ଓଡ଼ିଶାଲାଇଭ୍ ବ୍ୟୁରୋ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳି ସରକାରକୁ ପୂରିଛି ୬ ମାସ। ୬ ମାସରେ ରାଜ୍ୟ ସରକାରଙ୍କ ବିଫଳତାକୁ ଅସ୍ତ୍ର କରିଛି ବିଜେପି। ସାମ୍ବାଦିକ ସମ୍ମିଳନୀରେ ବିଜେପି ଉପସଭାପତି ସମୀର ମହାନ୍ତି ରାଜ୍ୟ ସରକାରଙ୍କୁ ୬ ପ୍ରଶ୍ନ କରିଛନ୍ତି।

ନାରୀ ଦୁଷ୍କର୍ମ, ହିତାଧିକାରୀଙ୍କୁ ପକ୍କା ଘର ଆବଣ୍ଟନରେ ଅନିୟମିତତା, ଫନି ସହାୟତା ବାଟମାରଣା, ମେକ୍ ଇନ୍ ଓଡିଶା ନାରା ସମ୍ପୂର୍ଣ୍ଣ ବିଫଳ ହେବା, ସିଏଜି ରିପୋର୍ଟରେ ରାଜ୍ୟ ସରକାରଙ୍କ ଅପାରଗତା ପଦାରେ ପଡିବା ଏବଂ ନିଜସ୍ୱ ଯୋଜନା ପାଇଁ ଅର୍ଥ ଅଭାବ ହେବାରୁ କେନ୍ଦ୍ରୀୟ ଯୋଜନାକୁ ଲାଗୁ କରିବା ଆଦିକୁ ନେଇ ବିଜେପି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି।

ଦୁଷ୍କର୍ମରେ ଓଡ଼ିଶା ରେକର୍ଡ କଲାଣି। ଯାଜପୁର ସ୍ମିତାରାଣୀ ମୃତ୍ୟୁ ପ୍ରସଙ୍ଗ ହେଉ କି ବିଭିନ୍ନ ସ୍ଥାନରେ ଘଟୁଥିବା ଦୁଷ୍କର୍ମ। ଏସବୁଥିରେ ରାଜ୍ୟ ସରକାର ରାଜନୀତି କରୁଥିବା ସମୀର ମହାନ୍ତି କହିଛନ୍ତି।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀଙ୍କୁ ପକ୍କା ଘର ମିଳୁନି। ଯାହା ଘର ଆସୁଛି ସେସବୁ ବିଜେଡି କର୍ମୀମାନେ ହାତଉଛନ୍ତି। ଏଥିପ୍ରତି ସରକାର ଚୁପ୍‌ କାହିଁକି ବୋଲି ବିଜେପି ପ୍ରଶ୍ନ କରିଛି।

ସେହିପରି ଫନି ପୂର୍ବରୁ ଓ ପରେ କେନ୍ଦ୍ର ସରକାର ରେକର୍ଡ ପରିମାଣର ଆର୍ଥିକ ସହାୟତା ରାଜ୍ୟକୁ ଯୋଗାଇେଦେଲେ। ହେଲେ ଏହି ସହାୟତା ଲୋକଙ୍କ ପାଖରେ ପହଞ୍ଚି ପାରିଲା ନାହିଁ। ଏବେ ବି ଲୋକ ପଲିଥିନ୍‌ ତଳେ ରହୁଛନ୍ତି। ତେବେ ଏହି ସହାୟତା ଗଲା କୁଆଡ଼େ?

ରାଜ୍ୟ ସରକାର ମେକ୍ ଇନ୍ ଓଡିଶା ପ୍ରକଳ୍ପରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ୨୦୧୬ ଓ ୧୮ ମସିହାରେ ଯେଉଁ ଲକ୍ଷ୍ୟ ନେଇ ଏହି କନ୍‌କ୍ଲେଭ୍‌ ହୋଇଥିଲା ତାହା ଫେଲ୍‌ ମାରିଛି। ପୁଞ୍ଜିନିବେଶ ପାଇଁ ଆଗ୍ରହ ପ୍ରକାଶ କରିଥିବା କମ୍ପାନିମାନେ ପୁଞ୍ଜି ନିବେଶ ପାଇଁ ଆଗ୍ରହ ଦେଖାଉ ନାହାନ୍ତି। ଯେଉଁଠି ପ୍ରକଳ୍ପ ହୋଇଛି ସେଠି ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ମିଳୁନି କାହିଁକି ବୋଲି ବିଜେପି ପ୍ରଶ୍ନ କରିଛି।

ପୂର୍ବରୁ ନବୀନ ବାବୁ କେନ୍ଦ୍ର ଯୋଜନାକୁ ଓଡ଼ିଶାରେ ଲାଗୁ କରୁ ନଥିଲେ। ହେଲେ ଏବେ ନିଜସ୍ୱ ଯୋଜନା ଚଳାଇବା ପାଇଁ ଅର୍ଥ ନଥିବାରୁ କେନ୍ଦ୍ର ଯୋଜନା ସହ ମିଶାଉଛନ୍ତି। ଏହାର ଉଦାହରଣ ହେଉଛି କାଳିଆ। ଏହା କ’ଣ ରାଜ୍ୟ ସରକାରଙ୍କ ସଫଳତା ବୋଲି ବିଜେପି ପ୍ରଶ୍ନ କରିଛି।

Comment