ଓଡ଼ିଶାଲାଇଭ୍ ବ୍ୟୁରୋ

ହାଇଦ୍ରାବାଦରେ ଡାକ୍ତରାଣୀଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣା ପରେ ସାରା ଦେଶରେ ଉଠିଛି ପ୍ରତିବାଦର ସ୍ୱର। ହାଇଦ୍ରାବାଦରୁ ଦିଲ୍ଲୀ, କଟକରୁ ମୁମ୍ବାଇ ସବୁଠି ଯବୁପିଢ଼ି ଏବଂ ଛାତ୍ରଛାତ୍ରୀ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଦୁଷ୍କର୍ମକାରୀଙ୍କୁ କଠୋର ଦଣ୍ଡ ଦେବା ପାଇଁ ସ୍ୱର ତେଜିଛି। ଏପଟେ ସଂସଦରେ ବି ଏହି ଛାତି ଥରା ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଛି।

ଅଲ ଇଣ୍ଡିଆ ଷ୍ଟୁଡେଣ୍ଟସ୍‌ ଆସୋସିଏସନ ପକ୍ଷରୁ ଦିଲ୍ଲୀର ଜନ୍ତରମନ୍ତରଠାରେ ପ୍ରତିବାଦ କରାଯାଇଥିଲା। ମୁହଁରେ କଳାପଟି ବାନ୍ଧି ବିକ୍ଷୋଭ କରାଯାଇଥିଲା। ଦୁଷ୍କର୍ମକାରୀଙ୍କୁ କଡ଼ା ଦଣ୍ଡ ସହ କେନ୍ଦ୍ର ସରକାର କଠୋର ଆଇନ ଆଣିବାକୁ ଦାବି କରିଥିଲେ।

ହାଇଦ୍ରାବାଦରେ ଜୋରଦାର ପ୍ରତିବାଦ କରିଥିଲା ଏବିଭିପି। କଟକ ଓ ଭୁବନେଶ୍ୱରରେ ମଧ୍ୟ ବିଭିନ୍ନ ସାମାଜିକ ସଙ୍ଗଠନ ରାଜରାସ୍ତାକୁ ଓହ୍ଲାଇ ଘଟଣାକୁ ତୀବ୍ର ନିନ୍ଦା କରିଥିଲେ।

ଏପଟେ ହାଇଦ୍ରାବାଦ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ସଂସଦ ବି ହଲ୍‌ଚଲ୍‌ ହୋଇଥିଲା। ସମାବଜାବଦୀ ସାଂସଦ ଜୟା ବଚ୍ଚନ ଏହାକୁ ନିନ୍ଦା କରିଥିଲେ। ଏହି ଜଘନ୍ୟ କାମ କରିଥିବା ଅଭିଯୁକ୍ତମାନଙ୍କୁ ଜନସାଧାରଣଙ୍କୁ ହସ୍ତାନ୍ତର କରାଯାଉ। ସେମାନେ ହିଁ ଉଚିତ୍‌ ଜବାବ ଦେବେ ବୋଲି ଜୟା କହିଥିଲେ।

ବିଜେଡି ସାଂସଦ ଅମର ପଟ୍ଟନାୟକ ଏବଂ ବିଜେପି ସାଂସଦ ଅଶ୍ୱିନୀ ବୈଷ୍ଣବ ମଧ୍ୟ ଆଲୋଚନାରେ ଭାଗ ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ। ଦୁଷ୍କର୍ମକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଥିଲେ।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଥିଲେ, ‘‘ଦୁଷ୍କର୍ମକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ କେନ୍ଦ୍ର ସରକାର ପ୍ରସ୍ତୁତ ଅଛନ୍ତି। ସେମାନଙ୍କ ବିରୋଧରେ ଯେତେ କଠୋରରୁ କଠୋର ଦଣ୍ଡ ବିଧାନ ହୋଇପାରିବ ସେଥିପାଇଁ ସରକାର ପ୍ରସ୍ତୁତ ଅଛନ୍ତି।’’

Comment