ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

କିଲୋ ୪୦ ଟଙ୍କାରେ ଭୁବନେଶ୍ୱରରେ ପିଆଜ ବିକିଲା କଂଗ୍ରେସ।

‘ପିଆଜ’କୁ ନେଇ ଏବେ ରାଜନୀତି ତେଜିଛି। ପିଆଜ କିଲୋ ୧୦୦ ଛୁଇଁଥିବାରୁ ରାଜଧାନୀ ଭୁବନେଶ୍ୱରରେ କଂଗ୍ରେସ ଅଭିନବ ପ୍ରତିବାଦ କରିଛି। ମାଷ୍ଟର କ୍ୟାଣ୍ଟିନ ଛକରେ କଂଗ୍ରେସ ୪୦ ଟଙ୍କାରେ ପିଆଜ ବିକ୍ରି କରିଛି। କଂଗ୍ରେସର ପିଆଜ ବିକ୍ରିକୁ ମନ୍ତ୍ରୀ ସମାଲୋଚନା କରିଥିବା ବେଳେ ବିଜେପି ତୀର ମାରିଛି।

ମାଷ୍ଟର କ୍ୟାଣ୍ଟିନ ଛକସ୍ଥିତ କଂଗ୍ରେସ ଭବନ ଆଗରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟି ପିଆଜ ବିକ୍ରି କରିଥିଲା। ଟ୍ରଲିରେ ପିଆଜ ରଖି ଲୋକଙ୍କୁ ଶସ୍ତାରେ ପିଆଜ ବିକ୍ରି କରିଥିଲା କଂଗ୍ରେସ।

କଂଗ୍ରେସ ଲୋକମାନଙ୍କୁ ଅଧକିଲୋ ଲେଖାଏଁ ପିଆଜ ବିକ୍ରି କରିଥିଲା। ଏହି ପିଆଜ ନେବା ପାଇଁ ଲୋକ ଲମ୍ବା ଧାଡ଼ିରେ ଆସିଥିଲେ।

‘‘ବିଜେଡି-ବିଜେପି ସରକାରରେ ପିଆଜ କିଲୋ ୧୦୦ ଛୁଇଁଛି। ପଖାଳ ଖାଇବା ପାଇଁ ଲୋକେ ପିଆଜ ପାଉ ନାହାନ୍ତି। ଏଣୁ ଆମେ ପିସିସି ସଭାପତିଙ୍କ କହିବା ଅନୁସାରେ ପିଆଜ ଲୋକମାନଙ୍କୁ ଶସ୍ତାରେ ଦେଉଛୁ’’, କହିଛନ୍ତି ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟି ସଭାପତି ମାନସ ଚୌଧୁରୀ।

କଂଗ୍ରେସ ପିଆଜକୁ ବିଜେପି ଏବଂ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସମାଲୋଚନା କରିଛନ୍ତି।

‘‘ପିଆଜ ଦର ନିୟନ୍ତ୍ରଣ କରିବାକୁ ସରକାର ଉଦ୍ୟମ କରୁଛନ୍ତି। ଡିସେମ୍ବର ଶେଷ କିମ୍ବା ଜାନୁଆରି ଆରମ୍ଭରୁ ପିଆଜ ଦର କମିବ। ମହାରାଷ୍ଟ୍ରର ନାସିକରେ ବର୍ଷା ହୋଇଯିବାରୁ ପିଆଜ ଆସିପାରି ନଥିଲା। ନୂଆ ପିଆଜ ଅମଳ ହେବା ପରେ ପିଆଜ ଦର ଆପେ ଆପେ ଖସିବ’’, କହିଛନ୍ତି ମନ୍ତ୍ରୀ ରଣେନ୍ଦ୍ର ପ୍ରତା ସ୍ୱାଇଁ।

କଂଗ୍ରେସର ପିଆଜ ବିକ୍ରିକୁ ନେଇ ମନ୍ତ୍ରୀ କହିଛନ୍ତି, ‘‘ପିଆଜ ଦର ହ୍ରାସ ପାଇଁ ଏହା ସ୍ଥାୟୀ ସମାଧାନ ନୁହେଁ। ଏହା କେବଳ ରାଜନୀତି।’’

ବିଜେପି ମଧ୍ୟ କଂଗ୍ରେସକୁ ତୀର ମାରିଛି। କଂଗ୍ରେସ କ’ଣ କୁହେ ଏବଂ କ’ଣ କରେ ତାହା ସମସ୍ତେ ଜାଣିଛନ୍ତି। ପିଆଜ ଦର କମାଇବା ପାଇଁ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି। ଓଡ଼ିଶାରେ ମଧ୍ୟ ପିଆଜ ଦର ନିୟନ୍ତ୍ରଣ ହେବ। ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ସହଭାଗିତାରେ ଏହା ସମ୍ଭବ ହେବ ବୋଲି କହିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ।

Comment