ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦୀର୍ଘଦିନ ହେବ ଆଳି ନିର୍ବାଚନ ମଣ୍ଡଳୀରେ ସରକରୀ ଯୋଜନା ଲୁଟ୍‌ ହେଉଥିବା ଅଭିଯୋଗ ହୋଇଥିଲା। ହେଲେ ଏହାକୁ ନା ଶୁଣିଲା ବ୍ଲକ ପ୍ରଶାସନ ନା ଜିଲ୍ଲା ପ୍ରଶାସନ। ତେବେ ଏହି ଅଭିଯୋଗକୁ ସରକାରଙ୍କ ନିକଟରେ ପହଞ୍ଚାଇବାକୁ ଆଳି କଂଗ୍ରେସ ଦଳ ନବୀନ ନିବାସ ପଦଯାତ୍ରାରେ ବାହରିଥିଲା। ଯାହାକୁ ରୋକ୍ ଲଗାଇଲା ପୋଲିସ୍।

ଆଳି ନିର୍ବାଚନ ମଣ୍ଡଳୀର ରାଜକନିକା ଓ ଆଳି ବ୍ଲକରେ ସରକାରୀ ଯୋଜନା ଲୁଟ୍‌ ହେଉଥିବା ଅଭିଯୋଗ ହୋଇଥିଲା। ମନରେଗା ଯୋଜନାରେ ଗୋଟିଏ ପ୍ରକଳ୍ପର କାମକରି ଦୁଇଟି ପ୍ରକଳ୍ପର ବିଲ୍ କରି ଲକ୍ଷ ଲକ୍ଷ ଟଙ୍କା ସରକାରୀ ତହ ବିଲରୁ ଉଠାଇ ନିଆଯାଇଛି। ‘ମୋ ପୋଖରୀ’ ନାଁରେ ଦଳ ଭର୍ତ୍ତି ପୋଖରୀରୁ ୧୨ ଲକ୍ଷ ଟଙ୍କା ଉଠାଇ ନେଲେ ଲୋକପ୍ରତିନିଧି ଓ ସରକାରୀ କର୍ମଚାରୀ। ହେଲେ ଅଭିଯୋଗ କଲେ ଫଳ ଶୂନ ବୋଲି ଅଭିଯୋଗ ହୋଇଛି।

ଗୋଟିଏ ପରିବାରର ୪ ଜଣଙ୍କୁ ବିଜୁ ପକ୍କା ଘର। ମଲା ଲୋକଙ୍କ ନାମରେ ବାର୍ଦ୍ଧକ୍ୟ ଭତ୍ତା। ମାର୍କେଟ କମ୍ଲେକ୍ସ କାମରେ ଲକ୍ଷ ଲକ୍ଷ ଟଙ୍କାର ଦୁର୍ନୀତି। ସମବାୟ ସମିତିରେ ଜାଲ୍‌ ଚାଷୀଙ୍କ ନାମରେ ଋଣ। ରାସନ କାର୍ଡରେ ବଡବଡିଆଙ୍କ ନାଁ। ଏମିତି ସରକରୀ ଉନ୍ନୟନ କାମରେ ମହା ଦୁର୍ନୀତିର ପାହାଡ ଉପରେ ଠିଆ ହେଲାଣି ଆଳି ନିର୍ବାଚନ ମଣ୍ଡଳୀର ରାଜକନିକା ଓ ଆଳି ବ୍ଲକ ବୋଲି ଆଳିର ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା ଅଭିଯୋଗ କରିଛନ୍ତି।

ତେବେ ଏହି ସବୁ ଦୁର୍ନିତୀର ଶେଷରେ କୌଣସି ଉପାୟ ନପାଇ ରାଜ୍ୟ ମୁଖିଆଙ୍କ ନିକଟରେ ପ୍ରତିବାଦ କରିବାକୁ ଏପରି ଅଭିନବ ପଦକ୍ଷେପ ନେଇଥିଲା ଆଳି କଂଗ୍ରେସ।

ଆଜି ରାଜକନିକାର ମେଳଣ ପଡିଆରୁ ଆରମ୍ଭ ହୋଇଥିଲା ରାଜଧାନୀକୁ ଏହି ପ୍ରତିବାଦ ପଦଯାତ୍ରା। ଆଳି ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ନେତୃତ୍ୱରେ ଏହି ୭ ଦିନିଆ ଅଭିନବ ପଦଯାତ୍ରା ଆସନ୍ତା ୨୭ ତାରିଖରେ ନବୀନ ନିବାସ ସମ୍ମୁଖରେ ପହଞ୍ଚି ବାର ଥିଲା। ହେଲେ କଟକ ଚାନ୍ଦବାଲି ରାସ୍ତାର ପତ୍ରପୁର ପୋଲ ନିକଟ ପଟ୍ଟାମୁଣ୍ଡାଇ ଥାନା ଇଲାକାରୁ ଜିଲ୍ଲା ପ୍ରଶାସନ ଏହି କଂଗ୍ରେସର ପଦଯାତ୍ରୀ ଦଳଙ୍କୁ ପଟ୍ଟାମୁଣ୍ଡାଇ ଥାନାକୁ ଉଠାଇ ଆଣିଛି। ହେଲେ ପରେ ସେମାନଙ୍କୁ ଛାଡ଼ିଦେଇଥିବା ଜଣାପଡ଼ିଛି।

Comment