ବିଜୟମୋହନ ମିଶ୍ର

‘ବିଦେଶରୁ ଦୃଷ୍ଟି’ ପ୍ରଫେସର୍‌ ବିଜୟମୋହନ ମିଶ୍ରଙ୍କ ଏକ ନିୟମିତ ସ୍ତମ୍ଭ। ଦୀର୍ଘ ବର୍ଷ ଧରି ଆମେରିକାରେ ରହୁଥିବା ଲେଖକ ଶ୍ରୀଯୁକ୍ତ ମିଶ୍ର ଓଡ଼ିଶାଲାଇଭ୍‌ରେ ପ୍ରକାଶିତ ଏହି ସ୍ତମ୍ଭ ମାଧ୍ୟମରେ ଓଡ଼ିଶା ସମ୍ପର୍କରେ ତାଙ୍କର ସ୍ମୃତି ଓ ଶାଣିତ ଦୃଷ୍ଟିଭଙ୍ଗୀ ଉପସ୍ଥାପନ କରୁଛନ୍ତି।

ଓଡ଼ିଆ ଓ ଓଡ଼ିଶା (୧୯)

ମଣିଷର ଆତ୍ମା ଆସେ କେଉଁଠୁ ଓ ଯାଏ କେଉଁଠି – ତା’ର ଅଟକଳ କରିବା ମଣିଷ ପକ୍ଷରେ ସମ୍ଭବ ନୁହେଁ। ଯଦିଓ ଆକାଶ ଓ ପୃଥିବୀ ଭିତରେ ଆତ୍ମାର ଯିବା ଆସିବା ହେଉଛି ବୋଲି ଆମେ ବୁଝିବା, ତା’ ହେଲେ ଏହାକୁ କରାଉଛି କିଏ? ଏଥିରୁ ପ୍ରଶ୍ନ ଉଠିଲା ଯେ ଆମେ ଯାହା ଦେଖୁଥାଇଁ ବା ବୁଝିପାରୁଥାଇଁ, ତା’ ସମସ୍ତ ବିଶ୍ୱର ପ୍ରତୀକ ନା ଆଉ କିଛି ଲୁଚା ଅଛି? ଯାହା ଆମେ ଦେଖୁଛୁ ବା ବୁଝୁଛୁ, ଆମେ ଯେଉଁଠାରେ ବସବାସ କରୁଛୁ, ତା’କୁ ‘ଲୋକ’ ବୋଲି ନାଁ ଦିଆଗଲା।

‘ଲୋକ’ ଶବ୍ଦ କେଉଁଠୁ ଆସିଲା – ତା’ ଗବେଷଣା ହୋଇନାହିଁ। ଓଡ଼ିଆରେ ଆମେ ମଣିଷକୁ ବି ‘ଲୋକ’ ବୋଲି କହିଲୁ। ମଣିଷକୁ ‘ଲୋକ’ ବୋଲି କହିବାର ଚଳଣି ବୋଧହୁଏ ଆଗ। ତା’ ହେଲେ ମଣିଷ ଲୋକ ଆଉ ବସବାସ ଲୋକ ପରସ୍ପର ସହ ଜଡ଼ିତ। ଏହା ଭିତରେ ଆଉ ଗୋଟିଏ ନୂଆ କଥା ସୃଷ୍ଟି କରାହେଲା। ତା’ ହେଉଛି ମଣିଷ ‘ଲୋକ’ ମୃତ୍ୟୁ ହେଲା ପରେ ଆଉ ଗୋଟିଏ ’ଲୋକ’ରେ ପହଞ୍ଚିପାରେ। ସଂସାରରେ ଜୀବିତ ଥିବା ସମୟର ଲୋକକୁ ‘ଇହଲୋକ’ କୁହାଗଲା ଏବଂ ମୃତ୍ୟୁ ହେଲା ପର ଅବସ୍ଥିତିକୁ ‘ପରଲୋକ’ କୁହାଗଲା। ଆଗ କଥା ଅନୁସାରେ ଆକାଶକୁ ‘ପରଲୋକ’ ବୋଲି ବୁଝାଗଲା।

ଜନ୍ମ ଓ ମୃତ୍ୟୁ ଭିତରେ କାହାଣୀ ସମାଜର ଆଉ ଗୋଟିଏ ଚିନ୍ତାଧାରା। ଲୋକର ମୃତ୍ୟୁ ସମୟରେ ତା’ର ସଂସାରର ସମସ୍ତ ବନ୍ଧନରୁ ସେ’ ମୁକ୍ତ ହୋଇ ପାରିବା ସମ୍ଭବ ନୁହେଁ।  ତେଣୁ ବନ୍ଧନରୁ ମୁକ୍ତ ହେବା ପାଇଁ ତା’କୁ ପୁନର୍ବାର ଇହଲୋକରେ ଜନ୍ମଗ୍ରହଣ କରିବା ଆବଶ୍ୟକ ବୋଲି କୁହାଗଲା। ଏ’ ବିଶ୍ଵାସ ଏବେ ମଧ୍ୟ ଓଡ଼ିଆ ସମାଜରେ ବହୁପରିମାଣରେ ଚାଲୁ ରହିଅଛି। ଏହାକୁ ମଣିଷର “କର୍ମ”ର ପରିଣାମ ବୋଲି କୁହାଯାଉଅଛି । ଲୋକର ସୁକର୍ମ ଓ ଦୁଷ୍କର୍ମ ଅନୁସାରେ ତା’ର ପୁନର୍ଜନ୍ମ ନିୟନ୍ତ୍ରିତ ହୁଏ ବୋଲି ଲୋକମାନଙ୍କର ବିଶ୍ଵାସ ରହିଛି ।

ଯଦି କର୍ମ ସମାପ୍ତି ହେଲା, ତା’ ହେଲେ ମଣିଷ “ଦେବଲୋକ”ରେ ପହଞ୍ଚିପାରେ ବୋଲି କଳ୍ପନା କରାଗଲା। ଏ’ “ଦେବଲୋକ” ଆକାଶରୁ ଊର୍ଦ୍ଧ୍ଵରେ। ଏ’ ପରି ପୃଥିବୀ ସମେତ ତିନୋଟି ଲୋକ ଅଛି ବୋଲି ଦାର୍ଶନିକମାନେ ଅନୁମାନ କଲେ। ନକ୍ଷତ୍ରମାନଙ୍କର ଅବସ୍ଥିତି “ଦେବଲୋକ” ରେ। ମଣିଷ ନିଜ ସୁକୃତି ଯୋଗୁଁ ନକ୍ଷତ୍ର ହୋଇ ଆଲୋକ ପ୍ରଦାନ କରେ ବୋଲି ବିଶ୍ଵାସ କରାହେଲା। “ନକ୍ଷତ୍ର ଲୋକ” ଓ ପୃଥିବୀ ମଧ୍ୟରେ “ଅନ୍ତରୀକ୍ଷ”, ଯେଉଁଥିରେ ଉଲ୍‌କା, ଗ୍ରହ, ବର୍ଷା ଓ ଶୀତତାପ ଅଛି ବୋଲି ଅନୁମାନ କରାହେଲା। ଏ’ “ଅନ୍ତରୀକ୍ଷ” ହେଲା ଆମର ପୁରୁଣା “ଆକାଶ”।

ଏ’ ତିନିଲୋକର ଯୋଜନା ପୁରୁଣା ଜନସମାଜରୁ ବୈଦିକ ସମାଜରେ ଗୃହୀତ ହୋଇଥିବର ପ୍ରମାଣ ମିଲୁଛି। ବୈଦିକ ପରମ୍ପରାରେ ପରଲୋକକୁ “ପିତୃଲୋକ” ବୋଲି କୁହାଗଲା। ମଣିଷର ଅତୀତ ବଂଶାବଳି “ପିତୃଲୋକ”ରେ ଅବସ୍ଥାନ କରନ୍ତି ବୋଲି ଧର୍ମଶାସ୍ତ୍ରରେ ଲେଖା ହେଲା। “ପିତୃଲୋକ”ର ଆଶୀର୍ବାଦରେ “ଇହଲୋକ” ଚାଲେ ବୋଲି ଲୋକୋକ୍ତି ହେଲା। ତେଣୁ “ଇହଲୋକ”ର ମଣିଷ “ପିତୃଲୋକ”ର ବାସିନ୍ଦାମାନଙ୍କୁ ସ୍ମରଣ କରି ଅର୍ଘ୍ୟ ଓ ତର୍ପଣ ପ୍ରଦାନ କରିବାର ବିଧି ସୃଷ୍ଟି ହେଲା।

ଅନ୍ୟପକ୍ଷରେ ଓଡିଆ ସମାଜ ବହୁ ଆଗରୁ “ଆକାଶ”ଟା ଶୂନ୍ୟ ବୋଲି କଳ୍ପନା କରିଥିଲା।  ଏ’ ଶୂନ୍ୟର ଅର୍ଥ ହେଲା ନିବୃତ୍ତି। ସଂସାରର ଭ୍ରମ ହେଉଛି ମଣିଷ ପାଇଁ ମାୟା। ଏ’ ମାୟା ପଛରେ ଅଛି ଶୂନ୍ୟ।  ସଂସାରରେ ରହିବା ହେଲ ବୃତ୍ତି, ସଂସାରରୁ ବାହାରିଯିବା ହେଲା ନିବୃତ୍ତି।  ଆତ୍ମାର ଅବସ୍ଥିତି ଶୂନ୍ୟରେ। ଶୂନ୍ୟରେ ଅବସ୍ଥାନ କଲା ଫଳରେ ଆତ୍ମା ନିରାକାର।  ଆତ୍ମାର ରୂପ ନାହିଁ, ଆତ୍ମା କିଛି ପଦାର୍ଥ ନୁହେଁ। ଏ’ ବଡ ଅଦ୍ଭୁତ କଳ୍ପନା ହେଲା, କିନ୍ତୁ ଏଥିରେ ବିଜ୍ଞାନ ଥିଲା ପରି ଜଣାପଡିଲା।

ପ୍ରଥମ କଥା ହେଲା ଆକାଶର ଅନ୍ତ ନାହିଁ, ଆକାଶ ଅନନ୍ତ। ତେଣୁ ଯାହା ଆମେ ଦେଖିପାରୁଥାଇଁ, ବା ଯାହାକୁ ଅମେ “ଲୋକ” ବୋଲି ଭାବୁଥାଇଁ, ଆକାଶ ତା’କୁ କେବଳ ସଂକଳନ କରିଛି। ଆକାଶ କେଉଁଠୁ ଆରମ୍ଭ ବା କେଉଁଠି ଶେଷ ତା’ କହିହେବ ନାହିଁ। ଆକାଶର ମାପ ନାହିଁ କି ଆକାର ନାହିଁ ।ଏଥିରୁ “ଶୂନ୍ୟ” ଶବ୍ଦର ଉତ୍ପତ୍ତି ହେଲା। ଆକାଶ ଶୁନ୍ୟ – ଯାହାର ସୀମା ନାହିଁ, ଏହା ସବୁଆଡେ ସମାନ।

ଦ୍ଵିତୀୟ କଥା ହେଲା – ଆକାଶ ପରି ଆତ୍ମାର ବି ସୀମା ନାହିଁ – ଆତ୍ମା କେବଳ ମଣିଷର ଚେତନା ଶକ୍ତି।  ମଣିଷର ସୁଖ ବା ଦୁଃଖରେ ତା’ର ଅଭିପ୍ରାୟ ନାହିଁ କି ଅଭିଯୋଗ ନାହିଁ। ଆତ୍ମାର ଲୋପ ନାହିଁ। ଆତ୍ମା ଏକକ ନୁହେଁ, ଆତ୍ମା ସୃଷ୍ଟିର ସଜ୍ଞାବାଚୀ ଚେତନା।

ଏହା ହେଲା ଓଡ଼ିଆ ସମାଜର ପୁରାତନ ବୈଜ୍ଞାନିକ ଦୃଷ୍ଟିକୋଣ। ସୃଷ୍ଟିର ଉତ୍ପତ୍ତି ଶୂନ୍ୟରୁ, ଏବଂ ସୃଷ୍ଟିର ବିଲୟ ଶୁନ୍ୟରେ। ଏ’ ଶୂନ୍ୟ ବ୍ୟାପକ, ଏହା ଅସୀମ। ଶୂନ୍ୟ ଭିତରେ ଚେତନା ଶକ୍ତି ଅଛି, ଯେ’ କି ଜଗତକୁ ଚଳାଉଛି। ସେ’ ଚେତନା ଶକ୍ତିକୁ “ବ୍ରହ୍ମ” ବୋଲି ନାଁ ଦିଆଗଲା।

Comment