ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ ନୌସେନା ଇତିହାସରେ ଆଉ ଏକ ନୂଆ କଥା ଦେଖିବାକୁ ମିଳିଛି। ନୌସେନାର ବିମାନ ଉଡ଼ାଇବାକୁ ସୋମବାର ପ୍ରଥମ ଥର ପାଇଁ ଜଣେ ମହିଳାଙ୍କୁ ଦାୟିତ୍ୱ ମିଳିଛି। ଏହି ମହିଳାଙ୍କ ନାଁ ହେଲା ଶିଭାଙ୍ଗୀ।

ଲେଫ୍ଟନାଣ୍ଟ ଶିଭାଙ୍ଗୀ ନିଜର ଟ୍ରେନିଂ ପୂରଣ କରିସାରିବା ପରେ ସୋମବାର କୋଚି ନାଭାଲ୍ ବେସରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ନୌସେନାରେ ପ୍ରଥମ ମହିଳା ପାଇଲଟ। ଏବେ ସେ ଭାରତୀୟ ନୌସେନାର ଡୋନିୟର ସର୍ଭିଲାନ୍ସ ଏୟାରକାଫ୍ଟ ଉଡ଼ାଇବେ।

“ନୌସେନାରେ ସାମିଲ୍ ହେବା ପରେ ମୁଁ ବହୁତ ଖୁସି ଅଛି। ଏଥିପାଇଁ ମୁଁ ବହୁତ ଦିନରୁ ପରିଶ୍ରମ କରିଆସୁଥିଲି। ଯାହା ଆଜି ସଫଳ ହୋଇଛି”, କହିଛନ୍ତି ଲେଫ୍ଟନାଣ୍ଟ ଶିଭାଙ୍ଗୀ।

ଶିଭାଙ୍ଗୀ ବିହାରର ମୁଜାଫରନଗରରେ ଜନ୍ମଗ୍ରହଣ କରିଛନ୍ତି। ସେଠାକାର ଡିଏଭି ପବ୍ଲିକ୍ ସ୍କୁଲରୁ ସେ ନିଜର ସ୍କୁଲ ଶିକ୍ଷା ଶେଷ କରିଥିଲେ। ଏହାପରେ ସେ ସିକିମ୍ ମଣିପାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରେ ବିଟେକ୍ ପଢ଼ିଥିଲେ। ବର୍ତ୍ତମାନ ସେ ନୌସେନାରେ ପ୍ରଥମ ମହିଳା ପାଇଲଟ୍ ଭାବେ ଦାୟତ୍ୱ ଗ୍ରହଣ କରିଛନ୍ତି।

Comment