପଟେ ଶିବସେନା ରାଜ୍ୟପାଳଙ୍କ ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟ ଯାଇଛି।

ସରକାର ଗଠନ ପାଇଁ ବିଜେପିକୁ ୪୮ ଘଣ୍ଟା ଏବଂ ଆମକୁ କାହିଁକି ୨୪ ଘଣ୍ଟା ଦିଆଗଲା ବୋଲି ଶିବସେନା ପ୍ରଶ୍ନ ଉଠାଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ଏନେଇ ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେ ସୁପ୍ରିମକୋର୍ଟର ବରିଷ୍ଠ ଓକିଲ କପିଲ ଶିବଲଙ୍କ ସହ କଥା ହୋଇଛନ୍ତି।

ଶିବସେନା ଏନେଇ ସୁପ୍ରିମକୋର୍ଟରେ ୨୪ ପୃଷ୍ଠାର ଆବେଦନ କରିଛି। ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ଚାଲେଞ୍ଜ କରିଛି ଶିବସେନା।

ସରକାର ଗଠନ ପାଇଁ ରାଜ୍ୟପାଳ ପ୍ରଥମେ ବିଜେପିକୁ ଡାକିଥିଲେ। ହେଲେ ବିଜେପି ସରକାର ଗଠନ କରିବାକୁ ଅସାମର୍ଥ୍ୟ ପ୍ରକାଶ କରିଥିଲା। ପରେ ରାଜ୍ୟପାଳ ଶିବସେନାକୁ ଆମନ୍ତ୍ରିତ କରିଥିଲେ। ଶିବସେନା ପାଖରେ ୫୬ ବିଧାୟକ ରହିଥିବାରୁ ସେ ଏନ୍‌ସିପି ଓ କଂଗ୍ରେସର ସହଯୋଗ ଲୋଡ଼ିଥିଲା। ହେଲେ କଂଗ୍ରେସରୁ କିଛି ସ୍ପଷ୍ଟ ନିଷ୍ପତ୍ତି ଆସିଲା ନାହିଁ।

ଶେଷରେ ସରକାର ଗଠନ ପାଇଁ ଶିବସେନା ୩ ଦିନ ସମୟ ମାଗିଥିଲା। ରାଜ୍ୟପାଳ ଏହାକୁ ଗ୍ରହଣ କରି ନଥିଲେ।

Comment