ଓଡ଼ିଶାଲାଇଭ୍ ବ୍ୟୁରୋ

  • ପୋଲିସ ବାରାକ୍‌ରେ ଦିନ ବେଳେ କେମିତି ହେଲା ଦୁଷ୍କର୍ମ?
  • କେମିତି ଜାଣି ପାରିଲେନି ଅନ୍ୟ ପୋଲିସ କର୍ମଚାରୀ?
  • ରାଜରାସ୍ତାକୁ ଓହ୍ଲାଇଲେ କଂଗ୍ରେସ-ବିଜେପି
  • ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି

ରକ୍ଷକ ସାଜିଲା ଭକ୍ଷକ। ପୋଲିସ ବର୍ଦ୍ଦିରେ କଳଙ୍କ ଛିଟା। ଯେଉଁ ପୋଲିସ ପଶୁମାନଙ୍କ କବଳରୁ ମହିଳାଙ୍କୁ ସୁରକ୍ଷା ଦେବା କଥା ସେହି ପୋଲିସ କେମିତି ଜଣେ ଯୁବତୀଙ୍କୁ ଦୁଷ୍କର୍ମ କଲା ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଦୁଷ୍କର୍ମ କୌଣସି ନିକାଞ୍ଚଳ ଅଞ୍ଚଳରେ ହୋଇନି। ପୁରୀ ସହରରେ ଥିବା ପୋଲିସ ବାରାକ୍‌ରେ ଏହି ଜଘନ୍ୟ କାଣ୍ଡ ଘଟିଛି। ତେବେ ପ୍ରଶ୍ନ ଉଠୁଛି ଦୁଷ୍କର୍ମ ବେଳେ ଅନ୍ୟ ପୋଲିସ କର୍ମଚାରୀମାନେ କେମିତି ଜାଣି ପାରିଲେ ନାହିଁ? ଦିନ ୩ଟାରୁ ୫ଟା ଭିତରେ ଏହି ଘଟଣା ଘଟିଥିବା ବେଳେ ପୋଲିସ ଅନ୍ୟ କର୍ମଚାରୀ ଏ ବିଷୟ ଜାଣି ନପାରିବା ଘଟଣାକୁ ଆହୁରି ରହସ୍ୟମୟ କରିଦେଇଛି।

ମିଡିଆରେ ଏହି ପାଶବିକ ଅତ୍ୟାଚାର ସମ୍ପର୍କରେ ଚର୍ଚ୍ଚା ହେବା ପରେ ପୋଲିସ ତତ୍ପର ହୋଇ ଉଠିଛି। କନଷ୍ଟେବଲ ଜିତେନ୍ଦ୍ର ସେଠୀଙ୍କ ସମେତ ଅନ୍ୟତମ ସହଯୋଗୀ ରାଜେଶ ସେଠୀଙ୍କୁ ଗିରଫ କରିଛି ପୋଲିସ। କେନ୍ଦ୍ରାଞ୍ଚଳ ଡିଆଇଜି ଆଶିଷ ସିଂହ ସାମ୍ବାଦିକ ସମ୍ମିଳନୀ କରି ୨୦ ଦିନ ଭିତରେ ଚାର୍ଜସିଟ୍‌ ଦାଖଲ କରିବାକୁ କହିଛନ୍ତି।

ପୋଲିସର ଏହି ତତ୍ପରତାକୁ ନେଇ ପ୍ରଶ୍ନ ଉଠିଛି। ପୋଲିସ ବାରାକ୍‌ରେ ଦୁଇ ଘଣ୍ଟା ଧରି ଦୁଷ୍କର୍ମ ଘଟିଥିଲେ ମଧ୍ୟ ଯେଉଁ ପୋଲିସ ସୁରାକ୍‌ ପାଇ ପାରିଲା ନାହିଁ ସେହି ପୋଲିସ ଦୁଷ୍କର୍ମ ଘଟିବା ପରେ ଏତେ ତତ୍ପର ହେବା ଲୋକଙ୍କ ‘ଆଇ ୱାସ୍‌’ କରିବାକୁ ମସୁଧା ବୋଲି ଚର୍ଚ୍ଚା ହେଉଛି।

ଗତ ଦୁଇ ଦିନ ତଳେ ପୋଲିସର ନିଷ୍କ୍ରିୟତା ଯୋଗୁଁ ମୟୂରଭଞ୍ଜର ଜଣେ ଅଧ୍ୟାପିକା ଜୀବନ ହାରିଦେଲେ। ମାସେ ତଳେ ସେ ଦୁଷ୍କର୍ମର ଶୀକାର ହୋଇଥିଲେ ଅଧ୍ୟାପିକା। ଝାରପୋଖରିଆ ଥାନାରେ ଏତଲା ଦେଇଥିଲେ। ମାସେ ବିତିଗଲା ପଛେ ପୋଲିସ କୌଣସି ପଦକ୍ଷେପ ନେଲାନି। ଶେଷରେ ଲୋକ ଲଜ୍ଜାକୁ ଭୟ କରି ଜୀବନ ହାରିଦେଲେ ଅଧ୍ୟାପିକା। ପୁରୀରେ ପୋଲିସ ବାରାକ୍‌ରେ ଜଣେ କନଷ୍ଟେବଲ ଯୁବତୀଙ୍କୁ ଦୁଷ୍କର୍ମ କରୁଛନ୍ତି। ଏଭଳି ଘଟଣା ବାରମ୍ବାର ଘଟୁଥିବାରୁ ପୋଲିସ ବ୍ୟବସ୍ଥା ଉପରୁ ଜନସାଧାରଣ ଭରସା ତୁଟାଇବାକୁ ମାଧ୍ୟ ହେଉଛନ୍ତି।

ଗୋଟିଏ ପଟେ ରାଜ୍ୟ ‘ମୋ ସରକାର’ ଓ 5-T ଯୋଜନାରେ ପୋଲିସ ବ୍ୟବସ୍ଥାକୁ ଲୋକଙ୍କ ପାଖରେ ଉତ୍ତରଦାୟୀ କରିବାକୁ ପଦକ୍ଷେପ ନେଉଛନ୍ତି। ଅନ୍ୟପଟେ ଗୋଟିଏ ପରେ ଗୋଟିଏ ଦୁଷ୍କର୍ମ ଘଟଣାରେ ପୋଲିସର ନିଷ୍କ୍ରିୟତା ଦେଖିବାକୁ ମିଳିଛି। ଏହାକୁ ଅସ୍ତ୍ର କରି ବିରୋଧୀ ରାଜ୍ୟ ସରକାରଙ୍କୁ ଘେରିଛନ୍ତି।

କଂଗ୍ରେସ ଏବଂ ବିଜେପି ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି। ଯୁବ କଂଗ୍ରେସ କର୍ମୀ ପୁରୀ ଗଣଦୁଷ୍କର୍ମକୁ ନେଇ ଆଜି ନବୀନ ନିବାସ ଘେରାଉ କରିବାକୁ ଉଦ୍ୟମ କରିଥିଲା। ହେଲେ ପୋଲିସ ସେମାନଙ୍କୁ ଶିଶୁଭବନ ଛକରେ ଅଟକାଇବାରୁ ପୋଲିସ ସହ ଧସ୍ତାଧସ୍ତି ହୋଇଥିଲା।

‘‘ଜାନକୀବଲ୍ଲଭ ପଟ୍ଟନାୟକ ଗୋଟିଏ ଅଞ୍ଜନା ମିଶ୍ର କେସ୍‌ରେ ଇସ୍ତଫା ଦେଇଥିଲେ। ଏବେ ତ ପ୍ରତିଦିନ ଅଞ୍ଜନା କେସ୍‌ ଓଡ଼ିଶାରେ ଘଟୁଛି। ମୁଖ୍ୟମନ୍ତ୍ରୀ ଇସ୍ତଫା ଦେଇଦେବା ଦରକାର’’, କହିଛନ୍ତି ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ନେତ୍ରୀ ବିଜୟଲକ୍ଷ୍ମୀ ସାହୁ।

ବିଜେପି ମଧ୍ୟ ମାଷ୍ଟର କ୍ୟାଣ୍ଟିନ ଛକରେ ପ୍ରତିବାଦ କରିଛି। ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି। ଝିଅ, ବୋହୂମାନେ ସୁରକ୍ଷିତ ନୁହନ୍ତି ବୋଲି ବିଜେପି କହିଛି।

‘‘ପ୍ରତିଦିନ ରାଜ୍ୟରେ ଦୁଷ୍କର୍ମ ଘଟଣା ଘଟୁଛି। ପୁରୀରେ ପୋଲିସ କ୍ୱାର୍ଟର୍ସରେ ଯେଉଁ ଦୁଷ୍କର୍ମ ଘଟଣା ଘଟିଛି ତାହା ନିନ୍ଦନୀୟ। ନବୀନ ପଟ୍ଟନାୟକ ୨୦ ବର୍ଷ ହେଲା ଓଡ଼ିଶାର ମୁଖ୍ୟମନ୍ତ୍ରୀ ଆସନରେ ବସିଛନ୍ତି। ହେଲେ ଦୁଷ୍କର୍ମ ଘଟଣା ବନ୍ଦ ହେଉନି। ଏହା ଅତି ଲଜ୍ଜାଜନକ କଥା’’, କହିଛନ୍ତି ସୁର ରାଉତରାୟ।

ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର କହିଛନ୍ତି, ‘‘ଦୁଷ୍କର୍ମ ଏବେ ସାମାଜିକ ବ୍ୟାଧି ଭଳି ମାଡ଼ି ଗଲାଣି। କେବଳ ଆରୋପ ପ୍ରତ୍ୟାରୋପ କଲେ ସମସ୍ୟା ସମାଧାନ ହୋଇଯିବନି। ଏହି ବ୍ୟାଧି କେମିତି ହଟିବ ସେଥିପାଇଁ ସମସ୍ତେ ମିଳିତ ଉଦ୍ୟମ କରିବା ଦରକାର।’’

ବିରୋଧୀ ଦଳ ପ୍ରଦୀପ୍ତ ନାଏକ ପୁରୀ ଦୁଷ୍କର୍ମକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି।

‘‘ପୁରୀ ଦୁଷ୍କର୍ମ ଘଟଣାରେ ପୋଲିସର ସଂପୃକ୍ତି ଅଛି। ଏଣୁ ରାଜ୍ୟ ପୋଲିସ ଠିକ୍‌ରେ ତଦନ୍ତ କରିପାରିବନି। ସିବିଆଇ ତଦନ୍ତ ହେବା ଦରକାର। ଏହାଛଡ଼ା ଗୃହ ବିଭାଗର ମୁଖ୍ୟ ହିସାବରେ ମୁଖ୍ୟମନ୍ତ୍ରୀ ମଧ୍ୟ ଇସ୍ତଫା ଦେବା ଦରକାର’’, କହିଛନ୍ତି ପ୍ରଦୀପ୍ତ ନାଏକ।

Comment