ଓଡ଼ିଶାଲାଇଭ୍ ବ୍ୟୁରୋ

ପୋଲିସ ଡିଜି ବିଜୟ ଶର୍ମାଙ୍କ ବଦଳିକୁ ନେଇ ଜୋର୍‌ ଧରିଛି ରାଜନୀତି। ଏହି ପ୍ରସଙ୍ଗରେ ବିଜେପି ରାଜ୍ୟ ସରକାରଙ୍କୁ ଘେରିଛି। ୫ ମାସ ତଳେ ବିଜୟ ଶର୍ମାଙ୍କୁ କାହିଁକି ଡିଜି କରାଗଲା ଏବଂ ଏବେ ରାତି ଅଧିଆ କାହିଁକି ବିଦା କରାଗଲା ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ।

‘‘ମୁଖ୍ୟମନ୍ତ୍ରୀଙ୍କ ଅଧିନରେ ରହିଛି ଗୃହ ବିଭାଗ। ଏହି ବିଭାଗରେ କ’ଣ ହେଉଛି ତାହା କେହି ଜାଣିପାରୁ ନାହାନ୍ତି। ବିଜୟ ଶର୍ମାଙ୍କୁ ଯେତେବେଳେ ଡିଜି ଦାୟିତ୍ୱ ଦିଆଗଲା ସେତେବେଳେ ତାଙ୍କ ବିଷୟରେ ସରକାର ତର୍ଜମା କଲେନାହିଁ କାହିଁକି? ଏବେ ରାତି ଅଧିଆ ବିଦା କରିବା ଗଣତନ୍ତ୍ର ପାଇଁ ଭଲ ସଙ୍କେତ ନୁହେଁ’’, କହିଛନ୍ତି ବିଷ୍ଣୁ ସେଠୀ।

ସେ ଆହୁରି କହିଛନ୍ତି ଯେ ପୂର୍ବତନ ଡିଜି ପ୍ରକାଶ ମିଶ୍ରଙ୍କୁ ରାଜ୍ୟ ସରକାର ଭିଜିଲାନ୍ସର ନିର୍ଦ୍ଦେଶକ କରାଇ ଦେଲେ ନାହିଁ। ତାଙ୍କ ନାଁରେ ଦୁର୍ନୀତି ଅଭିଯୋଗ ଥିବା କହି ସରକାର ତାଙ୍କ ନିଯୁକ୍ତି ବନ୍ଦ କରିଦେଲେ। ବିଜୟ ଶର୍ମାଙ୍କୁ ଡିଜି ଦାୟିତ୍ୱ ଦେବା ପୂର୍ବରୁ ତାଙ୍କ ପୃଷ୍ଠଭୂମି ସରକାର କାର୍ହିକି ତର୍ଜମା କଲେନି ତାର ଉତ୍ତର ମୁଖ୍ୟମନ୍ତ୍ରୀ ଦେବା ଦରକାର।

‘‘ରାଜ୍ୟରେ ଆଇଏଏସ୍‌ ଓ ଆଇପିଏସ୍‌ ଅଫିସରମାନେ ଅସୁରକ୍ଷିତ। କେତେବେଳେ କିଏ ଯାଉଛି ଏବଂ କିଏ ରହୁଛି ତାହା ବୁଝାପଡୁନି। ଯେଉଁଠି ଆଇଏଏସ୍‌ ଓ ଆଇପିଏସ୍‌ ଅଫିସରମାନେ ଅସୁରକ୍ଷିତ ସେଠି ସାଧାରଣ ଅଫିସରମାନଙ୍କ ଅବସ୍ଥା କ’ଣ ହେଉଥିବା ତାହା ସହଜରେ ଅନୁମାନ କରି ହେଉଛି’’, କହିଛନ୍ତି ବିଷ୍ଣୁ ସେଠୀ।

ବୁଧବାର ରାତିରେ ପୋଲିସ ଡିଜି ଥିବା ବିଜୟ କୁମାର ଶର୍ମାଙ୍କୁ ରାଜ୍ୟ ସରକାର ହଟାଇ ଦେଇଥିଲେ। ତାଙ୍କ ଜାଗାରେ କେନ୍ଦ୍ର ଡେପୁଟେସନରେ ଥିବା ୧୯୮୬ ବ୍ୟାଚର ଆଇପିଏସ୍‌ ଅଫିସର ଅଭୟଙ୍କୁ ନିଯୁକ୍ତି ଦିଆଯାଇଛି। ତେବେ ୫ ମାସ ତଳେ ପୋଲିସ ଡିଜି ହୋଇଥିବା ବି କେ ଶର୍ମାଙ୍କୁ କାହିଁକି ରାତି ଅଧିଆ ସରକାର ହଟାଇ ଦେଲେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Comment