ଓଡ଼ିଶାଲାଇଭ୍‌ ବ୍ୟୁରୋ

ହାଇଦ୍ରାବାଦ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଗିରଫ ଅଭିଯୁକ୍ତଙ୍କୁ ଏନକାଉଣ୍ଟର। ଏନକାଉଣ୍ଟରକୁ ନେଇ ମୁହଁ ଖୋଲିଲା ପୋଲିସ।

ପୋଲିସ କହିଲା ଏନକାଉଣ୍ଟର ପଛର କାହାଣୀ। ହାଇଦ୍ରାବାଦ ଦୁଷ୍କର୍ମୀ ଅଭିଯୁକ୍ତମାନଙ୍କୁ କିପରି ଏନକାଉଣ୍ଟର କରାଯାଇଥିଲା ତାକୁ ବର୍ଣ୍ଣନା କରିଛନ୍ତି କମିସନର ଭିସି ସଜ୍ଜନାର। ଏନେଇ ସେ ଏକ ସାମ୍ମାଦିକ ସମ୍ମିଳନୀ କରିଥିଲେ। ଏହି ଏନକାଉଣ୍ଟର କେଉଁ ପରିସ୍ଥିତିରେ କରାଯାଇଥିଲା, ତାହାର ଖୁଲାସା କରିଛନ୍ତି କମିସନର।

ପୋଲିସ କମିସନର ଭିସି ସଜ୍ଜନାର ସାମ୍ମାଦିକ ସମ୍ମିଳନୀରେ କହିଛନ୍ତି, “୧୦ ଜଣ ପୋଲିସ କର୍ମଚାରୀ ଗୁରୁବାର ରାତିରେ ୪ ଜଣ ଅଭିଯୁକ୍ତଙ୍କୁ କ୍ରାଇମ୍‌ ସିନ୍‌ ରିକ୍ରିଏଟ କରିବାକୁ ଘଟଣାସ୍ଥଳକୁ ନେଇଥିଲେ। ଏହି ସମୟରେ ଦୁଇ ଜଣ ଅଭିଯୁକ୍ତ ପୋଲିସଠାରୁ ଦୁଇଟି ବନ୍ଧୁକ ଛଡ଼ାଇ ନେଇଥିଲେ। ଏଥିରେ ପୋଲିସ ଅଭିଯୁକ୍ତଙ୍କୁ ଚେତାବନୀ ଦେଇଥିଲା। ହେଲେ ଅଭିଯୁକ୍ତମାନେ ପୋଲିସ ଉପରକୁ ଗୁଳି ଚଳାଇବା ସହ ଟେକା ପଥର ଫିଙ୍ଗି ଥିଲେ। ତେବେ ପୋଲିସ ଆତ୍ମରକ୍ଷା ପାଇଁ ପାଲଟା ଆକ୍ରମଣ କରିଥିଲା। ଯେଉଁଥିରେ ଅଭିଯୁକ୍ତମାନେ ପ୍ରାଣ ହରାଇଥିଲେ।”

ଜାଣନ୍ତୁ, ପୋଲିସ ମୁହଁରୁ ଏନକାଉଣ୍ଟରର ପୂରା ଘଟଣା-

କାହିଁକି ଘଟଣା ସ୍ଥଳକୁ ଅଭିଯୁକ୍ତଙ୍କୁ ଅଣାଯାଇଥିଲା?

୪ ଓ ୫ ଡିସେମ୍ଵରରେ ଆମେ ୪ ଅଭିଯୁକ୍ତଙ୍କୁ ପଚରାଉଚରା କରିଥିଲୁ। ଏହି ସମୟରେ ଅଭିଯୁକ୍ତମାନେ ମୋବାଇଲ ଫୋନ, ପାଓ୍ଵାର ବ୍ୟାଙ୍କ, ଓ ଘଣ୍ଟା କଥା କହିଥିଲେ। ଏଗୁଡ଼ିକୁ ଜବତ କରିବାକୁ ଓ ହତ୍ୟାକାଣ୍ଡ କିପରି କରିଥିଲେ ତାହାର ଡେମୋ କରିବାକୁ ଘଟଣାସ୍ଥଳକୁ ନିଆଯାଇଥିଲା ବୋଲି ସାମ୍ଵାଦିକ ସମ୍ମିଳନୀରେ କହିଥିଲେ କମିସନର।

୧୫ ମିନିଟର ସେହି ଏନକାଉଣ୍ଟର

କମିସନର କହିଛନ୍ତି ଯେ, ଅଭିଯୁକ୍ତମାନଙ୍କୁ ହାତକଡ଼ି ପିନ୍ଧା ହୋଇନଥିଲା। ସେଥିପାଇଁ ୪ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୨ଜଣ ପୋଲିସଠାରୁ ବନ୍ଧୁକ ଛଡ଼ାଇ ନେଇଥିଲେ। ପରେ ସେମାନେ ଦୌଡ଼ିବାକୁ ଲାଗିଥିଲେ। ଆମେ ତାଙ୍କୁ ଚେତାବନୀ ଦେଇଥିଲୁ, ହେଲେ ସେମାନେ ଓଲଟା ଆକ୍ରମଣ କରିଥିଲେ। ସକାଳ ୫.୪୫ରୁ ୬ଟା ପର୍ଯ୍ୟନ୍ତ ଅଭିଯୁକ୍ତ ଓ ପୋଲିସ ମଧ୍ୟରେ ଏନକାଉଣ୍ଟର ହୋଇଥିଲା।

୨ ପୋଲିସ କର୍ମଚାରୀ ଆହତ

ଏନକାଉଣ୍ଟରରେ ୨ ଜଣ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି। ଆହତ ପୋଲିସ କର୍ମଚାରୀଙ୍କ ମଧ୍ୟରେ ଜଣେ ସବ୍‌-ଇନ୍ସପେକ୍ଟର ଓ କନଷ୍ଟେବଲ ରହିଛନ୍ତି। ଅଭିଯୁକ୍ତମାନଙ୍କୁ ମହବୁବ୍‌ନଗର ଡାକ୍ତରଖାନାରେ ପୋଷ୍ଟମର୍ଟମ କରାଯାଉଛି। ଆମେ ତାଙ୍କ ଡିଏନ୍‌ଏ ପ୍ରୋଫାଇଲ ନେଇ ସାରିଛୁ ବୋଲି କହିଛନ୍ତି କମିସନର।

ମାନବାଧିକାର ଆୟୋଗଙ୍କୁ କ’ଣ ଦେବେ ଉତ୍ତର

ଏହି ଘଟଣାରେ ରାଷ୍ଟ୍ରିୟ ମାନବାଧିକାର କମିସନ ତେଲେଙ୍ଗାନା ପୋଲିସକୁ ନୋଟିସ କରିଛି। ଏନେଇ ପୋଲିସ କମିସନର ସଜ୍ଜନାର କହିଛନ୍ତି ଯେ, ଆମେ ସବୁ ଏଜେନ୍ସିଙ୍କୁ ଉତ୍ତର ଦେବାକୁ ପ୍ରସ୍ତୁତ ଅଛୁ।

୨୭ ନଭେମ୍ଵର ରାତିରେ ଜଣେ ମହିଳା ଡାକ୍ତର ସମସାବାଦ ଟୋଲଗେଟ ନିକଟରେ ସ୍କୁଟି ରଖି ସ୍କିନ ଡାକ୍ତର ପାଖକୁ ଯାଇଥିଲେ। ସେଠାରୁ ଫେରିବା ପରେ ତାଙ୍କ ସ୍କୁଟି ପଙ୍କଚର ହୋଇଯାଇଥିଲା। ପରେ ଅଭିଯୁକ୍ତମାନେ ତାଙ୍କୁ ସହାଯ୍ୟ କରିବା ବାହାନାରେ ଦୁଷ୍କର୍ମ କରିଥିଲେ। ପରେ ତଣ୍ଟି ଚିପି ହତ୍ୟା କରିବା ପରେ ତାଙ୍କୁ ପୋଡ଼ି ହତ୍ୟା କରିଥିଲେ। ଏହି ଘଟଣାରେ ପୋଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।

Comment