ଓଡ଼ିଶାଲାଇଭ୍ ବ୍ୟୁରୋ

ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତିଙ୍କ ଅଫିସ୍ ଘେରିଲେ ଛାତ୍ରଛାତ୍ରୀ। ସେମିଷ୍ଟାର ପରୀକ୍ଷା ଘୁଞ୍ଚେଇବା ଦାବିରେ ବୁଧବାର କୁଳପତିଙ୍କ ଅଫିସ୍ ଘେରାଉ କରିଛନ୍ତି ଛାତ୍ରଛାତ୍ରୀ।

ଫନି ବାତ୍ୟାପରେ ସବୁ କଲେଜର ସେମିଷ୍ଟାର ପରୀକ୍ଷାକୁ ଦୁଇ ମାସ ପାଇଁ ଘଞ୍ଚାଯାଇଥିଲା। ଫଳରେ ଏବେ ପିଲାମାନଙ୍କୁ ଗୋଟିଏ ବର୍ଷରେ ତିନୋଟି ସେମିଷ୍ଟାର ପରୀକ୍ଷା ଦେବାକୁ ପଡ଼ିବ। ଏହାକୁ ବିରୋଧ କରିଛନ୍ତି ଉତ୍କଳ ବିଶ୍ୱବିଦ୍ୟାଳୟର ଅନ୍ତର୍ଗତ ବିଭିନ୍ନ କଲେଜର ଛାତ୍ରଛାତ୍ରୀ। ଆଗକୁ ହେବାକୁ ଥିବା ସେମିଷ୍ଟାର ପରୀକ୍ଷା ସମୟ ଘୁଞ୍ଚାଇବାକୁ ଛାତ୍ରଛାତ୍ରୀମାନେ କୁଳପତିଙ୍କ ନିକଟରେ ଦାବି ଜଣାଇଛନ୍ତି।

ବିଭିନ୍ନ କଲେଜରୁ ଆସିଥିବା ଛାତ୍ରଛାତ୍ରୀମାନେ ପ୍ରଥମେ ବିଶ୍ୱବିଦ୍ୟାଳୟ କାର୍ଯ୍ୟାଳୟ ଘେରାଉ କରିବା ପରେ କୁଳପତିଙ୍କ କାର୍ଯ୍ୟାଳୟ ଆଗରେ ବସି ବିକ୍ଷୋଭ କରିଥିଲେ। ଏହାପରେ ବିଶ୍ୱବିଦ୍ୟାଳୟର କୁଳସଚିବ ଓ ପରୀକ୍ଷା ନିୟନ୍ତ୍ରକ ଛାତ୍ରଛାତ୍ରୀମାନଙ୍କୁ ବୁଝାସୁଝା କରିଥିଲେ।

ତେବେ ଆଗାମୀ ଜାନୁଆରୀ ୧୫ ପରେ ଯାଇ ସେମିଷ୍ଟାର ପରୀକ୍ଷା କରାଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ଛାତ୍ରଛାତ୍ରୀମାନେ ବିକ୍ଷୋଭରୁ ଓହରିଥିଲେ।

Comment