ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୀ ଗଣଦୁଷ୍କର୍ମକୁ ନେଇ ଅନ୍ଧାରରେ ବାଡ଼ି ବୁଲାଉଛି ପୋଲିସ।

ପୁରୀ ପୋଲିସ ବାରାକ୍‌ରେ ଥିବା ଏକ କ୍ୱାର୍ଟର୍ସରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣାକୁ ତିନି ଦିନ ବିତିଲାଣି। ହେଲେ ପୋଲିସ ଏଯାଏଁ ଘଟଣା ଉପରୁ ପରଦା ହଟାଇବାରେ ସମର୍ଥ ହୋଇପାରୁନି। ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଥିଲେ ମଧ୍ୟ ଏହି ଗଣଦୁଷ୍କର୍ମ ପଛରେ ଅନେକ ପ୍ରଶ୍ନ ଲୁଚି ରହିଛି। ହେଲେ ପୋଲିସ ସେସବୁ ପ୍ରଶ୍ନର ଉତ୍ତର ଦେଇପାରୁନି। କେବଳ ଅନ୍ଧାରରେ ବାଡ଼ି ବୁଲାଉଛି ପୋଲିସ।

ଦୁଇ ଅଭିଯୁକ୍ତଙ୍କୁ ରିମାଣ୍ଡ ଏବଂ ପୀଡ଼ିତାଙ୍କୁ ପଚରା ଉଚରା କରିବ ବୋଲି ପୁରୀ ଏସ୍‌ପି ଉମାଶଙ୍କର ଦାସ କହିଛନ୍ତି। ଏହି ପଚରା ଉଚରା ପରେ ହିଁ ଘଟଣା ଉପରୁ ପରଦା ହଟିବ ବୋଲି କୁହାଯାଉଛି। ତେବେ ପୋଲିସ ଅନେକ କଥା ଲୁଚାଉଥିବା ଚର୍ଚ୍ଚା ହେଉଛି। ଏହାସହ ସାଧାରଣ ଲୋକଙ୍କ ମନରେ ଦୁଷ୍କର୍ମକୁ ନେଇ ଅନେକ ପ୍ରଶ୍ନ ଉଙ୍କି ମାରୁଛି।

ପୋଲିସ୍‌ ବାରାକ୍‌ର ଯେଉଁ କ୍ୱାର୍ଟରରେ ଦୁଷ୍କର୍ମ ହୋଇଥିଲା ସେହି କ୍ୱାର୍ଟର କାହା ନାଁରେ ରହିଛି? ତଦନ୍ତକାରୀ ଅଫିସର ସେହି କ୍ୱାର୍ଟର ଯାଞ୍ଚ କରିଛନ୍ତି କି ନାହିଁ? କୁହାଯାଉଛି ଯେଉଁ ଘରେ ଦୁଷ୍କର୍ମ ହୋଇଥିଲା ଆରପଟ ରୁମ୍‌ରେ ଗୋଟେ ଛୁଆକୁ ତାଲା ପକାଯାଇଥିଲା। ତେବେ ସେ ଛୁଆ କିଏ? ସେ ଘରେ ଛୁଆ ସହିତ ଆଉ କେଉଁ ମହିଳା ରହିଥିଲେ କି?

ପୋଲିସ ବାରାକ୍‌ରେ ସବୁବେଳେ ଗହଳ ଚହଳ ଲାଗି ରହୁଥିଲା। ଦିନ ବେଳେ ୩ ଘଣ୍ଟା ଧରି ଏହି ଦୁଷ୍କର୍ମ ଘଟଣା ଘଟିଥିଲେ ମଧ୍ୟ କେହି ଜାଣିପାରିଲେ ନାହିଁ କେମିତି? ଏହା ପଛରେ ଅନ୍ୟ କେଉଁ ପୋଲିସ କର୍ମଚାରୀଙ୍କ ହାତ ରହିଛି କି?

ନିମାପଡ଼ାରୁ ପୀଡ଼ିତାଙ୍କୁ ଏକ ଗାଡ଼ିରେ ପୁରୀ ପୋଲିସ ବାରାକ୍‌କୁ ଅଣାଯାଇଥିଲା। ସେ ଗାଡ଼ି କୁଆଡ଼େ ଗଲା? ଏସବୁ ପ୍ରଶ୍ନ ସାଧାରଣ ଲୋକଙ୍କ ମନରେ ଉଠୁଥିଲେ ମଧ୍ୟ ପୋଲିସ ଏହା ଉପରୁ ପରଦା ହଟାଇ ପାରୁନି। ଫଳରେ ଘଟଣାଟି ଦିନକୁ ଦିନ ଅଧିକ ରହସ୍ୟମୟ ହୋଇଯାଉଛି।

ପୁରୀ ଏସ୍‌ପିଙ୍କୁ ଗଣମାଧ୍ୟମ ପ୍ରତିନିଧି ସେ ଗାଡ଼ି କୁଆଡ଼େ ଗଲା ବୋଲି ପ୍ରଶ୍ନ କରିଥିଲେ। ହେଲେ ଏସ୍‌ପି ଏହାକୁ ଏଡ଼ାଇ ଯାଇଥିଲେ। ତଦନ୍ତ ଚାଲିଛି। ତଦନ୍ତ ଶେଷ ହେବା ପରେ ହିଁ ସବୁ କିଛି ସ୍ପଷ୍ଟ ହେବ ବୋଲି ଏସ୍‌ପି କହିଥିଲେ।

ପୁରୀ ଦୁଷ୍କର୍ମ ଘଟଣା ଉପରୁ ପରଦା ହଟୁ ନଥିବାରୁ ରାଜନୀତି ଜୋର୍‌ ଧରିଛି। ବିଜେପି ମହିଳା ମୋର୍ଚ୍ଚା ନବୀନ ନିବାସ ଘେରାଉ ଉଦ୍ୟମ କରିବାକୁ ଯାଇ ପୋଲିସ ସହ ଧସ୍ତାଧସ୍ତି କରିଥିବା ବେଳେ ଛାତ୍ର କଂଗ୍ରେସ ଜୋରଦାର ବିକ୍ଷୋଭ କରିଛି। ଛାତ୍ର କଂଗ୍ରେସ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବାସଭବନକୁ ଟମାଟୋ ମାଡ଼ କରିଛି।

‘‘ପୀଡ଼ିତାଙ୍କୁ ଭେଟିବାକୁ ଯାଇ ନାହାନ୍ତି ଗୃହ ରାଷ୍ଟ୍ର ମନ୍ତ୍ରୀ। ଯେ ପର୍ଯ୍ୟନ୍ତ ପୀଡ଼ିତାଙ୍କୁ ନ୍ୟାୟ ନମିଳିଛି ଏବଂ ଦୁଷ୍କର୍ମ ରୋକିବା ପାଇଁ ସରକାର ପଦକ୍ଷେପ ନେଇ ନାହାନ୍ତି ସେ ପର୍ଯ୍ୟନ୍ତ ଛାତ୍ର କଂଗ୍ରେସ ପ୍ରତିବାଦ କରିବ’’, କହିଛନ୍ତି ଛାତ୍ର କଂଗ୍ରେସ ସଭାପତି ରାଜୀବ ପଟ୍ଟନାୟକ।

‘‘ରାଜ୍ୟ ସରକାର ମଦ ବନ୍ଦ କରୁ ନାହାନ୍ତି। ମଦ ବ୍ୟାନ ନକରିବାରୁ ଏଭଳି ଦୁଷ୍କର୍ମ ସଂଖ୍ୟା ବଢ଼ି ଚାଲିଛି। ପୁରୀ ଦୁଷ୍କର୍ମ ଘଟଣାରେ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେବା ଦରକାର’’, କହିଛନ୍ତି ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତି ପରିଡ଼ା।

ଗତ ସୋମବାର ଦିନ ବେଳେ ନିମାପଡ଼ାରୁ ଜଣେ ଯୁବତୀଙ୍କୁ ପୋଲିସ ପରିଚୟ ଦେଇ ଗାଡ଼ିରେ ଚାରି ଜଣ ଯୁବକ ପୁରୀ ନେଇ ଆସିଥିଲେ। ପୁରୀ ପୋଲିସ ବାରାକ୍‌ରେ ଏକ କ୍ୱାର୍ଟର୍ସରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଥିଲା। ପୀଡ଼ିତାଙ୍କ ହାତରେ ଦୁଷ୍କର୍ମକାରୀ ପନିପର୍ସ ରହି ଯାଇଥିଲା। ଏହି ପର୍ସରୁ ଅଭିଯୁକ୍ତର ପରିଚୟ ମିଳିଥିଲା।

Comment